କଟକ ଷ୍ଟେସନ୍‌କୁ ‘ଐତିହ୍ୟ’ ମାନ୍ୟତା ଦାବି

ନୂଆ ରେଳମନ୍ତ୍ରୀଙ୍କୁ ସମାଜବାଦୀ ପାର୍ଟିର ପତ୍ର

ଭୁବନେଶ୍ୱର : ଚଳିତବର୍ଷ ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ପାଳନ ପରିପ୍ରେକ୍ଷୀରେ କଟକ ରେଳ ଷ୍ଟେସନରେ ଗାନ୍ଧିଜୀଙ୍କ ଏକ ପୂର୍ଣ୍ଣାବୟବ ସ୍ଥାପନ, କଟକ ଷ୍ଟେସନକୁ ‘ଐତିହ୍ୟ’ ଷ୍ଟେସନର ମାନ୍ୟତା, ବକ୍ସି ଜଗବନ୍ଧୁଙ୍କ ନାମରେ ଖୋର୍ଦ୍ଧା ରୋଡ୍‌ ରେଳଷ୍ଟେସନକୁ ନାମିତ କରିବାକୁ ନୂଆ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନିକଟରେ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଦାବି ହୋଇଛି। ଏହି ମର୍ମରେ ପାର୍ଟି ରାଜ୍ୟ ସଭାପତି ରବି ବେହେରା ନୂଆ ରେଳମନ୍ତ୍ରୀଙ୍କୁ ଏକ ପତ୍ର ଲେଖିଛନ୍ତି।

ଶ୍ରୀ ବେହେରା ଅଭିଯୋଗ କରିଛନ୍ତି, ରେଳ ବିଭାଗକୁ ଓଡ଼ିଶା ବର୍ଷକୁ ୨୦ ହଜାର କୋଟି ଟଙ୍କାର ରାଜସ୍ବ ଦେଉଥିବା ବେଳେ ଅନୁଦାନ ଆକାରରେ ବାର୍ଷିକ ହାରାହାରି ୩ ରୁ ୪ ହଜାର କୋଟି ଟଙ୍କା ପାଉଛି। ଓଡ଼ିଶାର ବହୁ ଜିଲ୍ଲା ସଦର ମହକୁମାକୁ ସ୍ବାଧୀନତାର ୭୦ ବର୍ଷ ପରେ ମଧ୍ୟ ରେଳ ଦ୍ବାରା ସଂଯୋଗ ହୋଇପାରି ନାହିଁ ।

ନୂଆ ରେଳମନ୍ତ୍ରୀ ଓଡ଼ିଶାର ସାଂସଦ ହୋଇଥିବାରୁ ଓଡ଼ିଶା ପ୍ରତି କରାଯାଇଥିବା ରେଳ ବିଭାଗର ଚରମ ଅବହେଳାକୁ ସୁଧାରିବା ପାଇଁ ହସ୍ତକ୍ଷେପ କରିବାକୁ ଅନୁରୋଧ କରାଯାଇଛି। ଏହାସହ ସମ୍ବଲପୁର-ଗୋପାଳପୁର-ଫୁଲବାଣୀ, ରାୟଗଡ଼ା-ଗୋପାଳପୁର ମଧ୍ୟରେ ନୂଆ ରେଳ ଲାଇନ ଏବଂ କୋରାପୁଟ-ମାଲକାନାଗିରି, କୋରାପୁଟ-ନବରଙ୍ଗପୁର ନୂଆ ରେଳ ଲାଇନ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ପାର୍ଟି ପ୍ରସ୍ତାବ ଦେଇଛି। ରାୟଗଡ଼ା, ରାଉରକେଲା, ଯାଜପୁର କେନ୍ଦୁଝର ରୋଡ୍‌ ଠାରେ ତିନିଟି ରେଳ ଡିଭିଜନ ପ୍ରତିଷ୍ଠା କରାଯିବା ସହ କେନ୍ଦୁଝର-ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାର ଖଣିଜ ବହୁଳ ଅଞ୍ଚଳକୁ ଦକ୍ଷିଣ-ପୂର୍ବ ରେଳ ଜୋନରୁ ପୂର୍ବତଟ ରେଳ ଅଧୀନକୁ ଆଣିବାକୁ ଦଳ ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର