ବିଜେଡି ନେତାଙ୍କୁ ଗୁଳି କରି ହତ୍ୟା

ରାମିଆଳ ନଦୀକୂଳରେ ବୋଲେରୋ ଛାଡ଼ି ଅପରାଧୀ ଫେରାର
୨୦୧୪ରେ ଅଳ୍ପକେ ବର୍ତ୍ତିଥିଲେ ଯଶୋବନ୍ତ
ବୋଲେରୋ ମାଲିକଙ୍କୁ ପଚରାଉଚରା
କାମାକ୍ଷାନଗରରେ ଉତ୍ତେଜନା

କାମାକ୍ଷାନଗର/ଢେଙ୍କାନାଳ/ବଡ଼ବିଲ : ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ଟଳି ପଡିଛନ୍ତି ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡ଼ା। ସୋମବାର ପୂର୍ବାହ୍ନରେ କାମାକ୍ଷାନଗର ଏନ୍‌ଏସି ବାସିନ୍ଦା ଶ୍ରୀ ପରିଡ଼ାଙ୍କୁ ୪ ଜଣ ଆତତାୟୀ ଏକ ବୋଲେରୋ ଗାଡିରେ ଆସି ଆଖିବୁଜା ଗୁଳିମାଡ଼ କରିବା ସହ ବୋମା ଫିଙ୍ଗି ହତ୍ୟା କରିଛନ୍ତି। ସ୍ପଷ୍ଟ ଦିବାଲୋକରେ ଏହି ଛାତିଥରା ହତ୍ୟାକାଣ୍ଡ ଢେଙ୍କାନାଳ ଜିଲ୍ଲା ସମେତ ସମଗ୍ର ରାଜ୍ୟରେ ଆଲୋଡନ ଖେଳାଇ ଦେଇଛି। ହତ୍ୟାକାଣ୍ଡର କାରଣ ଏ ଯାଏ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏହା ପଛରେ ବ୍ୟାବସାୟିକ, ରାଜନୈତିକ ଶତ୍ରୁତା ସହିତ ଏକାଧିକ କାରଣ ରହିଥିବା କୁହାଯାଉଛି। ଘଟଣାର ପ୍ରତ୍ୟକ୍ଷଦର୍ଶୀ କାମାକ୍ଷାନଗର ଏନ୍‌ଏସି ଅନନ୍ତପୁର ବାସିନ୍ଦା ରଂଜନ କୁମାର ସାହୁ (୩୦) ମଧ୍ୟ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଆହତ ହୋଇଛନ୍ତି। ଏହି ଘଟଣା ପରେ ପୁଲିସ ସମସ୍ତ ରାସ୍ତାକୁ ସିଲ୍‌ କରିବା ସହ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରିଥିଲା। ତେବେ ଧରାପଡିଯିବା ଭୟରେ ଦୁର୍ବୃତ୍ତମାନେ କାମାକ୍ଷାନଗର ସହରଠାରୁ ୧୦ କିଲୋମିଟର ଦୂର ବାଉଁଶପାଳ ପଞ୍ଚାୟତ କାଇରି-ମାଝିସାହି ନିକଟ ରାମିଆଳ ନଦୀକୂଳରେ ଗାଡି ଛାଡି ଫେରାର୍‌ ହୋଇ ଯାଇଛନ୍ତି। ଏହି ହାଇପ୍ରୋଫାଇଲ୍‌ ମର୍ଡର ଘଟଣା ପରେ ହଲ୍‌ଚଲ୍‌ ହୋଇ ଯାଇଥିଲା ପୁଲିସ ବିଭାଗ। ପୁଲିସ୍‌ ଡିଜିଙ୍କ ନିର୍ଦ୍ଦେଶରେ ଉତ୍ତର-କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ ସମେତ ଜିଲ୍ଲାର ସମସ୍ତ ଥାନା ଅଧିକାରୀ ଏବଂ ବରିଷ୍ଠ ପୁଲିସ ପଦାଧିକାରୀ କାମାକ୍ଷାନଗରରେ ଡେରା ପକାଇ ପରିସ୍ଥିତି ଅନୁଧ୍ୟାନ କରିବା ସହ ଅପରାଧୀଙ୍କୁ ଧରିବା ଲାଗି ତନାଘନା ଚଳାଇଛନ୍ତି। ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ମାତ୍ର ୧୦ ମିନିଟ୍‌ ମଧ୍ୟରେ ଘଟିଥିଲା ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ।

ସୋମବାର ସକାଳ ପ୍ରାୟ ୯.୪୫ ମିନିଟ୍‌। ସବୁ ଦିନ ଭଳି କାମାକ୍ଷାନଗର ସହରରେ ଲୋକମାନଙ୍କର ଆତଯାତ ଲାଗି ରହିଥିଲା। ଜିଲ୍ଲା ଯୁବ ବିଜେଡି ସଭାପତି ଶ୍ରୀ ପରିଡ଼ା ଅନନ୍ତପୁର ସାହିରେ ନିର୍ମାଣଧୀନ ତାଙ୍କର ଦ୍ୱିତଳ ପ୍ରସାଦ ଘର କାମ ଦେଖି ନିଜ ଇଣ୍ଡିଗୋ ଧଳା କାରରେ ଉପଖଣ୍ଡ ଚିକିତ୍ସାଳୟ ଅଭିମୁଖେ ବାହାରିଥିଲେ। ଚିକିତ୍ସାଳୟ ସମ୍ମୁଖରେ ଶ୍ରୀ ପରିଡ଼ାଙ୍କର ଏକ ଔଷଧ ଦୋକାନ ରହିଛି। ଶ୍ରୀ ପରିଡ଼ା କାର ଚଳାଇ ପୋଷ୍ଟ ଅଫିସ୍‌ ଛକରୁ ଡାହାଣକୁ ୫୩ ନମ୍ବର ରାଜପଥ ଦେଇ ନିଜ ଔଷଧ ଦୋକାନକୁ ଯିବା ସମୟରେ ଗାନ୍ଧୀ ମନ୍ଦିର ସାମନାରେ ତାଙ୍କୁ ପିଛା କରୁଥିବା ଏକ ବୋଲେରୋ ଗାଡି (ଓଆର୦୨ଏଏନ୍‌-୬୮୦୧) ଭିତରୁ ହଠାତ୍‌ ଗୁଳିମାଡ଼ ଆରମ୍ଭ ହୋଇଥିଲା। ଦୁର୍ବୃତ୍ତମାନେ ଶ୍ରୀ ପରିଡ଼ାଙ୍କ କାରକୁ ଟାର୍ଗେଟ୍‌ କରି ପ୍ରଥମେ ଦୁଇ ରାଉଣ୍ଡ ଗୁଳି କରିଥିଲେ। କ’ଣ ଗୋଟେ ଶଦ୍ଦ ହେଲା ଭାବି ଶ୍ରୀ ପରିଡ଼ା କାର୍‌ ଡୋର୍‌ ଖୋଲି ବାହାରିକୁ ଆସିବା ମାତ୍ରେ ପୂର୍ବରୁ ବୋଲେରୋ ଗାଡି ଭିତରେ ପ୍ରସ୍ତୁତ ହୋଇ ରହିଥିବା ଦୁର୍ବୃତ୍ତମାନେ ତାଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଆଖିବୁଜା ଗୁଳି ମାଡ଼ କରିଥିଲେ। କିଛି ଜାଣିବା ପୂର୍ବରୁ ଶ୍ରୀ ପରିଡ଼ାଙ୍କର ରକ୍ତ ଜୁଡୁବୁଡୁ ଶରୀର ଭୂଇଁରେ ଲୋଟି ପଡିଥିଲା। ଏହି ସୁଯୋଗରେ ଦୁର୍ବୃତ୍ତମାନେ ଆତଙ୍କ ଖେଳାଇବା ତଥା ଖସିଯିବା ଉଦ୍ଦେଶ୍ୟରେ କାର୍‌ ଉପରକୁ ଲାଗ୍‌ ଲାଗ୍‌ ଏକାଧିକ ହାତ ବୋମା ଫିଙ୍ଗିଥିଲେ। ପ୍ରଚଣ୍ଡ ଶବ୍ଦ ସାଙ୍ଗକୁ ଧୂଆଁରେ ଆଚ୍ଛାଦିତ ହୋଇ ଯାଇଥିଲା ସ୍ଥାନୀୟ ଅଞ୍ଚଳ। ଏହି ମଉକାରେ ଦୁର୍ବୃତ୍ତମାନେ ସାଙ୍ଗରେ ଆଣିଥିବା ବୋଲେରୋକୁ ଧରି କାମାକ୍ଷାନଗର ବଜାରରୁ ରେଙ୍ଗାଳି କେନାଲ ଦେଇ ବାଉଁଶପାଳ ଆଡକୁ ପଳାଇଥିଲେ। ଗୁଳିମାଡ଼ ବେଳେ ଅନନ୍ତପୁର ସାହିର ରଂଜନ ସାହୁଙ୍କ ବେକରେ ଏକ ଗୁଳି ଘସି ହୋଇ ଚାଲି ଯାଇଥିଲା। ତାଙ୍କ ବେକରୁ ରକ୍ତସ୍ରାବ ହେଉଥିବା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ଡାକ୍ତରଖାନା ନେଇ ଯାଇଥିଲେ। ଘଟଣାସ୍ଥଳରୁ ଜବତ ହୋଇଥିବା ଖୋକାରୁ ଦୁର୍ବୃତ୍ତମାନେ ପାଖାପାଖି ୧୦ ରାଉଣ୍ଡ ଗୁଳି ଚଳାଇଥିବା ଜଣାପଡିଛି। ଯଶୋବନ୍ତଙ୍କ ମୁଣ୍ଡରେ ୪ଟି ଓ ଛାତିରେ ୪ଟି ଗୁଳି ବାଜିଛି। ହତ୍ୟାକାଣ୍ଡରେ ୪ ଜଣ ସଂପୃକ୍ତ ଥିବା ବେଳେ ସମସ୍ତେ ପେସାଦାର ଅପରାଧୀ ଏବଂ ଜିଲ୍ଲା ବାହାରର ବୋଲି କୁହାଯାଉଛି।

ବିଜୁଳି ବେଗରେ ଏହି ଖବର ବ୍ୟାପିଯିବା ପରେ ଘଟଣାସ୍ଥଳକୁ ଲୋକମାନଙ୍କର ସୁଅ ଛୁଟିଥିଲା। କିଛି ସମୟ ମଧ୍ୟରେ ୫୩ ନମ୍ବର ରାଜପଥ ଜନ ସମୁଦ୍ର ପାଲଟିବା ସହ ଦୀର୍ଘ ସମୟ ଧରି ଅବରୋଧ ହୋଇ ରହିଥିଲା ରାସ୍ତା। ଖବର ପାଇ ଶ୍ରୀ ପରିଡ଼ାଙ୍କ ପରିବାର ଓ ଆତ୍ମୀୟସ୍ୱଜନ ବି ଧାଇଁ ଆସିଥିଲେ ଘଟଣାସ୍ଥଳକୁ। ଯଶୋବନ୍ତ ବଞ୍ଚିଥିବା ଭାବି ତାଙ୍କ ଭଣଜା ଖଗେଶ୍ୱର ଭୂତିଆ ଓ ଅନ୍ୟମାନେ ରକ୍ତ ଜୁଡୁବୁଡୁ ଶରୀରକୁ ଧରି କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟକୁ ନେଇ ଯାଇଥିଲେ। ତେବେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବା ଦେଖି ଯଶୋବନ୍ତଙ୍କୁ କଟକ ରେଫର୍‌ କରିଥିଲେ ଡାକ୍ତର। ବାଟରେ ରେକୁଳାଠାରେ ଶ୍ରୀ ପରିଡ଼ାଙ୍କ ସାନ ଭାଇ ତଥା କାମାକ୍ଷାନଗର ଏନ୍‌ଏସି ଅଧ୍ୟକ୍ଷ ଧର୍ମାନନ୍ଦ ପରିଡ଼ା ଭାଇଙ୍କର ନିଷ୍ପ୍ରାଣ ଶରୀର ଦେଖି ଡାକ୍ତର ଦିଗମ୍ବର ସାହୁଙ୍କୁ ମୋବାଇଲରେ ସତ କଥା କହିବାକୁ ଅନୁରୋଧ କରିଥିଲେ। ଯଶୋବନ୍ତଙ୍କର ମୃତ୍ୟୁ ହୋଇସାରିଛି ବୋଲି ଡାକ୍ତର ଶ୍ରୀ ସାହୁ କହିବା ପରେ ତାଙ୍କ ମୃତଦେହକୁ ଧରି ପରିବାର ଲୋକେ ଅଧାବାଟରୁ କାମାକ୍ଷାନଗର ଫେରି ଆସିଥିଲେ।

ପୁଲିସ ମୁଖ୍ୟାଳୟ ହଲଚଲ୍‌: ଶାସକ ଦଳର ଜଣେ ଆଗଧାଡ଼ିର ଯୁବ ନେତାଙ୍କୁ ହତ୍ୟା କରାଯିବା ଖବରରେ ସମ୍ଭୀଭୂତ ହୋଇ ଯାଇଥିଲା ରାଜ୍ୟ ବିଜେଡ଼ି। ହଲଚଲ୍‌ ହୋଇ ଯାଇଥିଲା ପୁଲିସ ମୁଖ୍ୟାଳୟ। ଡିଜିଙ୍କଠାରୁ ଆରମ୍ଭ କରି ଗୃହ ବିଭାଗ ସଚିବଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ଗମ୍ଭୀରତାର ସହ ନେଇଥିଲେ। ଆରମ୍ଭ ହୋଇଥିଲା ପୁଲିସ୍‌ ଅପରେସନ୍‌। ତାଳଚେରସ୍ଥିତ ଉତ୍ତର-କେନ୍ଦ୍ରାଞ୍ଚଳ ପୁଲିସ ଡିଆଇଜି ଯତୀନ୍ଦ୍ର କୋଏଲ, ଢେଙ୍କାନାଳ ଏସ୍‌ପି ସନ୍ତୋଷ ନାୟକଙ୍କ ସମେତ ଜିଲ୍ଲାର ସମସ୍ତ ଥାନା ଅଧିକାରୀ ଓ ବରିଷ୍ଠ ପୁଲିସ ଅଧିକାରୀ କାମାକ୍ଷାନଗର ମୁହାଁ ହୋଇଥିଲେ। ସମସ୍ତ ସଂଯୋଗକାରୀ ରାସ୍ତାକୁ ସିଲ୍‌ କରି ପୁଲିସ ଘେରାବନ୍ଦୀ କରିଥିଲା। ଫଳସ୍ୱରୂପ ମାତ୍ର ଘଣ୍ଟାଏ ପରେ ଦୁର୍ବୃତ୍ତମାନେ କାମାକ୍ଷାନଗର ସହରଠାରୁ ୧୦ କିମି ଦୂର ରାମିଆଳ ନଦୀକୂଳରେ ଛାଡି ଯାଇଥିବା ବୋଲେରୋ ଗାଡିକୁ ଜବତ କରିଥିଲା ପୁଲିସ। ଅନ୍ୟପକ୍ଷରେ ଅପରାଧୀମାନେ ଜାଣିଥିଲେ ସେମାନେ ଯାହାକୁ ମାରିଛନ୍ତି ସେ ଜଣେ ଚର୍ଚ୍ଚିତ ରାଜନେତା। ତେଣୁ ଧରାନପଡିବା ଲାଗି ପୂର୍ବ ଯୋଜନା ମୁତାବକ ଅପରାଧୀମାନେ ଗାଡିକୁ ଛାଡି ପଳାଇଥିଲେ।

ହତ୍ୟା ପଛର କାରଣ: ଯଶୋବନ୍ତଙ୍କୁ ଏହା ପ୍ରଥମ ଆକ୍ରମଣ ନଥିଲା। ୨୦୧୪ ମସିହା ଜାନୁଆରି ୩ ତାରିଖ ସନ୍ଧ୍ୟାରେ ଆଠଗଡ ଅଞ୍ଚଳର ଜଣେ ପେସାଦାର ଅପରାଧୀ ସୁରେଶ ପଣ୍ଡା ଯଶୋବନ୍ତଙ୍କୁ ତାଙ୍କ ଔଷଧ ଦୋକାନ ସାମ୍‌ନାରେ ୩ ରାଉଣ୍ଡ ଗୁଳି ମାରିଥିଲା। ଏଥିରେ ଯଶୋବନ୍ତ ଗୁରୁତର ଆହତ ହୋଇ କଟକ ବଡ ଡାକ୍ତରଖାନାରେ ପାଖାପାଖି ମାସାଧିକ କାଳ ଚିକିତ୍ସିତ ହେବା ପରେ ବିପଦମୁକ୍ତ ହୋଇଥିଲେ। ଏହି ଘଟଣାରେ ତତ୍କାଳନୀ ଢେଙ୍କାନାଳ ଏସ୍‌ପି ଏକ ସାମ୍ବାଦିକ ସମ୍ମିଳନୀରେ ଯଶୋବନ୍ତଙ୍କୁ ହତ୍ୟା ଉଦ୍ୟମ ପଛର କାରଣ ପୂର୍ବ ଶତ୍ରୁତା ବୋଲି କହିଥିଲେ। ୨୦୧୦ ମସିହାରେ ତୁମୁସିଂହା ଥାନା ବାରୁଆଁ ଗ୍ରାମର ଓ୍ଵାର୍ଡ ମେମ୍ବରଙ୍କ ସ୍ୱାମୀ ମନୁ ଭୂତିଆଙ୍କୁ ହତ୍ୟା ଘଟଣାରେ ପୁଲିସ ଦୀପକ ମହନ୍ତଙ୍କ ସମେତ ୩ ଜଣଙ୍କୁ ଗିରଫ କରିଥିଲା। ଏହି ଘଟଣାରେ ଯଶୋବନ୍ତ ତାଙ୍କୁ ମୁଖ୍ୟ ଅଭିଯୁକ୍ତ ସଜାଇ ପୁଲିସ ଦ୍ୱାରା ଗିରଫ କରିଥିବା ଦୀପକ ସନ୍ଦେହ କରିଥିଲେ। ପ୍ରତିଶୋଧ ନେବା ଉଦେଶ୍ୟରେ ସେ ଯଶୋବନ୍ତଙ୍କୁ ହତ୍ୟା କରିବା ଲାଗି ଭଡାଟିଆ ହତ୍ୟାକାରୀଙ୍କୁ ନିୟୋଜିତ କରିଥିବା ତତ୍କାଳୀନ ଏସ୍‌ପି ପ୍ରକାଶ କରିଥିଲେ। ତେବେ ଆଜିର ଘଟଣା ପଛର କାରଣ କିଛି ଅଲଗା ବୋଲି କୁହାଯାଉଛି। ଯଶୋବନ୍ତ ଖୁବ କମ୍‌ ସମୟ ମଧ୍ୟରେ ଶାସକ ଦଳର ଜଣେ ପ୍ରତିଷ୍ଠିତ ଯୁବ ନେତା ଭାବେ ଉଭା ହୋଇଥିଲେ। ଜିଲ୍ଲା ଯୁବ ବିଜେଡି ସଭାପତି ସାଙ୍ଗକୁ ସେ ଜିଲ୍ଲା କ୍ରୀଡ଼ା ସଂସଦର ଉପସଭାପତି, କାମାକ୍ଷାନଗର ଘରୋଇ ବସ ମାଲିକ ସଂଘର ସଂପାଦକ ସହିତ ଅନେକ ପଦବି ବି ମଣ୍ଡନ କରିଥିଲେ। ତାଙ୍କର ଏକାଧିକ ବସ୍‌, ଟ୍ରକ ରହିଥିବା ବେଳେ ସେ ବାଲି ଓ ଖଣିଜ ପରିବହନ ବ୍ୟବସାୟରେ ମଧ୍ୟ ସଂପୃକ୍ତ ଥିଲେ। ଏହା ଛଡା ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ସେ ଖାସ ଅନୁଗତ ଭାବେ ଜଣାଶୁଣା। ସୁତରାଂ ବ୍ୟାବସାୟିକ ଓ ରାଜନୈତିକ ଶତ୍ରୁତାକୁ ନେଇ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ ଚର୍ଚ୍ଚା ଚାଲିଛି। ପୁଲିସ୍‌ ଏହି ସବୁ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଆରମ୍ଭ କରିଛି।

ହତ୍ୟା ଘଟଣାରେ ବ୍ୟବହୃତ ବୋଲେରୋ ୧୪ ଦିନ ପୂର୍ବରୁ ଚୋରି ହୋଇଥିଲା: ହତ୍ୟାକାଣ୍ଡରେ ବ୍ୟବହୃତ ବୋଲେରୋ ଗାଡି (ଓଆର୦୨ଏଏନ୍‌-୬୮୦୧) ଚଳିତ ମାସ ୧୨ ତାରିଖ ରାତିରେ ଭୁବନେଶ୍ୱର ସହିଦ୍‌ନଗର ଥାନା ଇଲାକାରୁ ଚୋରି ହୋଇଥିଲା। ଏହି ଗାଡ଼ିର ମାଲିକ ହେଉଛନ୍ତି ତୁଷାରକାନ୍ତି ମହାନ୍ତି (୪୫)। ତାଙ୍କ ଘର ବଡ଼ବିଲରେ। ସେ ଜଣେ ବିଲଡର ମଧ୍ୟ। ଶ୍ରୀ ମହାନ୍ତି ଭୁବନେଶ୍ୱରରେ ରହି ଠିକାଦାରୀ ଏବଂ ଅନ୍ୟାନ୍ୟ ବ୍ୟବସାୟ କରନ୍ତି। ୧୨ ତାରିଖ ରାତିରେ ସେ ତାଙ୍କ ବୋଲେରୋ ଗାଡିକୁ ଘର ସାମ୍‌ନାରେ ରଖିଥିବା ବେଳେ ତାହା ଚୋରି ହୋଇ ଯାଇଥିଲା। ଏ ସଂପର୍କରେ ଶ୍ରୀ ମହାନ୍ତି ୧୩ ତାରିଖରେ ସହିଦ୍‌ନଗର ଥାନାରେ ଏତଲା ଦେଇଥିବା ବେଳେ ପୁଲିସ ତା’ ପରଦିନ ୧୪ ତାରିଖରେ ମାମଲା ପଞ୍ଜୀକୃତ (କେସ୍‌ ନଂ ୦୧୨୪) କରିଥିଲା। ଶ୍ରୀ ମହାନ୍ତି ତାଙ୍କ ଗାଡିରେ ଏଟିଏମ୍‌ କାର୍ଡ ସହିତ ଅନ୍ୟାନ୍ୟ କାଗଜପତ୍ର ରଖିଥିଲେ। ଗାଡି ଚୋରି ହେବାର ପରଦିନ ତାଙ୍କ ଏଟିଏମ୍‌ କାର୍ଡ ବ୍ୟବହାର କରି ଦୁର୍ବୃତ୍ତମାନେ ୪୬ ହଜାର ୫ ଶହ ଟଙ୍କା ଉଠାଇ ନେଇଥିବା ଶ୍ରୀ ମହାନ୍ତିଙ୍କ ମୋବାଇଲକୁ ମେସେଜ୍‌ ଆସିଥିଲା। ଯଶୋବନ୍ତଙ୍କୁ ହତ୍ୟା ଘଟଣାରେ ବ୍ୟବହୃତ ଗାଡିକୁ ପୁଲିସ ଜବତ କରିବା ପରେ ସହିଦନଗର ଥାନା ପୁଲିସ ଗାଡି ମାଲିକ ଶ୍ରୀ ମହାନ୍ତିଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।

ଶୋକାକୁଳ ପରିବେଶରେ ହେଲା ଅନ୍ତିମ ସଂସ୍କାର: ଯଶୋବନ୍ତଙ୍କ ଅକାଳ ମୃତ୍ୟୁରେ କାମାକ୍ଷାନଗରବାସୀ ସ୍ତବ୍ଧ ହୋଇ ଯାଇଛନ୍ତି। ଯଶୋବନ୍ତ ଥିଲେ ଜଣେ ମେଳାପୀ ଓ ମିଷ୍ଟଭାଷୀ ବ୍ୟକ୍ତିତ୍ୱ। ତାଙ୍କର ହସ ହସ ମୁହଁ ଓ ବନ୍ଧୁତ୍ୱପୂର୍ଣ୍ଣ ଆଚରଣ ବିରୋଧୀ ରାଜନୈତିକ ନେତାଙ୍କ ସମେତ ସ୍ଥାନୀୟ ଜନତାଙ୍କୁ ଅଭିଭୂତ କରିଥିଲା। ଆଜି ତାଙ୍କ ଶବାଧାରରେ ହଜାର ହଜାର ଲୋକ ସାମିଲ ହେବା ଏହାକୁ ପ୍ରମାଣ କରୁଛି। ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ବାଣିଜ୍ୟ ଓ ପରିବହନ ରାଷ୍ଟ୍ରମନ୍ତ୍ରୀ ଡାକ୍ତର ନୃସିଂହ ସାହୁ, ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ବିଜେଡ଼ି ରାଜ୍ୟ ସାଧାରଣ ସଂପାଦକ ସୁଧୀର କୁମାର ସାମଲ, କଙ୍କଡାହାଡ ବ୍ଲକ ଅଧ୍ୟକ୍ଷ କାର୍ତ୍ତିକ ସାହୁ, ଭୁବନ ବ୍ଳକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଶବାଧାରରେ ସାମିଲ ହୋଇଥିଲେ। ଏକ ବିରାଟ ପଟୁଆରରେ ତାଙ୍କ ମୃତ ଦେହକୁ ସହର ପରିକ୍ରମା କରାଯିବା ପରେ ସନ୍ଧ୍ୟାରେ ରେକୁଳାସ୍ଥିତ ରାମିଆଳ ନଦୀକୂଳରେ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା। ମୃତ ଯଶୋବନ୍ତଙ୍କ ପତ୍ନୀ ଓ ତାଙ୍କର ଦୁଇ ଛୋଟ ପୁଅ ଅଛନ୍ତି। ତାଙ୍କ ସାନଭାଇ ଧର୍ମାନନ୍ଦ ପରିଡ଼ା ବର୍ତ୍ତମାନ କାମାକ୍ଷାନଗର ଏନ୍‌ଏସି ଅଧ୍ୟକ୍ଷ ଅଛନ୍ତି।

ସମ୍ବନ୍ଧିତ ଖବର