ରାଜଧାନୀ ପ୍ରତିଷ୍ଠା ଦିବସ: ଅଧାରେ ଅଟକିଲା ବିଦେଶକୁ ବିମାନ

ଭୁବନେଶ୍ବର: ୨୦୧୫ ଜୁଲାଇ। ଭୁବନେଶ୍ବର ପାଇଁ ଥିଲା ଐତିହାସିକ ଦିନ। ପ୍ରଥମ ଥର ଲାଗି ବି‌ଦେଶକୁ ବିମାନ ଉଡ଼ାଣ କରିଥିଲା। ସିଧାସଳଖ ନ ହେଲେ ମଧ୍ୟ ‘ହବ୍‌ ଆଣ୍ଡ ସ୍ପୋକ୍’ ମଡେଲ୍‌ରେ ଏୟାର ଇଣ୍ଡିଆର ବିମାନ ଯୋଗେ ଓଡ଼ିଶାର ଯାତ୍ରୀମାନଙ୍କୁ ବିଦେଶକୁ ନିଆଯାଇଥିଲା। ପ୍ରଥମ ଦିନ ଏହି ବିମାନରେ ୧୫୭ ଯାତ୍ରୀ ଥିବା ବେଳେ ସେଥିରୁ ୩୮ ଜଣ ବିଦେଶକୁ ଯିବା ଲାଗି ଟିକେଟ୍‌ କରିଥିଲେ। ଏଭଳି ମଡେଲ୍‌କୁ ରାଜ୍ୟ ସରକାରଙ୍କ ବିରୋଧ ସତ୍ତ୍ବେ ଅତି ଜାକଜମକର ସହ କେନ୍ଦ୍ରମନ୍ତ୍ରୀମାନେ ଉଦ୍‌ଘାଟନ କରିଥିଲେ। ପରବର୍ତୀ ସମୟରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଯୋଗରେ ଗୋଟିଏ ପରେ ଗୋଟିଏ ବିମାନ କମ୍ପାନି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବିଦେଶକୁ ସିଧାସଳଖ ବିମାନ ଉଡ଼ାଇବାକୁ ଆଗ୍ରହ ଦେଖାଇଲେ। ଏୟାର ଏସିଆ ପକ୍ଷରୁ ଭୁବନେଶ୍ବରରୁ କ୍ବାଲାଲମ୍ପୁରକୁ ବିମାନ ଉଡ଼ାଣ କରିଥିଲା। ଏୟାର ଇଣ୍ଡିଆ ପକ୍ଷରୁ ସିଧାସଳଖ ବ୍ୟାଙ୍କ୍‌କକୁ ବି ବିମାନ ସେବା ଆରମ୍ଭ ହାଇଥିଲା। ଲାଗୁଥିଲା ଖୁବ୍‌ କମ୍‌ ଦିନ ମଧ୍ୟରେ ବିଦେଶକୁ ଅଧିକରୁ ଅଧିକ ବିମାନ ଉଡ଼ାଣ କରିବ। ଦୁବାଇ, କଲମ୍ବୋ, ସିଙ୍ଗାପୁର, କାଠମାଣ୍ଡୁ ପରି ସହରକୁ ବିମାନ ସେବା ଆରମ୍ଭ କରିବା ନେଇ ରୂପରେଖ, ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିଲା। ମାତ୍ର ତାହା ଫଳପ୍ରଦ ହୋଇନାହିଁ।

କରୋନା ଯୋଗୁଁ ବିଦେଶକୁ ବିମାନ ସେବା ସମ୍ପୂର୍ଣ୍ଣ ଭାବେ ଠପ୍‌ ହୋଇଯାଇଛି। ୨୫ ମାସ ହେଲା ଗୋଟିଏ ବି ବିମାନ ଉଡ଼ି ପାରିନାହିଁ। ଦୁଇ ବର୍ଷର ବ୍ୟବଧାନ ପରେ ଗତ ମାର୍ଚ୍ଚ ୨୭ରୁ ସାରା ଦେଶରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ ହୋଇଛି। ଏଥିପାଇଁ ବିମାନ ଉଡ଼ାଣକାରୀ ସଂସ୍ଥାଗୁଡ଼ିକ ସେମାନଙ୍କ ଉଡ଼ାଣ ସୂଚୀ ଡିଜିସିଏ ନିକଟରେ ଦାଖଲ କରିଥିଲେ ମଧ୍ୟ ଓଡ଼ିଶାରୁ ବିଦେଶକୁ ସେବା ଯୋଗାଇକୁ ଆଗ୍ରହ ଦେଖାଇ ନାହାନ୍ତି। ଯେଉଁଥିପାଇଁ ଓଡ଼ିଶାର ଲୋକଙ୍କୁ ବିଦେଶକୁ ଯିବାକୁ ହେଲେ ଏବେ ବି ଅନ୍ୟ ରାଜ୍ୟକୁ ଯିବାକୁ ପଡ଼ୁଛି। ରାଜ୍ୟ ସରକାର ଘରୋଇ ବିମାନ ଉଡ଼ାଣରୁ ଆରମ୍ଭ କରି ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପର୍ଯ୍ୟନ୍ତ ସବୁଥିରେ ସବ୍‌ସିଡି ଦେଉଥିବା ବେଳେ ବିମାନ ଉଡ଼ାଣକାରୀ ସଂସ୍ଥାଗୁଡ଼ିକ କାହିଁକି ଓଡ଼ିଶାରୁ ବିମାନ ଉଡ଼ାଣ କରିବାକୁ ରାଜି ହେଉନାହାନ୍ତି, ସେନେଇ ବି ପ୍ରଶ୍ନ ଉଠିଲାଣି।

ସେପଟେ କିଛି ମାସ ତଳେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଓଡ଼ିଶାରୁ ବିଦେଶକୁ ବିମାନ ସେବା ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଥିବା ଦର୍ଶାଇଥିଲେ। କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର ଭୁବନେଶ୍ୱରରୁ ଦୁବାଇ, ଆବୁଧାବି, ବ୍ୟାଙ୍କକ୍, କ୍ୱାଲାଲମ୍ପୁର, କଲମ୍ବୋ, ସିଙ୍ଗାପୁର ଓ କାଠମାଣ୍ଡୁକୁ ବିମାନ ଚଳାଇ ପାରିବେ। ତେବେ ଏଥିପାଇଁ ରାଜ୍ୟ ସରକାରଙ୍କୁ ଶତପ୍ରତିଶତ ଭିଜିଏଫ୍ ଯୋଗାଇବାକୁ ହେବ। ରାଜ୍ୟ ସରକାର ସହମତି ଦେଲେ, ଏସବୁ ରୁଟ୍‌ରେ ବିମାନ ଚଳାଚଳ ଉଦ୍ଦେଶ୍ୟରେ ବିମାନ ସଂସ୍ଥାଙ୍କ ଲାଗି ବିଡ୍ ଖୋଲାଯିବ ବୋଲି କହିଥିଲେ। ଜବାବରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଥିଲେ ଯେ କିଛି ଦିନ ତଳେ ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଆସିଛି। ଏଥିରେ କେନ୍ଦ୍ର ପକ୍ଷରୁ ବିଭିନ୍ନ ସର୍ତ୍ତ ରଖାଯାଇଛି। ସରକାର ଏ ସମ୍ପର୍କରେ ଆଲୋଚନା ପରେ ଆବଶ୍ୟକତା ଆଧାରରେ ଉପଯୁକ୍ତ ନିଷ୍ପତ୍ତି ନେବେ।

କେନ୍ଦ୍ର ଓ ରାଜ୍ୟ ଟଣାଓଟରା ମଧ୍ୟରେ ବିଦେଶୀକୁ ବିମାନ ଉଡ଼ାଣ ଅଟକି ରହିଛି। ଭୁବନେଶ୍ୱରରୁ ବିଦେଶର ୭ ସହରକୁ ବିମାନ ଉଡ଼ିବ ତ? ଯଦି ଉଡ଼ିବ, ଏହା କେତେ ସଫଳ ହେବ? ଉଡ଼ାଣ ଲାଗି ରାଜ୍ୟ ସରକାର ଭାଏବଲ୍ ଗ୍ୟାପ୍ ଫଣ୍ଡ୍‌ ଯୋଗାଇବାକୁ ରାଜି ହେବେ ତ? ଏଭଳି ପ୍ରଶ୍ନ ଉଙ୍କି ମାରୁଥିବା ବେଳେ କେବେ ରାଜ୍ୟ ସରକାର ନିଷ୍ପତ୍ତି ନେବେ ତାହାକୁ ଅନେଇ ବସିଛନ୍ତି ରାଜ୍ୟବାସୀ।

ସମ୍ବନ୍ଧିତ ଖବର