ବିଧାନସଭା ପରିସରରେ ପ୍ରବାଦ ପୁରୁଷଙ୍କ ଜୟନ୍ତୀ

‘ସଂସଦ ବିଚାର’ ଉନ୍ମୋଚିତ

ଭୁବନେଶ୍ବର : ଓଡିଶା ବିଧାନସଭା ପରିସରରେ କଳିଙ୍ଗ ବୀରପୁତ୍ର ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ ପାଳିତ ହୋଇଯାଇଛି। ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଉପବାଚସ୍ପତି ରଜନୀକାନ୍ତ ସିଂହ, ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ଅମର ପ୍ରସାଦ ଶତପଥୀ ଓ ପ୍ରଫୁଲ୍ଲ ସାମଲ, ବିଧାନସଭା ସଚିବ ଦାଶରଥୀ ଶତପଥୀ, ଗବେଷଣା ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର, ଉତ୍କଳ ସର୍ବୋଦୟ ମଣ୍ଡଳର କର୍ମକର୍ତ୍ତା ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ସ୍ବାଧୀନତା ପରବର୍ତ୍ତୀ ଓଡ଼ିଶାର ସାମାଜିକ ଓ ଅର୍ଥନୈତିକ ଜାଗରଣ ସହ ମହିଳାମାନଙ୍କ ସମାନ୍ତରାଳ ବିକାଶରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଭୂମିକା ସର୍ବାଗ୍ରେ, ସମୃଦ୍ଧ ଏବଂ ସମୁଜ୍ଵଳ ବୋଲି ଏହି ଅବସରରେ ମତ ପ୍ରକାଶ ପାଇଥିଲା। ପରେ ଅତିଥିମାନଙ୍କ ଦ୍ବାରା ଓଡ଼ିଶା ବିଧାନସଭା ଗବେଷଣା ବିଭାଗ ଦ୍ଵାରା ସଂକଳିତ ‘ସଂସଦ ବିଚାର’ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଏହି ପୁସ୍ତକରେ ଓଡ଼ିଶା ବିଧାନସଭା ସମ୍ପର୍କିତ ସର୍ବିଶେଷ ତଥ୍ୟ ପାଠକମାନେ ପାଇପାରିବେ ବୋଲି କୁହାଯାଇଛି। ବିଧାନସଭାର ଯୁଗ୍ମ ନିର୍ଦ୍ଦେଶକ(ଗବେଷଣା) ଶିବ ପ୍ରସାଦ ପଟ୍ଟନାୟକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେ‌ଳେ ଶାଶ୍ଵତୀ ସାମାଜିକ ଏବଂ ସାଂସ୍କୃତିକ ଅନୁଷ୍ଠାନର କଣ୍ଠଶିଳ୍ପୀମାନେ ବିଜୁବାଙ୍କୁଙ୍କ ସମ୍ଭ୍ରାନ୍ତ ସ୍ମୃତିକୁ ପୁନର୍ଜୀବିତ କରି ପ୍ରଜ୍ଞା ଓ ପ୍ରେରଣା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସୁମଧୁର ସଂଗୀତ ପରିବେଷଣ କରିଥିଲେ।

ସମ୍ବନ୍ଧିତ ଖବର