ରାଜଧାନୀ ପ୍ରତିଷ୍ଠା ଦିବସ: ସହରରେ ନାହିଁ ଆଡ୍‌ଭେଞ୍ଚର ପାର୍କ, ବୋଟିଂ ବ୍ୟବସ୍ଥା

ଭୁବନେଶ୍ବର: ସହରୀ ସଭ୍ୟତାର ଅନ୍ୟତମ ମୁଖ୍ୟ ଆକର୍ଷଣ ସାଜେ ପାର୍କ ସଂସ୍କୃତି। କେବଳ ସବୁଜ ଘାସ ଗାଲିଚା ଉପରେ ମର୍ଣ୍ଣିଂ ୱାକ୍‌ କିମ୍ବା ଇଭିନିଂ ୱାକ୍‌ କରିବା ପାଇଁ ନୁହେଁ, ଏକ ରୋମାଞ୍ଚଭରା ଅନୁଭୂତି ସାଉଁଟିବା ପାଇଁ ମଧ୍ୟ ପାର୍କ ସାଜେ ସହରିଆଙ୍କ ବଡ଼ ଆବଶ୍ୟକତା। ଥ୍ରିଲ୍‌ ରାଇଡ୍‌, ରୋପ୍‌ କ୍ଲାଇମ୍ବିଂ, ୱାଟର୍‌ ସ୍ଲାଇଡିଂ, ଅବ୍‌ଷ୍ଟ୍ରା‌କଲ୍‌ କୋର୍ସେସ୍‌, ବୋଲ୍ଡରିଙ୍ଗ୍‌, ରକ୍‌ କ୍ଲାଇମ୍ବିଂ ଓ ବିଭିନ୍ନ ରୋମାଞ୍ଚଭରା କାର୍ଯ୍ୟକଳାପ ରହିଥିବା ପାର୍କ ସହରିଆ ଓ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟେ। କିନ୍ତୁ ରାଜଧାନୀରେ ନାହିଁ ଆଡ୍‌ଭେଞ୍ଚର ପାର୍କ। ପୂର୍ବରୁ ‘ବିଡିଏ ସିଟି ସେଣ୍ଟର’ ଏହି ଆବଶ୍ୟକତା ପୂରଣ କରିବାକୁ କିଛି ମାତ୍ରାରେ ସକ୍ଷମ ହେଉଥିଲା। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଏହି ପାର୍କର ଆକର୍ଷଣ ହଜିଗଲାଣି। ଏଠାରେ ୱାଟର୍‌ ସ୍ଲାଇଡିଂ, ଜଙ୍ଗଲ ଭିଉ, ବିଭିନ୍ନ ପ୍ରକାର ଦୋଳିର ବ୍ୟବସ୍ଥା ରହିଛି। କିନ୍ତୁ ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ୍‌ ଭଳି ବଡ଼ ବଡ଼ ସହରରେ ଯେଉଁଭଳି ପାର୍କର ମଜା ମିଳୁଛି, ତାହା ରାଜଧାନୀବାସୀଙ୍କ ପାଇଁ ସାତ ସପନ ହୋଇ ରହିଛି।

ଭୁବନେଶ୍ବର ପ୍ରାକୃତିକ ବନାନୀ ମଧ୍ୟରେ ପରିପୂର୍ଣ୍ଣ ସହରଟିଏ। ବ୍ୟସ୍ତବହୁଳ ଜୀବନ ଭିତରୁ ଟିକେ ଅବସର ମିଳିଲେ, ସହର ଭିତରେ ଟିକେ ପ୍ରକୃତିର ମଜା ଉଠାଇବାକୁ ରାଜଧାନୀରେ ସେମିତି କୌଣସି ବ୍ୟବସ୍ଥା ନାହିଁ। ସହର ଦେଇ କୁଆଖାଇ ନଦୀ ବହି ଯାଇଥିବା ବେଳେ କେନାଲ ଓ ପ୍ରାକୃତିକ ନାଳରେ ସହର ପରିପୂର୍ଣ୍ଣ। କିନ୍ତୁ ସହର ମଧ୍ୟରେ ବୋଟିଂ ବ୍ୟବସ୍ଥା କରିବାକୁ ବିଏମ୍‌ସି କିମ୍ବା ବିଡିଏ କର୍ତ୍ତୃପକ୍ଷଙ୍କ ମନ ନାହିଁ। ‘ବିଡିଏ ସିଟି ସେଣ୍ଟର୍‌’ରେ ଆଗରୁ ବୋଟିଂ ବ୍ୟବସ୍ଥା ରହିଥିଲା। କିନ୍ତୁ ଏହା ମଧ୍ୟ ଦୀର୍ଘ ଦିନ ଧରି ବନ୍ଦ ରହିଛି। ସେହିଭଳି ଏକାମ୍ର କାନନରେ କରୋନା ପରଠାରୁ ବୋଟିଂ ବ୍ୟବସ୍ଥା ବନ୍ଦ ରହିଛି। ସହର ବାହାରେ ଡେରାସ ଡ୍ୟାମ୍‌ ଓ ନନ୍ଦନକାନନ କାଞ୍ଜିଆ ହ୍ରଦରେ ବୋଟିଂ ବ୍ୟବସ୍ଥା ରହିଛି। କିନ୍ତୁ ଅଳ୍ପ ସମୟ ପାଇଲେ, ସହରଠାରୁ ‌ଏତେ ଦୂରକୁ ଯିବ କିଏ! ସହର ମଧ୍ୟରେ ବହୁ ସଂଖ୍ୟକ ଜଳାଶୟ ରହିଛି। ସେଥିରେ ବୋଟିଂ ବ୍ୟବସ୍ଥା କଲେ, ଜଳାଶୟ ପରିଷ୍କାର ରହିବା ସହ ସହରର ସୌନ୍ଦର୍ଯ୍ୟ ବଢ଼ିବ ଓ ଲୋକେ ଚିତ୍ତବିନୋଦନର ଅବସର ପାଇବେ।

ଅପହଞ୍ଚ ‘ମୋ ବସ୍‌’

ଲୋକେ ଚାହୁଥିଲେ, ବଜାର ହେଉ କି ସ୍କୁଲ-କଲେଜ୍‌ କିମ୍ବା କାର୍ଯ୍ୟାଳୟ, ଯୁଆଡ଼େ ଯିବାକୁ ଚାହିଲେ ଘର ଦୁଆର ମୁହଁରେ ଗାଡ଼ି ପହଞ୍ଚୁଥିବ। ଫେରିବା ବେଳକୁ ବି ଗାଡ଼ି ଆଣି ଘରେ ଛାଡ଼ିଯିବ। କ୍ରମେ ଡିଜେଲ୍‌ ଛାଡ଼ି ବ୍ୟାଟେରିରେ ବସ୍‌ ଚାଲିବ। ସହରରୁ ପ୍ରଦୂଷଣ ଉଭେଇଯିବ। ଦୂର ଜାଗାକୁ ଯିବାକୁ ହେଲେ ନିଜ ଗାଡ଼ି ବାହାରିବ। ଏଭଳି କେବଳ ଲୋକେ ଚାହୁନଥିଲେ ବରଂ ସରକାର ଯୋଜନା କରିଥିଲେ। କ୍ରୁଟ୍‌ ଜରିଆରେ ‘ମୋ ବସ୍‌’ ଯୋଜନା କରାଯାଇଥିଲା। ପ୍ରତି ଗଳି ଦେଇ ଏହି ବସ୍‌ ଯିବାକୁ ଯୋଜନା ହୋଇଥିଲା। ବ୍ୟାଟେରି ଚାଳିତ ବସ୍‌ ଚାଲିବା ଯୋଜନା ମଧ୍ୟ ଥିଲା। ଆବଶ୍ୟକତା ଦୃଷ୍ଟିରୁ ସଂଖ୍ୟା ମଧ୍ୟ ବଢ଼ିବାର ଥିଲା। ଶେଷରେ ଯୋଜନା ମୁତାବକ ‘ମୋ ବସ୍‌’ ଚାଲିଲା। ହେଲେ ଲକ୍ଷ୍ୟ ପୂରଣ ହେଲାନି। କେବଳ ମୁଖ୍ୟ ରାସ୍ତା ଦେଇ ବସ୍‌ ଚାଲିଛି। ଆଗକୁ ବ୍ୟାଟେରି ଚାଳିତ ବସ୍‌ ବି ଆସିବାର ଅଛି। ହେଲେ ସେଥିରେ ଲକ୍ଷ୍ୟ ପୂରଣ ହେବ ନା କେବଳ ବ୍ୟାବସାୟିକ ସଫଳତା ମିଳିବ ତାହା କିଏ କହିବ!

ନିମନ୍ତ୍ରଣପତ୍ରରେ ନାହିଁ ସାଂସଦଙ୍କ ନାଁ

ଭୁବନେଶ୍ୱର: ବୁଧବାର ୭୪ତମ ରାଜଧାନୀ ପ୍ରତିଷ୍ଠା ଦିବସ। ଏଥିପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ହେବାକୁ ଥିବା ରାଜଧାନୀ ପ୍ରତିଷ୍ଠା ଦିବସ ଉତ୍ସବର ନିମନ୍ତ୍ରଣପତ୍ରରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାମ ରଖାଯାଇନାହିଁ। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ବାରା ପ୍ରସ୍ତୁତ ହୋଇଥିବା ଏହି ନିମନ୍ତ୍ରଣପତ୍ରକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏହା କେବଳ ନିୟମ ବହିର୍ଭୂତ ଏବଂ ଅଗାଣତାନ୍ତ୍ରିକ ବିଷୟ ନୁହେଁ, ବରଂ ଅତ୍ୟନ୍ତ ଦୁଃଖ ଏବଂ ପରିତାପ ତଥା ନିନ୍ଦନୀୟ ବିଷୟ ବୋଲି ସାଂସଦଙ୍କ କାର୍ଯ୍ୟାଳୟରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

ରାଜଧାନୀ ପ୍ରତିଷ୍ଠା ଦିବସରେ ରାଜଧାନୀର ସାଂସଦଙ୍କୁ କାହିଁକି ନିମନ୍ତ୍ରଣ ନାହିଁ? ରାଜନୈତିକ ବ୍ୟବସ୍ଥା ସରକାରୀ ଆଇନକାନୁନ, ଶାସନ ଓ ପ୍ରଶାସନଠାରୁ ଊର୍ଧ୍ବ‌ରେ କି? ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧିଙ୍କୁ ସରକାରଙ୍କ ଏପରି ଆଚରଣ ଏବଂ ମନୋଭାବ ସୁସ୍ଥ ସମାଜ ପାଇଁ ଶୁଭଙ୍କର କି ବୋଲି ସାଂସଦଙ୍କ କାର୍ଯ୍ୟାଳୟ ପ୍ରଶ୍ନ କରିଛି।

ସମ୍ବନ୍ଧିତ ଖବର