କୁମାର ପୂର୍ଣ୍ଣିମା ଯାଏ ରାଜ୍ୟରେ ଲାଗି ରହିବ ମେଘୁଆ ପାଗ

ଭୁବନେଶ୍ବର : ଗତ ଦୁଇ ଦିନ ହେଲା ରାଜ୍ୟରେ ପାଗ ମେଘୁଆ ରହିଥିବା ବେଳେ ବର୍ଷା ଜାରି ରହିଛି। କୁମାର ପୂର୍ଣ୍ଣିମା (୯ ଅକ୍ଟୋବର) ଯାଏ ରାଜ୍ୟରେ ଏହିଭଳି ପାଗ ଲାଗି ରହିବା ସହ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରିଛନ୍ତି। ବଙ୍ଗୋପସାଗରରେ ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ଗୋଟିଏ ପରେ ଗୋଟିଏ ଟ୍ରଫ୍‌ ଲାଇନ୍‌, ଘୂର୍ଣ୍ଣିବଳୟ ଓ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ରାଜ୍ୟରେ ପାଗ ମେଘୁଆ ରହିବ। ଅଳ୍ପ ବହୁତ ବର୍ଷା ବି ହେବାର ସମ୍ଭାବନା ରହିଛି।

The Bangkok Post

ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋ‌ପସାଗର ଓ ସଂଲଗ୍ନ ଆନ୍ଧ୍ରପ୍ରଦେଶ ଉପକୂଳ ଉପରେ ରହିଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରବିବାର ଦିନ ରାଜ୍ୟରେ ଦିନତମାମ ପାଗ ମେଘୁଆ ରହିବା ସହ ବର୍ଷା ଲାଗି ରହିଥିଲା। ବିଶେଷ କରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଯାଇଛି। ଆସନ୍ତା ୨ ଦିନ ମଧ୍ୟ ରାଜ୍ୟର କେତେକ ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ପାଣିପାଗ କେନ୍ଦ୍ର କହିଛି, ଆଜି(ସୋମବାର) ରାଜ୍ୟର ପାଖାପାଖି ୧୬ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ବିଶେଷ କରି କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ନୟାଗଡ଼, ବୌଦ୍ଧ, ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ପୁରୀ, ଖୋର୍ଧା, କଟକ ଓ ଜଗତସିଂହପୁର ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ୨୭ ତାରିଖ ଦିନ ମଧ୍ୟ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ହେବ। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ରାଜ୍ୟରେ ପାଗ ମେଘୁଆ ରହିପାରେ।

India Mike

ଖରା ହେବାର ସମ୍ଭାବନା ଖୁବ୍‌ କମ୍‌।

ରବିବାର ଦିନ ଆନ୍ଧ୍ରପ୍ରଦେଶ ଉପକୂଳର ଦୂରରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ୨୯ ତାରିଖରେ ଏହା ଏକ ବିସ୍ତୀର୍ଣ୍ଣ ଟ୍ରଫ୍‌ରେ ମିଶିଯିବ। ପଶ୍ଚିମ-ପ୍ରଶାନ୍ତ ମହାସାଗରରୁ ଥାଇଲାଣ୍ଡ ଦେଇ ଲଘୁଚାପର ଅଂଶବିଶେଷ ଆସି ମିଆଁମାର ଉପକୂଳରେ ୩୦ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି କରିବ। ଏହି ଘୂର୍ଣ୍ଣିବଳୟଟି ଅକ୍ଟୋବର ୨ ତାରିଖରେ ବାଂଲାଦେଶ, ପଶ୍ଚିମବଙ୍ଗ ଓ ଓଡ଼ିଶା ସଂଲଗ୍ନ ବଙ୍ଗୋପସାଗରରେ ରହିବ। ୩ ଓ ୪ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ପୁଣି ଘୂର୍ଣ୍ଣିବଳୟ ରହିବ। ଏହାସହିତ ୬ ତାରିଖ ବେଳକୁ ପ୍ରଶାନ୍ତ ମହାସାଗରରୁ ଅଂଶବିଶେଷ ଆସି ମିଶିବ। ସମ୍ଭବତଃ ଏକ ଲଘୁଚାପ ମିଆଁମାର ଉପକୂଳରେ ସୃଷ୍ଟି ହେବ। ଏହା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ। ଏସବୁ ପାଣିପାଗ ନିୟାମକର ପ୍ରଭାବରେ ୨୬ରୁ ୩୦ ତାରିଖ ଯାଏ ଉପକୂଳରେ, ୨୬ ଓ ୨୭ ତାରିଖ ଆଭ୍ୟନ୍ତର ଓଡ଼ିଶାରେ ବର୍ଷା ହେବ। ଆସନ୍ତା ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଉପକୂଳରେ ପ୍ରତ୍ୟେକ ଦିନ ହାଲୁକାରୁ ସ୍ବଳ୍ପ ବର୍ଷା ହେବା ସହ ଦକ୍ଷିଣ ଆଭ୍ୟନ୍ତରରେ ବିକ୍ଷିପ୍ତ ହାଲୁକା, ଉତ୍ତର ଉପକୂଳ ଓ ଆଭ୍ୟନ୍ତରରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୩ରୁ ୬ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ସ୍ବଳ୍ପ ବର୍ଷାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର