ହାଇକୋର୍ଟଙ୍କ ଐତିହାସିକ ରାୟ: ରାଜ୍ୟ ସମବାୟ ବ୍ୟାଙ୍କ ଏମ୍‌ଡି ପଦରେ ଗୋପବନ୍ଧୁ ଶତପଥୀଙ୍କ ପୁନଃନିଯୁକ୍ତି ବେଆଇନ

ଦୁଇ ବିଜ୍ଞପ୍ତି ରଦ୍ଦ, ଆଇନକୁ ସଂପୂର୍ଣ୍ଣ ଭାବେ ଅଣଦେଖା କରିଥିଲା ସାଧାରଣ ପ୍ରଶାସନ ବିଭାଗ

କଟକ : ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ (ଓଡ଼ିଶା ଷ୍ଟେଟ୍ କୋ-ଅପରେଟିଭ୍ ବ୍ୟାଙ୍କ)ର ମ୍ୟାନେଜିଂ ଡାଇରେକ୍ଟର(ଏମଡି) ଭାବେ ଅବସରପ୍ରାପ୍ତ ଆଇଏଏସ ଗୋପବନ୍ଧୁ ଶତପଥୀଙ୍କ ପୁନଃନିଯୁକ୍ତିକୁ ହାଇକୋର୍ଟ ଅବୈଧ ଘୋଷଣା କରିଛନ୍ତି। ବ୍ୟାଙ୍କର ଏମଡି ଭାବେ ଶ୍ରୀ ଶତପଥୀଙ୍କ ପୁନଃନିଯୁକ୍ତି ସଂପର୍କିତ ସାଧାରଣ ପ୍ରଶାସନ ବିଭାଗର ୨୦୨୨ ମାର୍ଚ୍ଚ ୨ର ବିଜ୍ଞପ୍ତି ଓ ଏହାକୁ ଅନୁମୋଦନ କରି କୋଅପରେଟିଭ ସୋସାଇଟିଜ ଯୁଗ୍ମ ରେଜିଷ୍ଟ୍ରାର ୨୦୨୨ ମାର୍ଚ୍ଚ ୭ରେ ପ୍ରଦାନ କରିଥିବା ନି‌ର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ୨୦୨୨ ମାର୍ଚ୍ଚ ୧ରୁ ବ୍ୟାଙ୍କର ଏମଡି ଭାବେ ଶ୍ରୀ ଶତପଥୀଙ୍କ ପୁନଃନିଯୁକ୍ତି ନେଇ ୨୦୨୨ ମାର୍ଚ୍ଚ ୨ର ବିଜ୍ଞପ୍ତି ‌ଓଡିଶା କୋଅପରେଟିଭ ସୋସାଇଟିଜ୍ ଆଇନର ଧାରା ୨୮(୩-ବି)(୧) ଓ ୨୮(୧) ସହିତ ବ୍ୟାଙ୍କିଙ୍ଗ ରେଗୁଲେସନ ଆଇନର ଧାରା ୩୫-ବି (୧)(ବି)ର ସ୍ପଷ୍ଟ ଉଲ୍ଲଂଘନ କରୁଛି। ଏଭଳି ସ୍ଥିତିରେ ପୁନଃନିଯୁକ୍ତି ସଂପର୍କିତ ୨୦୨୨ ମାର୍ଚ୍ଚ ୨ର ବିଜ୍ଞପ୍ତି ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି।

ବିଆର ଆକ୍ଟରେ ରହିଥିବା ବ୍ୟବସ୍ଥା ଅନୁସାରେ ବ୍ୟାଙ୍କର ଏମଡି ପଦରେ ପୁନଃନିଯୁକ୍ତି ଦିଆଯିବା ପୂର୍ବରୁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଅନୁମୋଦନ ଆବଶ୍ୟକ। ୨୦୨୨ ମାର୍ଚ୍ଚ ୨ର ବିଜ୍ଞପ୍ତି ପ୍ରକାଶ କରିବା ବେଳେ ବିଆର ଆକ୍ଟର ଧାରା ୩୫-ବି (୧)(ବି)ରେ ରହିଥିବା ବାଧ୍ୟତାମୂଳକ ବ୍ୟବସ୍ଥାକୁ ସଂପୂର୍ଣ୍ଣ ଭାବେ ସାଧାରଣ ପ୍ରଶାସନ ବିଭାଗ ଅଣଦେଖା କରିଛି ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି। ଅନ୍ୟପକ୍ଷରେ ହାଇକୋର୍ଟ ପହଞ୍ଚିଥିବା ଉପସଂହାରରେ କୌଣସି ଭାବେ ଶ୍ରୀ ଶତପଥୀଙ୍କ ଦକ୍ଷତା, ନୈତିକ ଉତ୍କର୍ଷ ବା ବ୍ୟାଙ୍କର ଏମ୍‌ଡି ପଦ‌ ପାଇଁ ତାଙ୍କ ଯୋଗ୍ୟତା ପ୍ରସଂଗ ପ୍ରତିଫଳନ କରୁନାହିଁ। କାରଣ ମାମଲାର ଏହା ପ୍ରସଂଗ ନଥିଲା। ଏମ୍‌ଡି ପଦରେ ପୁନଃନିଯୁକ୍ତି ସଂପର୍କିତ ନିର୍ଦ୍ଦେଶନାମାର ବୈଧତାକୁ ଚାଲେଞ୍ଜ କରି ଦାୟର ମାମଲାରେ ଏହି ରାୟ ପ୍ରଦାନ କରାଯାଇଛି ବୋଲି ହାଇକୋର୍ଟ କହିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ବେଣୁମାଧବ ତ୍ରିପାଠୀଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପ୍ରଫୁଲ୍ଲ କୁମାର ରଥ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର