କରୋନା ମୁକାବିଲା ପାଇଁ ‘ମୋ ଜୀବନ’ : ସବୁ ପରିବାରକୁ ଶପଥ ନେବାକୁ ଅନୁରୋଧ, ଆବେଗ ଭରା କଣ୍ଠରେ ଭିଡିଓ ବାର୍ତ୍ତା ଜାରି

ଭୁବନେଶ୍ବର : ‘ମୁଁ ମୋର ପିଲାଛୁଆ, ବାପା, ମା’ଙ୍କ ନାମରେ ଶପଥ କରି କହୁଅଛି ଯେ ବର୍ତ୍ତମାନ ସମୟରେ ମୁଁ ବାହାରକୁ ଯିବି ନାହିଁ। ବାହାରକୁ ଗଲେ, କରୋନା ଭାଇରସ୍‌ ମୋ ସାଥୀ‌େର ମୋ ଘରକୁ ଆସିପାରେ। ମୋ ପରିବାରର କ୍ଷତି କରିପାରେ। ତେଣୁ ମୁଁ ଏବେ ବାହାରକୁ ଯିବି ନାହିଁ। ଯଦି ଜରୁରୀ କାମରେ ବାହାରକୁ ଯିବି, ତେବେ ଫେରିବା ସମୟରେ ସାବୁନ୍‌ରେ ଭଲ ଭାବେ ୨୦ ସେକେଣ୍ଟ୍‌ ପର୍ଯ୍ୟନ୍ତ ହାତ ଧୋଇ ଘରକୁ ପଶିବି। କରୋନା ଭାଇରସ୍‌କୁ କେବେ ବି ମୋ ଘରେ ପଶିବାକୁ ଦେବି ନାହିଁ କି ମୋ ପରିବାର ପାଇଁ ବିପଦର କାରଣ ହେବି ନାହିଁ।’

ପ୍ରତିଦିନ ରାଜ୍ୟର ପ୍ରତିଟି ଘରେ ଏମିତି ଶପଥ ନେବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାର ନାମ ରଖାଯାଇଛି ‘ମୋ ଜୀବନ’ କାର୍ଯ୍ୟକ୍ରମ। ସମସ୍ତେ ଏହାକୁ ପରିବାର ସହ ପାଠ କରିବେ। ନିଜ ଘରର ପ୍ରବେଶ ପଥରେ ଲଗାଇବେ ଓ ଭିଡିଓ କରି ସାମାଜିକ ଗଣମାଧ୍ୟମରେ ତାଙ୍କ ପାଖକୁ ପଠାଇବା ପାଇଁ ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି।

ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଅତ୍ୟନ୍ତ ଭାବପ୍ରବଣ ହୋଇ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କହିଛନ୍ତି ଯେ ଗତ ୨୦ ବର୍ଷର ସେବା ମଧ୍ୟରେ ମୁଁ ମୋର ପ୍ରିୟ ଓଡ଼ିଶାବାସୀଙ୍କ ନିକଟରେ ଅନେକ ଅନୁରୋଧ ରଖିଛି। ଆପଣମାନେ ମୋର ସବୁ ଅନୁରୋଧକୁ ପାଳନ କରିଛନ୍ତି। ସେଥିପାଇଁ ମୁଁ ଆପଣମାନଙ୍କ ନିକଟରେ ଋଣୀ। ଆଜି ମୁଁ ଯେଉଁ ଅନୁରୋଧ ରଖୁଛି, ତାହା ହେଉଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଆଜି ମୁଁ ଆପଣମାନଙ୍କ ନିକଟରେ ‌‘ମୋ ଜୀବନ’ କାର୍ଯ୍ୟକ୍ରମ ରଖୁଛି। ଆପଣ ଓ ଆପଣଙ୍କ ପରିବାରର ସୁରକ୍ଷା ଆପଣଙ୍କ ହାତରେ। କରୋନା ଭାଇରସ୍‌ ଆପଣଙ୍କ ଘରକୁ ଆସିବା, ନ ଆସିବା, ଆପଣଙ୍କ ବ୍ୟବହାର ଉପରେ ନିର୍ଭର କରୁଛି। ଆପଣ ସାବଧାନ ରହିଲେ ଏହା ଆପଣଙ୍କ ଘରକୁ ପଶିପାରିବ ନାହିଁ। ଆପଣମାନେ ଘରେ ରୁହନ୍ତୁ ଓ ପରିବାରକୁ ବଞ୍ଚାନ୍ତୁ।

ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି ଯେ କରୋନା ଭାଇରସ୍‌ ବିଷୟରେ ଆପଣମାନେ ଭଲ ଭାବେ ଜାଣିସାରିଲେଣି। ଏହି ଭାଇରସ୍‌ ଚୀନ୍‌ରେ ଥିଲା। ବହୁତ ଦୂରରେ ଥିଲା। ଆମେରିକା ଓ ୟୁରୋପରେ ଥିଲା। ବହୁତ ଦୂରରେ ଥିଲା। ପରେ ଇରାନ୍‌କୁ ଆସିଲା। ଦିଲ୍ଲୀରେ ବି ପହଞ୍ଚିଲା। ଏବେ ଏହି ଭାଇରସ୍‌ ଆମ ଘର ପାଖରେ ପହଞ୍ଚିଛି। ଆମ ନିଜ ଭଲ ପାଇଁ, ନିଜ ପରିବାରର ଭଲ ପାଇଁ, ଆମର ଦାୟିତ୍ବ ହେଉଛି ଏହି ଭାଇରସ୍‌କୁ ଘରେ ପଶିବାକୁ ଦେବା ନାହିଁ। ସେଥି ପାଇଁ ଏ ଲକ୍‌ଡାଉନ୍।

ସମ୍ବନ୍ଧିତ ଖବର