ଚିଟ୍‌ଫଣ୍ଡ୍‌ ଠକେଇ ମାମଲା: ଜିଏଏଚ୍‌ର ୩ ନିର୍ଦ୍ଦେଶକଙ୍କୁ ଜେଲ୍

ବାଲେଶ୍ୱର : ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ଜିଏଏଚ୍‌ ମଲ୍‌ଟିଟ୍ରେଡ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ସଂସ୍ଥାର ୩ ନିର୍ଦ୍ଦେଶକଙ୍କୁ ଜେଲ୍‌ଦଣ୍ଡ ଶୁଣାଇଛନ୍ତି ବାଲେଶ୍ବର ଓପିଆଇଡି କୋର୍ଟ। ଦୋଷୀ ୩ ଜଣଙ୍କୁ ୩ ବର୍ଷ ଲେଖା ଜେଲ୍‌ଦଣ୍ଡ ସହିତ ୪୩ ହଜାର ଟଙ୍କା ଲେଖା ଜରିମାନା କରାଯାଇଛି। ୭ ଜଣ ସାକ୍ଷୀ ଓ ୨୧ଟି ଦସ୍ତାବିଜକୁ ଭିତ୍ତିକରି ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ହିମାଂଶୁ ଭୂଷଣ ବେହେରା, ଅନ୍ତର୍ଯ୍ୟାମୀ ବେହେରା, ସୁବ୍ରତ ସେଠୀଙ୍କୁ ଏହି ଦଣ୍ଡ ଶୁଣାଇଛନ୍ତି ଅଦାଲତ।

୨୦୧୬ ମସିହାରେ ଜିଏଏଚ୍‌ ସଂସ୍ଥା ତାର ପ୍ରଥମ କାର୍ଯ୍ୟାଳୟ କେନ୍ଦୁଝରରେ ଖୋଲିବା ପରେ ଅନ୍ୟ ଜିଲ୍ଲାରେ ଶାଖା ଖୋଲିଥିଲା। ଅଳ୍ପଦିନରେ ଅଧିକ ଋଣ ଦେବାର ଲୋଭ ଦେଖାଇ ଏହି ସଂସ୍ଥା ଜମାକାରୀଙ୍କଠାରୁ କୋଟି କୋଟି ଟଙ୍କା ହାତେଇଥିଲା। ତେବେ ଶାନ୍ତନୁ କୁମାର ଜେନା ନାମକ ଜଣେ ବ୍ୟକ୍ତି ଏହି ସଂସ୍ଥା ଦ୍ବାରା ଠକାମୀର ଶିକାର ହେବା ପରେ ୨୦୧୯ ମାର୍ଚ୍ଚ ୭ ତାରିଖରେ କେନ୍ଦୁଝର ଥାନାରେ ଅଭିଯୋଗ କରିଥିଲେ। ଏହି ସଂସ୍ଥା ୨୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକିଥିବା ଜଣାପଡ଼ିଥିଲା। ଅଭିଯୋଗ ଆଧାରରେ ସଂସ୍ଥାର ୩ ନିର୍ଦ୍ଦେଶକଙ୍କୁ ଗିରଫ କରିଥିଲା ପୁଲିସ। ଆଜି ବିଚାରପତି ବିଶ୍ବଜିତ ଦାସ ରାୟ ଶୁଣାଇଥିଲେ। ସରକାରଙ୍କ ପକ୍ଷରୁ ଆଇନଜୀବୀ ପ୍ରଣବ କୁମାର ପଣ୍ଡା ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର