ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ଡିଜିଟାଲ୍‌କରଣ ଆହ୍ବାନ

ଭୁବନେଶ୍ବର: କରୋନା ମହାମାରୀ ମାନବ ସମାଜ ପାଇଁ ଘାତକ ସାବ୍ୟସ୍ତ ହୋଇଥିବା ବେଳେ ଏହାର ଭଲ ଦିଗଟି ହେଉଛି ବିଭିନ୍ନ କ୍ଷେତ୍ରରେ ଥିବା ଦୋଷ ଦୁର୍ବଳତାକୁ ଏହା ସାମ୍ନାକୁ ଆଣିଛି। ଡିଜିଟାଲ୍‌କରଣର ଶକ୍ତି କ’ଣ ତାହା ଏହା ଜଣାଇ ଦେଇଛି। ଯେଉଁମାନେ ଡିଜିଟାଲ୍ କ୍ଷେତ୍ରରେ ସକ୍ରିୟ ଥିଲେ ସେମାନେ ନିଜ କାର୍ଯ୍ୟ ଜାରି ରଖିବାରେ ସଫଳ ହୋଇଛନ୍ତି। ଜୁମ୍‌ରେ ବୈଠକ ଆୟୋଜନ କରିବା ଠାରୁ ଆରମ୍ଭ କରି ଅନ୍‌ଲାଇନ୍‌ରେ ପାଠପଢ଼ା ପର୍ଯ୍ୟନ୍ତ ଅନେକ କାର୍ଯ୍ୟ ସମ୍ଭବ ହୋଇଛି। ଇଣ୍ଟରନେଟ୍‌ ଯୋଗାଯୋଗର ଏକ ପ୍ରମୁଖ ମାଧ୍ୟମ ଭାବେ ଉଭା ହୋଇଛି। ମାଇକ୍ରୋସଫ୍ଟ ଟିମକ୍ ଓ ଜୁମ୍‌ ଭଳି ପ୍ଲାଟଫର୍ମର ବ୍ୟବହାର ବଢ଼ିଛି। ସାରା ଦୁନିଆ ଏକ ନୂତନ ସ୍ବାଭାବିକ ସମୟକୁ ଗ୍ରହଣ କରିଛି। ଏଭଳି ଏକ ସମୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍‌ଏମ୍ଇ) କ୍ଷେତ୍ରର ଡିଜିଟାଲ୍‌କରଣ କରିବା ଏକ ବଡ଼ ଆହ୍ବାନ ଭାବେ ଉଭା ହୋଇଛି। ଡିଜିଟାଲ୍‌ ଉପକରଣ ବ୍ୟବହାର କରି ଏମ୍ଏସ୍‌ଏମ୍ଇଗୁଡ଼ିକ ଅନେକ କାର୍ଯ୍ୟ କରିପାରିବେ। ଅନ୍‌ଲାଇନ୍‌ରେ ଋଣ ପାଇଁ ଆବେଦନ କରିପାରିବେ, ଅନ୍‌ଲାଇନ୍‌ରେ ସାମଗ୍ରୀ ବରାଦ ଦେଇପାରିବେ, କଞ୍ଚାମାଲ୍ ମଗାଇପାରିବେ, ଟିକସ ପଇଠ କରିପାରିବେ ଓ ସାମଗ୍ରୀଗୁଡ଼ିକୁ ବିଶ୍ବ ବଜାରରେ ଉପସ୍ଥାପିତ କରି ବିକ୍ରି କରିପାରିବେ। ‌ଏହି ସବୁ ସୁଯୋଗ ହାତେଇବାକୁ ହେଲେ କ୍ଷୁଦ୍ର ଓ ମଧ୍ୟମ ସଂସ୍ଥାଗୁଡ଼ିକୁ ଡିଜିଟାଲ୍ ବ୍ୟବସ୍ଥାକୁ ଗ୍ରହଣ କରିବାକୁ ହେବ।

ସମ୍ବନ୍ଧିତ ଖବର