ବସିଲା ବିଜୁଳି ଛାଟ, କଟିଲା ୧୫୪୫ ସଂଯୋଗ

ରେକର୍ଡ ପରିମାଣର ବକେୟା ଆଦାୟ, ଗୋଟିଏ ଦିନରେ ୫ କୋଟି୩୮ ଲକ୍ଷ

ଭୁବନେଶ୍ୱର : ଘୋଷଣା ମୁତାବକ ସେସୁ ଉପଭୋକ୍ତାଙ୍କ ବିଜୁଳି ସଂଯୋଗ ଆଜି ଠାରୁ ବିଚ୍ଛିନ୍ନ କରିବା ଆରମ୍ଭ କରିଛି। ପ୍ରଥମ ଦିନରେ ୧୫୪୫ଟି ବାଣିଜ୍ୟିକ ସଂଯୋଗ ବିଚ୍ଛିନ୍ନ କରାଯାଇଥିବା ବେଳେ ରେକର୍ଡ ସଂଖ୍ୟକ ଦେୟ ମଧ୍ୟ ଆଦାୟ କରାଯାଇଛି। ଗୋଟିଏ ଦିନରେ ୫ କୋଟି ୩୮ଲକ୍ଷ ୯୮ ହଜାର ବକେୟା‌ ରାଶି ଆଦାୟ ହୋଇଛି। ଏହା ଛଡ଼ା ଅନେକ ଅନ୍‌ଲାଇନ୍‌ ଦେୟ ମଧ୍ୟ ଆସିଛି। ତାହାକୁ ହିସାବକୁ ନେଲେ ଏହି ଆଦାୟ ରାଶି ୬ କୋଟି ପହଞ୍ଚିବ ବୋଲି ଅନୁମାନ କରାଯାଉଛି। ଏହି ଆଦାୟ କରିବା ପାଇଁ ୫୩୩ଟି ସ୍ବତନ୍ତ୍ର ସ୍କ୍ବାଡ୍‌ ୧୩ ହଜାର ୪୧୧ଟି ବାଣିଜ୍ୟିକ ପ୍ରତିଷ୍ଠାନ ବୁଲିଥିଲେ। ସହିଦ୍‌ନଗର ଓ ବରମୁଣ୍ଡା ଅଞ୍ଚଳରେ ବାକି ପଡ଼ିଥିବା ସମସ୍ତ ବାଣିଜ୍ୟିକ ପ୍ରତିଷ୍ଠାନର ଦେୟ ଆଦାୟ ହୋଇଛି।

ବାକି ପଡ଼ିଥିବା ଦେୟ ନ ଦେଲେ ବିଜୁଳି ସଂଯୋଗ କାଟିବା ପାଇଁ ଘୋଷଣା କରିବା ପରେ ସେସୁ ବିଲ୍‌ ସମୀକ୍ଷା ପାଇଁ ୩ ହଜାର ୯୭୧ଟି ଅଭିଯୋଗ ପାଇଥିଲା। ସେଥିରୁ ୨ ହଜାର ୩୪୬ଟି ଉପଭୋକ୍ତାଙ୍କୁ କିସ୍ତିରେ ଦେବାପାଇଁ ସୁଯୋଗ ଦିଆଯାଇଥିବା ସେସୁ ସୂଚନା ଦେଇଛି।

ଲୋକମାନଙ୍କୁ ବକେୟା ଜମା କରିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ଦିଆଯାଇଥିଲା। ଆଜି ସକାଳୁ ସମସ୍ତ ଡିଭିଜନ୍‌ ଓ ସେକ୍ସନରେ ବିଲ୍‌ ଆଦାୟ କାଉଣ୍ଟର ସକାଳୁ ଖୋଲା ଯାଇଥିଲା। ପ୍ରଥମ ପର୍ଯ୍ୟାୟରେ କେବଳ ବାଣିଜ୍ୟିକ ପ୍ରତିଷ୍ଠାନରୁ ବକେୟା ଆଦାୟ ପାଇଁ ଯୋଜନା ହୋଇଛି। ସେହି ସମୟରେ ଘରୋଇ ଉପଭୋକ୍ତା ସେମାନଙ୍କ ବକେୟା ଜମା କରିବା ପାଇଁ ସୁଯୋଗ ଦିଆଯାଇଛି।

ପ୍ରାୟ ୧୪ ହଜାର ଉପଭୋକ୍ତା ବିଜୁଳି ବିଲ୍‌ ବାବଦକୁ ସେମାନଙ୍କର ବକେୟା ରାଶି ସ୍ବତଃପ୍ରବୃତ୍ତ ଭାବରେ ଆସି ଜମା କରିଛନ୍ତି। ଅନ୍ୟମାନେ ମଧ୍ୟ ଏଭଳି ଜମା କରିବା ପାଇଁ ସେସୁ ପକ୍ଷରୁ ଅନୁରୋଧ କରାଯାଇଛି। ସୂଚନା ମୁତାବକ, କଟକ ସିଇଡି-୧ ଓ ସିଇଡି ଅଞ୍ଚଳରୁ ସର୍ବାଧିକ ୨୧୬ ଲେଖାଏଁ ସଂଯୋଗ ବିଚ୍ଛିନ୍ନ ହୋଇଛି। ବିସିଡିଡି-୨ରୁ ୨୧୫ ସଂଯୋଗ ବିଚ୍ଛିନ୍ନ ହୋଇଥିବା ବ‌େଳେ ୬୭ ଲକ୍ଷ ୧୮ ହଜାର ଆଦାୟ ହୋଇଛି। ତାଳଚେରରୁ ୧୬୨ ସଂଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ୨୧ ଲକ୍ଷ ଆଦାୟ ହୋଇଛି। ଭୁବନେଶ୍ବର ବିଇଡିରୁ ୧୪୬ ସଂଯୋଗ ବିଚ୍ଛିନ୍ନ ହୋଇଛି। ୬୯ ଲକ୍ଷ ୪୨ ହଜାର ଆଦାୟ ହୋଇଛି। ନୟାଗଡ଼ରୁ ଶହେ ସଂଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ୩୬ ଲକ୍ଷ ୮୬ ହଜାର ଆଦାୟ ହୋଇଛି। ପୁରୀରୁ ୫୦ ସଂଯୋଗ ବିଚ୍ଛିନ୍ନ ହୋଇ ଥିବା ବେଳେ ନିମାପଡ଼ାରୁ ୫୮ ସଂଯୋଗ ବିଚ୍ଛିନ୍ନ ହୋଇଛି।

ସମ୍ବନ୍ଧିତ ଖବର