୯୫% ଶିଶୁ ପରିଚିତ ଲୋକଙ୍କ ଦ୍ବାରା ଦୁଷ୍କର୍ମର ଶିକାର

ମିନି ଅଙ୍ଗନବାଡ଼ି କେନ୍ଦ୍ରରେ ଜଣେ ସହାୟକ ନିଯୁକ୍ତି ଦାବି, ୧୫୦ରୁ କମ୍‌ ଜନସଂଖ୍ୟା ଗ୍ରାମରେ ଅଙ୍ଗନବାଡି ପ୍ରତିଷ୍ଠା ପାଇଁ କେନ୍ଦ୍ରକୁ ପ୍ରସ୍ତାବ

ଭୁବନେଶ୍ବର: ରାଜ୍ୟର ପ୍ରାୟ ୯୫ ପ୍ରତିଶତ କ୍ଷେତ୍ରରେ ଯୌନ ଉତ୍ପୀଡ଼ନର ଶିକାର ହେଉଥିବା ଶିଶୁଙ୍କ ସହ ଉତ୍ପୀଡ଼ନକାରୀର ପୂର୍ବରୁ ଚିହ୍ନା ପରିଚୟ ରହିଥାଏ। ଓଡ଼ିଶା ରାଜ୍ୟ ଶିଶୁ ଅଧିକାରୀ ସୁରକ୍ଷା ଆୟୋଗର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ପୁଲିସ ମହାନିର୍ଦେଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ଆଜି ଏପରି କହିଛନ୍ତି। କିଟ୍‌ ବିଶ୍ବବିଦ୍ୟାଳୟ ପ୍ରେକ୍ଷାଳୟରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ଶ୍ରୀ ଶର୍ମା କହିଲେ, ଲୋକମାନଙ୍କ ମଧ୍ୟରେ ଶିଶୁ ସୁରକ୍ଷା, ବାଳିକାମାନଙ୍କୁ ଯୌନ ନିର୍ଯାତନାରୁ ରକ୍ଷା କରିବା ପାଇଁ ସଚେତନତା‌ ସୃଷ୍ଟି କରାଯାଇଛି। ଏ ସମ୍ପର୍କରେ ମାମଲା ଦାୟର, ପୁଲିସ ଅଧିକାରୀଙ୍କୁ ସଚେତନ କରିବା, ଅପରାଧୀଙ୍କୁ ଏକ ଦୃଢ଼ ବାର୍ତ୍ତା ଦେବା, ଉତ୍ପୀଡ଼ନର ଶିକାର ହେଉଥିବା ଶିଶୁ ଓ ପରିବାରଙ୍କୁ କ୍ଷତିପୂରଣ ଏବଂ ଆଇନ ସହାୟତା ପ୍ରଦାନ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି।

ଉଦ୍‌ଘାଟନୀ ଉତ୍ସବରେ ଅର୍ଥ, ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା ମୁଖ୍ୟ ଅତିଥି ଭା‌ବେ ଯୋଗ ଦେଇ କହିଲେ, ଆୟୋଗ ଆଗରେ ଅନେକ ଆହ୍ବାନ ରହିଛି। ସେଥିମଧ୍ୟରୁ ଶିଶୁମାନଙ୍କ ପ୍ରତି ନିର୍ଯାତନା ଏକ ପ୍ରମୁଖ ସମସ୍ୟା। ଶିଶୁମାନେ ଦେଶର ଭବିଷ୍ୟତ ଓ ଶକ୍ତି। ସେମାନେ ପରିବାର, ସମାଜ ଓ ସରକାରଙ୍କଠାରୁ ସୁରକ୍ଷା ଆବଶ୍ୟକ କରନ୍ତି। ସଭ୍ୟ ସମାଜରେ ଶିଶୁମାନଙ୍କ ଉତ୍ପୀଡ଼ନର ସ୍ଥାନ ନାହିଁ। ସେମାନଙ୍କ ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ଥିବା ଆଇନକୁ କାର୍ଯ୍ୟକାରୀ କରିବା ସମସ୍ତଙ୍କର ଦାୟିତ୍ବ ବୋଲି ସେ କହିଛନ୍ତି। ମହିଳା, ଶିଶୁ ବିକାଶ ଓ ମିସନ ଶକ୍ତି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ଆଇନ ସତ୍ତ୍ବେ ଶିଶୁମାନେ ଉତ୍ପୀଡ଼ନର ଶିକାର ହେଉଛନ୍ତି। ତେଣୁ ଆଇନ ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ କମିସନ୍‌ ଓ ସରକାର ଉଦ୍ୟମ ଜାରି ରଖିଛନ୍ତି। ସମାଜରେ ସଚେତନତା ସୃଷ୍ଟି ହେଲେ ଶିଶୁମାନେ ସୁରକ୍ଷିତ ରହିବେ। ଓଡ଼ିଶାରେ ଅନେକ ଶିଶୁ ଯତ୍ନ ଗୃହରେ ରହୁଛନ୍ତି। ମିନି ଅଙ୍ଗନବାଡ଼ି କେନ୍ଦ୍ରରେ ଜଣେ ସହାୟକ ନିଯୁକ୍ତି ଓ ୧୫୦ରୁ କମ୍‌ ଜନସଂଖ୍ୟା ବିଶିଷ୍ଟ ଗ୍ରାମରେ ଆଙ୍ଗନବାଡ଼ି କେନ୍ଦ୍ର ସ୍ଥାପନ କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସାମଲ ସୂଚନା ଦେଇଛନ୍ତି।

ଓଡ଼ିଶା ରାଜ୍ୟ ଖାଦ୍ୟ କମିସନର ଅଧ୍ୟକ୍ଷ ରଙ୍ଗଲାଲ ଜାମୁଡ଼ା କହିଛନ୍ତି ଯେ ରାଜ୍ୟର ଏକ-ତୃତୀୟାଂଶ ଶିଶୁ ବସ୍ତି ଅଞ୍ଚଳରେ ବାସ କରୁଛନ୍ତି। ସେମାନଙ୍କୁ ଉପଯୁକ୍ତ ଶିକ୍ଷା, ସ୍ବାସ୍ଥ୍ୟ, ପୃଷ୍ଟି ଓ ସୁରକ୍ଷିତ ବାତାବରଣ ପ୍ରଦାନ କରିବା ସରକାରଙ୍କ ଦାୟିତ୍ବ। ଏହି ସମ୍ମିଳନୀରୁ ଯେଉଁ ନିର୍ଯାସ ବାହାରିବ, ତାହା ଆଗାମୀ ଦିନରେ ଆୟୋଗର କର୍ଯ୍ୟକ୍ରମକୁ ଆଗକୁ ନେବାରେ ସହାୟକ ହେବ।

ଉତ୍ସବରେ ଭୁବନେଶ୍ବର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିଶୁଙ୍କ ସୁରକ୍ଷା ସମ୍ପର୍କରେ ନିଜର ଅନୁଭୂତି ବର୍ଣ୍ଣନା‌ କରିଥିଲେ। ଓଡ଼ିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ନାୟକ ସ୍ବାଗତ ଭାଷଣ ଦେଇଥିବା ବେଳେ ଆୟୋଗର ସଦସ୍ୟ ହରିହର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ‘ବିଦ୍ୟାଳୟରେ ଶିଶୁ ନିରାପତ୍ତା ଓ ସୁରକ୍ଷା ପ୍ରକରଣ’ ପୁସ୍ତିକା ଉନ୍ମୋଚିତ ହୋଇଥିଲା। ଶିଶୁଙ୍କ ସୁରକ୍ଷା କ୍ଷେତ୍ରରେ ଅବଦାନ ପାଇଁ ବିଭିନ୍ନ ବ୍ୟକ୍ତିବିଶେଷକୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର