ବଙ୍ଗାଳୀ ନନ୍ଦଙ୍କୁ କେନ୍ଦ୍ର ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର

‘ନେଲ୍ଲୁରି କେଶବସ୍ବାମୀଙ୍କ ଶ୍ରେଷ୍ଠ ଗଳ୍ପ’ର ଅନୁବାଦ ପାଇଁ ପାଇବେ ପୁରସ୍କାର

ଭୁବନେଶ୍ବର: ୨୦୨୩ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର ପାଇବେ ବିଶିଷ୍ଟ ଲେଖକ ଓ ଅନୁବାଦକ ବଙ୍ଗାଳୀ ନନ୍ଦ। ‘ନେଲ୍ଲୁରି କେଶବସ୍ବାମୀଙ୍କ ଶ୍ରେଷ୍ଠ ଗଳ୍ପ’ ଅନୁବ‌ାଦ ପାଇଁ ସେ ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଅକାଦେମିର ଦିଲ୍ଲୀ କାର୍ଯ୍ୟାଳୟରେ ଏହି ଘୋଷଣା ହୋଇଛି। ପ୍ରସିଦ୍ଧ ତେଲୁଗୁ ଲେଖକ ନେଲ୍ଲୁରି କେଶବସ୍ବାମୀଙ୍କ ଗଳ୍ପ ସଙ୍କଳନ ତଥା ଗୁଡ଼ୁରି ସୀତାରାମଙ୍କ ସଂପାଦିତ ‘ନେଲ୍ଲୁରି କେଶବସ୍ବାମୀ ଉଥମା କଥାଲୁ’ର ଓଡ଼ିଆ ଅନୁବ‌ାଦ ହେଉଛି ‘ନେଲ୍ଲୁରି କେଶବସ୍ବାମୀଙ୍କ ଶ୍ରେଷ୍ଠ ଗଳ୍ପ’। ୨୦୧୯ ମସିହାରେ ନ୍ୟାସନାଲ ବୁକ୍‌ ଟ୍ରଷ୍ଟ, ଇଣ୍ଡିଆ ପକ୍ଷରୁ ଏହା ପ୍ରକାଶ ପାଇଥିଲା। ପୁରସ୍କାର ସ୍ବରୂପ ଶ୍ରୀ ନନ୍ଦଙ୍କୁ ଏକ ତାମ୍ରଫଳକ ସହ ୫୦ ହଜାର ଟଙ୍କା ପ୍ରଦାନ କରାଯିବ।

ତେଲୁଗୁ କଥା ସାହିତ୍ୟର ଇତିହାସରେ ତେଲେଙ୍ଗାନା ଅଞ୍ଚଳର ସାମାଜିକ, ସାଂସ୍କୃତିକ, ରାଜନୈତିକ ଓ ଐତିହାସିକ ବିବର୍ତ୍ତନକୁ ପ୍ରତିଫଳିତ କରିବା କ୍ଷେତ୍ରରେ ନେଲ୍ଲୁରି କେଶବସ୍ୱାମୀଙ୍କ ଭୂମିକା ଉଲ୍ଲେଖଯୋଗ୍ୟ। ସେ ‘ଚାରମିନାର କଥାଲୁ’ ଗଳ୍ପ ସଂକଳନ ପାଇଁ ଆନ୍ଧ୍ରପ୍ରଦେଶ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି। ଏଭଳି ଜଣେ ବହୁଚର୍ଚ୍ଚିତ କଥାଶିଳ୍ପୀଙ୍କ ଗଳ୍ପ ସଙ୍କଳନ ‘ନେଲ୍ଲୁରି କେଶବସ୍ବାମୀ ଉଥମା କଥାଲୁ’ର ଓଡ଼ିଆ ଅନୁବାଦ ପାଇଁ ତେଲୁଗୁ ସାହିତ୍ୟର ଓଡ଼ିଆ ରୂପାନ୍ତର କ୍ଷେତ୍ରରେ ସୁପରିଚିତ ଅନୁବାଦକ ବଙ୍ଗାଳୀ ନନ୍ଦଙ୍କୁ ଏନ୍‌ବିଟି ପକ୍ଷରୁ ଦାୟିତ୍ବ ଦିଆଯାଇଥିଲା। ‌୨୦୧୯ ମସିହାରେ ଏହାର ଓଡ଼ିଆ ଅନୁବାଦ ପୁସ୍ତକ ପ୍ରକାଶ ପାଇଥିଲା। ୨୧୫ ପୃ୍ଷ୍ଠାର ଗଳ୍ପ ସଙ୍କଳନରେ ‘ସୁବର୍ଣ୍ଣ ପ୍ରତିମା’, ‘ଅଭ୍ୟାସ’, ‘ଦୀର୍ଘଶ୍ବାସ’, ‘ଆତ୍ମୀୟତା’, ‘ଜନତା, ଅଫିସର, ମନ୍ତ୍ରୀ’, ‘ଖିରି ଉତୁରା’, ‘ଦିଦୀର ବାହାଘର’, ‘ସ୍ବାଭିମାନୀ’, ‘ପରୀକ୍ଷା’, ‘ଅତିଥି’, ‘ବିମୁକ୍ତି, ‘ପ୍ରଥମ ସଂଯୋଗ’, ‘ରୁହି ଅପା’, ‘ସରିଫା’, ‘ପ୍ରତିଶୋଧ’, ‘ସୌଭାଗ୍ୟ’, ‘ଯୁଗାନ୍ତ’, ‘ବଂଶାଂକୁର’, ‘ଆମେ କେବଳ ମଣିଷ’, ‘ଭରଷା’ ଓ ‘ଶେଷ ଉପହାର’ ଭଳି ୨୧ଟି ଚମତ୍କାର ଗଳ୍ପ ସ୍ଥାନ ପାଇଛି।

ଏନେଇ ଅନୁବାଦକ ଶ୍ରୀ ନନ୍ଦ କହିଛନ୍ତି, ଏବେ ମୋର ବୟସ ୭୭ ବର୍ଷ। ଅନୁବାଦ ପାଇଁ କେନ୍ଦ୍ର ସାହିତ୍ୟ ଅକା‌ଦେମି ପୁରସ୍କାର ପାଇଁ ମନୋନୀତ ହେବା ଖୁସିର କଥା। ଏହି ଗଳ୍ପ ସଙ୍କଳନରେ ଅନେକ ଗୁଡ଼ିଏ ଗଳ୍ପ ରହିଛି ଯାହା ଆମ ବିଚାରଧାରାକୁ ପରିବର୍ତ୍ତନ କରିପାରିବ। ସଙ୍କଳନରେ ମୁସଲମାନମାନଙ୍କ ଚାଲିଚଳଣି ସମ୍ପର୍କରେ ଥିବା କିଛି ଗଳ୍ପ ସେମାନଙ୍କ ପ୍ରତି ଥିବା ଭିନ୍ନ ପ୍ରକାର ଧାରଣା ଦୂର କରିବ ଓ ଆଦର, ସ୍ନେହ ଭାବ ବଢ଼ିବ। ଏଭଳି ଏକ ଭଲ ବହିକୁ ଚୟନ କରିଥିବା ଚୟନ କମିଟିକୁ ଧନ୍ୟବାଦ ଜଣାଉଛି। ଅନୁବାଦକ ଶ୍ରୀ ନନ୍ଦଙ୍କ ଘର ରାୟଗଡ଼ା ଜିଲ୍ଲା ଗୁଣୁପୁରର ଚାଲକମ୍ବା ଗାଁରେ। ସେ ପ୍ରଧାନ ଶିକ୍ଷକ ଭାବେ ୨୦୦୫ରେ ଅବସର ନେଇଛନ୍ତି। ଇଂରାଜୀ, ବଙ୍ଗଳା, ତେଲୁଗୁ ଓ ହିନ୍ଦୀ ଭାଷାର ଅନୁବାଦକ ଭାବେ ସେ ବେଶ୍‌ ଜଣାଶୁଣା। ଏବେ ସୁଦ୍ଧା ତାଙ୍କର ୧୧ ଅନୁବାଦ, ୨ଟି ମୌଳିକ କବିତା ଓ ଗୋଟିଏ ତେଲୁଗୁ ଗୀତି କବିତା ସଙ୍କଳନ ପ୍ରକାଶ ପାଇଛି। ‘ସମୟକୁ ଶୋଇବାକୁ ଦେବିନି’, ‘ନିଶୀଥର ସୂର୍ଯ୍ୟ’, ‘ସଲିମଙ୍କ ନିର୍ବାଚିତ ଗଳ୍ପ’ ତାଙ୍କର ଉଲ୍ଲେଖନୀୟ ଅନୁବାଦକୃତି।

ସମ୍ବନ୍ଧିତ ଖବର