ବିଜୁ ଜୟନ୍ତୀରେ ସଫଳ କ୍ରୀଡ଼ାବିତଙ୍କୁ ପୁରସ୍କାର

ଭୁବନେଶ୍ୱର : ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ସଫଳ କ୍ରୀଡ଼ାବିତ୍‌ଙ୍କୁ ଅର୍ଥ ପୁରସ୍କାର ପ୍ରଦାନ କରାଯାଇଛି। ଫେଡେରେସନ କପ୍‌ ଭଲିବଲ୍‌ରେ କାଂସ୍ୟ ପାଇଥିବା ରାଜ୍ୟ ମହିଳା ଓ ପୁରୁଷ ଦଳକୁ ୧.୫ ଲକ୍ଷ ଟଙ୍କା ଲେଖାଏଁ ମିଳିଥିଲା। ସେହିପରି ଚେସ୍‌ ତାରକା ପଦ୍ମିନୀ ରାଉତଙ୍କୁ ୨୦୨୧ର ସଫଳତା ପାଇଁ ୬୦,୦୦୦, ରଗ୍‌ବି ଖେଳାଳି ତିଳୋତ୍ତମା ସାହୁଙ୍କୁ ୩୮,୫୦୦ ଓ ଭାଗ୍ୟଲକ୍ଷ୍ମୀ ବାରିକଙ୍କୁ ୩୦,୦୦୦, ତୀରନ୍ଦାଜିରେ ରଞ୍ଜିତ ନାୟକଙ୍କୁ ୪୭,୦୦୦ ଓ ସୂର୍ଯ୍ୟମଣି ମାଝୀଙ୍କୁ ୨୦,୦୦୦ ଏବଂ ନିକଟରେ ଶେଷ ହୋଇଥିବା କନିଷ୍ଠ ହକି ବିଶ୍ୱକପ୍‌ରେ ଅଂଶଗ୍ରହଣ କରିଥିବା ଅଭିଷେକ ଲାକ୍ରାଙ୍କୁ ୧୨,୫୦୦ ଟଙ୍କା ଅର୍ଥ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କଳିଙ୍ଗ ଷ୍ଟାଡିୟମରେ ଅନୁ‌ଷ୍ଠିତ ଉତ୍ସବରେ ଅତିଥି ଭାବେ ଯୋଗଦେଇ କ୍ରୀଡ଼ା ଯୁଗ୍ମ ଶାସନ ସଚିବ ବିଜୟାନନ୍ଦ ନାୟକ, ଯୁଗ୍ମ ଶାସନ ସଚିବ ଶୈଳେନ୍ଦ୍ର କୁମାର ଜେନା, ଯୁଗ୍ମ ଶାସନ ସଚିବ ରଞ୍ଜିତ ପରିଡ଼ା, ଅର୍ଥ ପରାମର୍ଶଦାତା ଗୀତା ଦାସ, ଅନୁଶାସନ ସଚିବ ରାଜେନ୍ଦ୍ର ପ୍ରସାଦ ପାଣି, ଲକ୍ଷ୍ମୀକାନ୍ତ ମିଶ୍ର ଓଏସଡି ସନାତନ ସାହୁ ଏବଂ ଓଡ଼ିଶା ଭଲିବଲ୍‌ ସଙ୍ଘର ସମ୍ପାଦକ ଗଗନେନ୍ଦୁ ଦାସ ପୁରସ୍କାର ବିତରଣ କରିଥିଲେ। ଉତ୍ସବକୁ ପ୍ରୋଗ୍ରାମ ଅଫିସର ଡ. ନିବେଦିତା ଆଚାର୍ଯ୍ୟ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର