ରାଜଧାନୀ ପ୍ରତିଷ୍ଠା ଦିବସ: ଚିନ୍ତା ବଢ଼ାଉଛନ୍ତି ସାଇବର୍‌ ଅପରାଧୀ

ଭେଦ କରିପାରୁନି କମିସନରେଟ୍‌ ପୁଲିସ

ହିତେଶ ନାୟକ
ଦିନକୁ ଦିନ ଭୁବନେଶ୍ବରର କଳେବର ବଢ଼ୁଛି। ସହରୀ ଜୀବନର ସବୁ ଅର୍ଥନୈତିକ କାରବାରକୁ ଡିଜିଟାଲାଇଜେସନ୍ କରାଯିବା ଉପରେ ସରକାର ଗୁରୁତ୍ବ ଦେଉଛନ୍ତି। ଅନ୍ୟ ବଡ଼ ସହର ସହ ତା ଦେଇ ଭୁବନେଶ୍ବର ବି ଡିଜିଟାଲ୍‌ମୁହାଁ ହୋଇଛି। ଦୈନନ୍ଦିନ ଜୀବନର ବିଭିନ୍ନ ଦିଗକୁ ଡିଜିଟାଲ୍‌ ପ୍ଲାଟ୍‌ଫର୍ମରେ ଯୋଡ଼ି ଦିଆଯାଇଛି। ଭୁବନେଶ୍ବରରେ ଡିଜିଟାଲ୍‌ କାରବାର ଯେତିକି ବଢ଼ୁଛି, ତାହା ସହ ତାଳ ଦେଇ ସାଇବର୍‌ ଅପରାଧୀ ସେତିକି ସକ୍ରିୟ ହେଉଛନ୍ତି। ଏହା ଏବେ ରାଜଧାନୀବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ସାଇବର୍‌ ଅପରାଧର ଶିକାର ହେଉଥିବା ଲୋକଙ୍କୁ ନ୍ୟାୟ ମିଳିପାରୁନି। କମିସନରେଟ୍‌ ପୁଲିସ ଏପରି ଅପରାଧୀଙ୍କ ନେଟ୍‌ୱର୍କ ଭେଦ କରି ସହରବାସୀଙ୍କ ମଧ୍ୟରେ ବିଶ୍ବାସ ସୃଷ୍ଟି କରାଇପାରୁ ନାହିଁ।

ଆଗକୁ ରାଜଧାନୀର କଳେବର ଆହୁରି ବଢ଼ିବ, ଲୋକ ବଢ଼ିବେ, ବ୍ୟବସାୟ ବଢ଼ିବ। ଏବେଠୁ ସ୍ଥିତି ନ ସଜାଡ଼ିଲେ ଆଗକୁ ଆହୁରି ବିଗିଡ଼ିବାର ଆଶଙ୍କା ରହିଛି। ଯାହାକି ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ସାଇବର୍‌ ଅପରାଧୀମାନେ କାହାକୁ ଷ୍ଟାରମେକର୍‌ରେ ରାତାରାତି ଷ୍ଟାର ବନେଇବାର ସ୍ବପ୍ନ ଦେଖାଉଛନ୍ତି ତ କାହାକୁ ଲଟେରିରେ କୋଟିପତି କରିଦେବାର ସ୍ବପ୍ନ। କାହାର କେୱାଇସି ଅପ୍‌ଡେଟ୍‌। ସେମିତି ସୌକିନ ପ୍ରଡକ୍ଟ ହେଉ କି ଖାଉଟି ଜିନିଷ ବା ସେକେଣ୍ଡହ୍ୟାଣ୍ଡ ଆସବାବପତ୍ରକୁ ଶସ୍ତାରେ ଦେବାର ଲୋଭ ଦେଖାଉଛନ୍ତି। ମେସେଜ୍‌, ହ୍ବାଟସ୍‌ଆପ୍‌ରେ ଭିନ୍ନ ଭିନ୍ନ ଲିଙ୍କ ମାଧ୍ୟମରେ ତଥ୍ୟ ଚୋରି କରୁଛନ୍ତି। ଏମିତି କେତେ କ’ଣ। ଲୋକଙ୍କ ତଥ୍ୟ, ବ୍ୟାଙ୍କ ଡିଟେଲ୍ସ ହାତେଇ କୋଟି କୋଟି ଟଙ୍କା ଲୁଟି ନେଉଛନ୍ତି। ଆଉ ସାଇବର ଠକଙ୍କ ପାଲରେ କେବଳ ଅପାଠୁଆ ନୁହେଁ ଉଚ୍ଚପଦସ୍ଥ ଅଧିକାରୀ, ଉଚ୍ଚ ଶିକ୍ଷିତ, ପ୍ରତିଷ୍ଠିତ ବ୍ୟବସାୟୀ; ଏମିତିକି ନିଜେ ପୁଲିସ ବି ଫସିଛି। ପୁଲିସ ଯେତେ ସଚେତନ କଲେ ବି ସାଇବର ଲୁଟେରା ଆଉ ପାଦେ ଆଗକୁ ଯାଇ ଲୋକଙ୍କୁ ଲୁଟୁଛନ୍ତି।

କୌଣସି ଉପାନ୍ତ ଅଞ୍ଚଳ ନୁହେଁ ଖୋଦ ରାଜଧାନୀରୁ ଗତ ଦେଢ଼ ବର୍ଷ ମଧ୍ୟରେ ସାଇବର ଠକ ୧୨କୋଟିରୁ ଊର୍ଧ୍ବ ଟଙ୍କା ଚଳୁ କଲେଣି। ସ୍ଥିତି ଏଭଳି ହେଲାଣି ଯେ, ନିଜ ସାଙ୍ଗସାଥୀ ଠାରୁ ଆରମ୍ଭ କରି ସମ୍ପର୍କୀୟ; ଏମିତିକି ଘରଲୋକ ଯଦି ବି କୌଣସି ଲିଙ୍କ ପଠାଉଛନ୍ତି ତାହା ଖୋଲିବାକୁ ଡର ଲାଗିଲାଣି। ସାଇବର ଠକଙ୍କ ଜାଲରେ ଲୋକ ଅତିଷ୍ଠ ହେବା ପରେ ସେମାନଙ୍କୁ କାବୁ କରିବା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ସ୍ବତନ୍ତ୍ର ସାଇବର ଥାନା ସାଇବର ଓ ଅର୍ଥନୈତିକ ଅପରାଧ ଶାଖା ପ୍ରତିଷ୍ଠା ହେଲା। ଜ୍ଞାନକୌଶଳରେ ପାରମଙ୍ଗମ ଥିବା ଅଧିକାରୀ, କର୍ମଚାରୀଙ୍କୁ ଦାୟିତ୍ବ ଦିଆଗଲା। ଏହା ସ‌େତ୍ତ୍ବ ଠକେଇ କମିବାର ନାଁ ଧରୁନି, ବରଂ ଠକେଇ ପରିମାଣ ବଢ଼ିବାରେ ଲାଗିଛି। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ, ଯେତେ ସବୁ ଠକେଇ ହେଉଛି ଏହାର ପ୍ରମୁଖ ମୂଳ ଉତ୍ସ ସୋସିଆଲ୍‌ ମିଡିଆ, ଅନ୍‌ଲାଇନ୍‌ ସପିଂ ଏବଂ ଅନ୍‌ଲାଇନ୍‌ ଟ୍ରାଞ୍ଜାକ୍ସନ। ମୁଖ୍ୟ ମାଧ୍ୟମ ମୋବାଇଲ୍‌। ହେଲେ ସାଇବର୍‌ ଲୁଟେରା କିଭଳି ଅନ୍‌ଲାଇନ୍‌ ସପିଂ ସଂସ୍ଥାର ତଥ୍ୟଠାରୁ ଆରମ୍ଭ କରି ବ୍ୟାଙ୍କ ତଥ୍ୟ, ମୋବାଇଲ୍‌ ନମ୍ବର ହାତଉଛନ୍ତି। ପୁଲିସ ଏହି ସଂସ୍ଥାମାନଙ୍କ ପାଖରେ ପହଞ୍ଚିବାରେ ଏ ଯାଏ ସକ୍ଷମ ହୋଇନାହିଁ।

ସମ୍ବନ୍ଧିତ ଖବର