ଭୁ‌ବନେଶ୍ବର : ରାଜ୍ୟ ସରକାର ପୂର୍ତ୍ତ ବିଭାଗର ୫୦ ହଜାରରୁ ୫ ଲକ୍ଷ ଟଙ୍କାର କାର୍ଯ୍ୟ ଲାଗି ଟେଣ୍ଡର୍ ନ କରିବା ନିଷ୍ପତ୍ତିକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମାଲୋଚନା କରିଛନ୍ତି। ବିଜେଡି ଏହାର ପାଲଟା ଜବାବ ଦେଇ କହିଛି, କେନ୍ଦ୍ର ମନ୍ତ୍ରୀ ନିଜ ଅଜ୍ଞତାକୁ ପ୍ରକାଶ କରୁଛନ୍ତି । ଦଳର ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, କେନ୍ଦ୍ର ପରିବହନ ଓ ରାଜପଥ ମନ୍ତ୍ରଣାଳୟର ଆର୍ଥିକ ନିୟମାବଳୀ ଅନୁସାରେ ଏହା କରାଯାଇଛି। ଏହା ଦ୍ବାରା ରାଜ୍ୟରେ ଦୁର୍ନୀତିକୁ ପ୍ରଶ୍ରୟ ଦିଆଯାଉଛି ବୋଲି କେନ୍ଦ୍ର ମନ୍ତ୍ରୀଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ। ପ୍ରଥମେ ୫୦ ହଜାରରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୂର୍ତ୍ତ କାର୍ଯ୍ୟ ଟେଣ୍ଡର୍ ପାଇଁ ରହିଥିବା ମାନଦଣ୍ଡକୁ ପରିବର୍ତ୍ତନ କରି ଟେଣ୍ଡର୍ ନ ଡାକିବା ପାଇଁ କେନ୍ଦ୍ର ପରିବହନ ଓ ରାଜପଥ ମନ୍ତ୍ରଣାଳୟ ନିଷ୍ପତ୍ତି ଗ୍ରହଣ କରିଥିଲା। କେନ୍ଦ୍ର ସରକାରଙ୍କ ଉକ୍ତ ପଦକ୍ଷେପକୁ ଭିତ୍ତି କରି ରାଜ୍ୟ ସରକାର ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ତାହା ପୂର୍ବରୁ ରାଜ୍ୟ ସରକାର ପିଏସିର ମତାମତ ଚାହିଁଥିଲେ, ଯେଉଁଥ‌ିରେ ବିଜେଡି ସମେତ କଂଗ୍ରେସ ଓ ବିଜେପି ବିଧାୟକ ରହିଥି‌େଲ। ପିଏସି ମଧ୍ୟ ମାନଦଣ୍ଡ ପରିବର୍ତ୍ତନ ଲାଗି ସୁପାରିସ କରିଥିଲା। ତାହା ପରେ ରାଜ୍ୟ ସରକାର ପୂର୍ତ୍ତ ବିଭାଗ କାର୍ଯ୍ୟ କ୍ଷେତ୍ରରେ ସଂଶୋଧନ ଆଣିଥି‌େଲ। ତେଣୁ କେନ୍ଦ୍ର ମନ୍ତ୍ରୀ କେନ୍ଦ୍ରରେ ହୋଇଥିବା ନିୟମ ପରିବର୍ତ୍ତନ ସମ୍ପର୍କରେ ଅଜ୍ଞ ରହିବା ଦୁର୍ଭାଗ୍ୟଜନକ। ଏପରି ଦାୟିତ୍ବହୀନ ମନ୍ତବ୍ୟ ଦେବା ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ପ୍ରଥମେ ସତ୍ୟତା ପରୀକ୍ଷା କରନ୍ତୁ ବୋଲି ଶ୍ରୀ ପାତ୍ର କହିଛନ୍ତି।