ଛତିଶଗଡ଼ ହମ୍‌ଲା : ସଫେଇ ଦେଲା ମାଓ ସଂଗଠନ, ‘ଗଣମାଧ୍ୟମ ପ୍ରତିନିଧି ବୋଲି ଜାଣିନଥିଲୁ’

ମାଲକାନଗିରି : ଆମେ ଭ୍ରଷ୍ଟାଚାରୀ ‌େନାହୁଁ କିମ୍ବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଆମେ ହତ୍ୟା କରିନାହୁଁ। ଆମେ ପୁଲିସ୍‌ ଉପରେ ଆକ୍ରମଣ କରିଛୁ। ଗଣମାଧ୍ୟମ ପ୍ରତିନିଧି ସେମାନଙ୍କ ସହ ରହିଥିବାରୁ ଏଭଳି ଘଟଣା ଘଟିଲା ବୋଲି ମାଓ ସଂଗଠନର ଦରଭା ଡିଭିଜନାଲ କମିଟିର ସଚିବ ସାଇନାଥ ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି। ଗତ ୩୦ ତାରିଖ ଦିନ ପଡୋଶୀ ଛତିଶଗଡର ଦନ୍ତେଵାଡା ଜିଲ୍ଲାରେ ମାଓବାଦୀଙ୍କ ହମଲାରେ ତିନି ଜଣ ଯବାନଙ୍କ ସହ ଦୂରଦର୍ଶନର କ୍ୟାମେରାମ୍ୟାନ୍ ନିହତ ହୋଇଥିଲେ। ଏହି ଘଟଣାକୁ ନେଇ ସାରା ରାଜ୍ୟ ତଥା ଦେଶରେ ମାଓବାଦୀଙ୍କ କାର୍ଯ୍ୟକୁ ତୀବ୍ର ନିନ୍ଦା କରାଯାଉଛି। ଏହାପରେ ନକ୍ସଲ ସଂଗଠନ ପକ୍ଷରୁ ଏହି ବିବୃତି ଦିଆଯାଇଥିବା ଜଣାପଡ଼ିଛି।

ଛତିଶଗଡ଼ରେ ଏବେ ନିର୍ବାଚନ ଚାଲିଛି। ନୂତନ ରାଜ୍ୟ ଗଠନ ପରେ ଏହା ହେଉଛି ଚତୁର୍ଥ ନିର୍ବାଚନ। ଆଉ କିଛିଦିନ ପରେ ଏହି ନିର୍ବାଚନ ପାଇଁ ଭୋଟଗ୍ରହଣ କରାଯିବ। ଏହାପୂର୍ବରୁ ଗତ ୩୦ ତାରିଖ ଦିନ ନକ୍ସଲଙ୍କ ପକ୍ଷରୁ ଏକ ବଡ଼ଧରଣର ହମ୍‌ଲା ହୋଇଛି, ଯେଉଁଥିରେ ଦୂରଦର୍ଶନର ଓଡ଼ିଆ କ୍ୟାମେରାମ୍ୟାନ୍‌ ଅଚ୍ୟୁତାନନ୍ଦ ସାହୁ ଏବଂ ୨ ଯବାନଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ଦୂରଦର୍ଶନର ଅନ୍ୟ ପ୍ରତିନିଧିମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ। ତେବେ, ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ନକ୍ସଲଙ୍କ ଆକ୍ରମଣକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା। କିଛିିଦିନର ନିରବତା ପରେ ଗଣମାଧ୍ୟମ ସଂଗଠନ ଏହା ଉପରେ ପ୍ରତିକ୍ରିୟା ରଖିଛି। ବିବୃତିରେ ମାଓନେତା ସାଇନାଥ କହିଛନ୍ତି ଯେ, ପ୍ରତିଦିନ ଭଳି ସେଠାରେ ଆମ୍ବୁସ ଲଗାଯାଇଥିଲା। ତେବେ ଦୂରଦର୍ଶନର ପ୍ରତିନିଧିମାନେ ସେହି ଆମ୍ବୁସରେ ଫସିଯାଇଥିଲେ। ପୁଲିସ ସହ ସେମାନେ ମୋଟର ସାଇକେଲରେ ବସିଥିଲେ। ପୁଲିସକୁ ଦେଖି ନକ୍ସଲ ଗୁଳି ଚଳାଇଥିଲେ। ଆମକୁ ଜଣାନଥିଲା ପୁଲିସଙ୍କ ସହ ଦୂରଦର୍ଶନର ଏକ ଟିମ ରହିଛନ୍ତି। ଆମ ତରଫରୁ ଗୁଳି ଚଳାଯାଇଥିଲା। ଫଳରେ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ଆମେ ଦୁଃଖପ୍ରକାଶ କରୁଛୁ। ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ବଡ ନେତା ଓ ଅଧିକାରୀ ଦୂରଦର୍ଶନ ଟିମ୍ ଉପରେ ନକ୍ସଲ ହମଲା କହି ଆମକୁ ବଦନାମ କରୁଛନ୍ତି। ଆମେ ଗଣମାଧ୍ୟମ ପ୍ରତିନିଧିଙ୍କର କେବେ ଶତ୍ରୁ ନଥିଲୁ, ସେମାନେ ଆମର ବନ୍ଧୁ ଅଟନ୍ତି ବୋଲି ସଚିବ ସାଇନାଥ ପ୍ରକାଶ କରିଛନ୍ତି।

ପ୍ରେସ ବିବୃତି ଜରିଆରେ ମାଓନେତା ସାଇନାଥ କହିଛନ୍ତି ଯେ, କୌଣସି ଗଣମାଧ୍ୟମର ପ୍ରତିନିଧି ପୁଲିସ ସହ କେବେ ବି ମିଶି ଆସନ୍ତୁ ନାହିଁ ବରଂ ନିର୍ବାଚନକୁ ବହିଷ୍କାର କରନ୍ତୁ ବୋଲି ସେ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧିତ ଖବର