କାର୍ବନ ନିଷ୍କାସନର ଉଦ୍‌ବେଗ ଚିତ୍ର: ସମୃଦ୍ଧ ଦେଶଠାରୁ ବି ଓଡ଼ିଶା ଆଗରେ

ସିୱାଇଏସଡିର ପ୍ରତିଷ୍ଠା ଦିବସ

ଭୁବନେଶ୍ବର: ମୁଣ୍ଡପିଛା ଆୟରେ ଡେନମାର୍କ ଭଳି ଅନେକ ସମୃଦ୍ଧ ରାଷ୍ଟ୍ର ଠାରୁ ପଛରେ ଓଡ଼ିଶା। କିନ୍ତୁ କାର୍ବନ ନିଷ୍କାସନରେ ଅନ୍ୟମାନଙ୍କୁ ଟପି ଯାଇଛି ରାଜ୍ୟ। ଅର୍ଥାତ ଓଡ଼ିଶାର ମୁଣ୍ଡପିଛା କାର୍ବନ (ଅଙ୍ଗାରକ) ନିଷ୍କାସନ ସାଢେ ୬ ଟନ୍‌ରେ ପହଞ୍ଚିଛି, ଯାହା ଡେନମାର୍କ (୫ ଟନ୍‌) ଠାରୁ ଏହା ଅଧିକ। କେବଳ ସେତିକି ନୁହେଁ, ଜାତୀୟ ହାର ଠାରୁ ମଧ୍ୟ ଏ କ୍ଷେତ୍ରରେ ରାଜ୍ୟ ହାର ତିନି ଗୁଣ ଅଧିକ ଅଟେ। ଏଭଳି ସ୍ଥିତିରେ ପ୍ରାକୃତିକ ଚାଷ କରୁଥିବା ବ୍ୟକ୍ତି ହିଁ ସର୍ବଶ୍ରେଷ୍ଠ ସମ୍ମାନଯୋଗ୍ୟ ବ୍ୟକ୍ତି ଅଟନ୍ତି। ଯୁବ ଓ ସମାଜ ବିକାଶ କେନ୍ଦ୍ର (ସିୱାଇଏସଡି)ର ୪୨ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଏମିତି ମତ ରଖିଛନ୍ତି ଜାତିସଂଘର ପୂର୍ବତନ ପରିବେଶ ମୁଖ୍ୟ ତଥା ଗ୍ଲୋବାଲ ଏଲାୟନ୍ସ ସଷ୍ଟେନେବଲ ପ୍ଲାନେଟ୍‌ର ସାଧାରଣ ସମ୍ପାଦକ ସତ୍ୟ ତ୍ରିପାଠୀ। ‘୨୦୩୬ ସୁଦ୍ଧା ଓଡ଼ିଶାର ସବୁଜ ଅର୍ଥନୀତି ପଥ’ ଶୀର୍ଷକ ବକ୍ତୃତାମାଳାରେ ଶ୍ରୀ ତ୍ରିପାଠୀ କହିଛନ୍ତି, ଓଡ଼ିଶାରେ କେବଳ ମଣିଷ ନୁହେଁ, ୬୦ ଲକ୍ଷ ପ୍ରଜାତିର ଜୀବ ଅଛନ୍ତି। ଆମେ ଦେଖିନଥିବା ପ୍ରଭୁଙ୍କୁ ସିନା ପୂଜା କରୁଛୁ କିନ୍ତୁ ଦେଖିପାରୁଥିବା ପ୍ରଭୁ ପ୍ରକୃତିକୁ ନଷ୍ଟ କରି ଚାଲିଛୁ। ପଞ୍ଚତତ୍ତ୍ବ ବର୍ତ୍ତମାନ ଅବକ୍ଷୟମୁଖୀ। ଖଣି ଖନନ ବୃଦ୍ଧି ସହିତ ରସାୟନିକ ପଦ୍ଧତିରେ ଚାଷ ଯୋଗୁଁ ଇଥେନ୍‌ ନିଷ୍କାସନ ବଢୁଛି। କର୍କଟ, ରକ୍ତହୀନତା ଭଳି ରୋଗ ୮୫% ବଢିଛି। ସ୍ଥିତି ଏଭଳି ହୋଇଛି ଯେ ସାଧାରଣ ବର୍ଗର ଗରିବ ଲୋକଙ୍କ ପାଇଁ ଘରୋଇ ଚିକିତ୍ସାଳୟରେ ଖର୍ଚ୍ଚ କରିବା ସମ୍ଭବ ନୁହେଁ। ସେମାନେ ଦୂର ପଥ ଅତିକ୍ରାନ୍ତ କରି ବଡ଼ ସରକାରୀ ଡାକ୍ତରଖାନାକୁ ଆସିବା ମଧ୍ୟ କାଠିକର ପାଠ ହୋଇପଡ଼ିଛି।

ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ଲୋକଙ୍କ ସଂଖ୍ୟା ଦେଖିଲେ ଅନେକ ତଥ୍ୟ ପଦାରେ ପଡ଼ୁଛି। କାର୍ବନ ନିଷ୍କାସନ ବୃଦ୍ଧି ଯୋଗୁଁ ବଢୁଥିବା ସ୍ବାସ୍ଥ୍ୟ ସମସ୍ୟାର ମୁକାବିଲା ପାଇଁ ହିଁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଏତେ ସ୍ବାସ୍ଥ୍ୟ ବୀମା ଯୋଜନା କରିଛନ୍ତି। ଏସବୁ ସମସ୍ୟା ସଂପର୍କରେ ଜାଣିବା ପରେ ଏହାର ସମାଧାନ ପାଇଁ ବର୍ତ୍ତମାନ ଆନ୍ଧ୍ରପ୍ରଦେଶରେ ପ୍ରାକୃତିକ ଚାଷକୁ ପ୍ରୋତ୍ସାହିତ କରାଯାଉଛି। ଏଥିଲାଗି ସେଠାରେ ୧ ହେକ୍ଟର ପ୍ରାକୃତିକ ଚାଷ ପାଇଁ ୪୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦିଆଯାଉଛି। ଏହି ଚାଷୀମାନେ ହିଁ ମାଟିର ଉପଯୁକ୍ତ ସୁରକ୍ଷା ପାଇଁ କାର୍ଯ୍ୟ କରୁଛନ୍ତି। ପ୍ରାକୃତିକ ଚାଷ ଜରିଆରେ ୩୬୫ ଦିନ ଜମିକୁ ସବୁଜୀକରଣ କରାଯାଇ ପାରିବ। ଶ୍ରୀ ତ୍ରିପାଠୀ କହିଥିଲେ, କାର୍ବନ ଖର୍ଚ୍ଚ କମାଇବା ପାଇଁ ପ୍ରତ୍ୟେକ ଦେଶ ପ୍ରତିଶ୍ରୁତିବଦ୍ଧ। ୨୦୨୦ ସୁଦ୍ଧା କାର୍ବନ ନିଷ୍କାସନ ପାଇଁ ବିକଶିତ ଦେଶମାନଙ୍କୁ ଯେଉଁ ପରିମାଣରେ ଟଙ୍କା ଦେବାକୁ କୁହାଯାଇଛି କେହି ଦେଉ ନାହାନ୍ତି। ଭାରତ ମଧ୍ୟ ଏଥିପାଇଁ ଚୁକ୍ତିନାମା ହସ୍ତାକ୍ଷର କରିଛନ୍ତି। ପ୍ରାକୃତିକ ଚାଷ ଜରିଆରେ ଏହି ଲକ୍ଷ୍ୟ ପୂରଣ ହେବ। ଜଙ୍ଗଲ ସୁରକ୍ଷା ଦେଉଥିବା ଆଦିବାସୀମାନେ ହିଁ ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ସେ କହିଥିଲେ। ଏହି ଅବସରରେ ସେ ଇଣ୍ଡୋନେସିଆର ରବର ଚାଷର ମଧ୍ୟ ଉଦାହରଣ ଦେଇଥିଲେ। ସିୱାଇଏସଡିର ପ୍ରତିଷ୍ଠାତା ସଦସ୍ୟ ଜଗଦାନନ୍ଦ କହିଥିଲେ, ଓଡ଼ିଶାରେ ପ୍ରାକୃତିକ ଚାଷ ହେଉଥିଲେ ମଧ୍ୟ ଏହା ଆନ୍ଧ୍ର ଭଳି ସୁଦୂର ପ୍ରସାରୀ ହୋଇ ପାରି ନାହିଁ। ଏହି ଅବସରରେ ଚନ୍ଦ୍ର ସଗରିଆ, ଦୁରିଆ ମହିଳା ସଂଘର କାବେରି, ରାଏମତି, ସିୱାଇଏସଡିର ଆନନ୍ଦ ମଲ୍ଲିକ ଏବଂ ସଂଘମିତ୍ରାଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ସହପ୍ରତିଷ୍ଠାତା ପ୍ରଫୁଲ୍ଲା ସାହୁ ମଧ୍ୟ ମଞ୍ଚାସୀନ ଥିଲେ।

ସମ୍ବନ୍ଧିତ ଖବର