୫-ଟି ସଚିବଙ୍କ ଜଳେଶ୍ବର ଗସ୍ତକୁ ବିରୋଧ କରିବ କଂଗ୍ରେସ

ଜଳେଶ୍ୱର : ଆସନ୍ତା ୨୨ ତାରିଖରେ ୫-ଟି ସଚିବ ଭିକେ ପାଣ୍ଡିଆନ ଜଳେଶ୍ୱର ଗସ୍ତରେ ଆସୁଥିବା ବେଳେ ବୁଧବାର ଦିନ କଂଗ୍ରେସ ପକ୍ଷରୁ ଖୁସି ପ୍ଲାଜା ନିକଟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ପିସିସି ମୁଖପାତ୍ର ତଥା ଏଆଇସିସି ସଭ୍ୟ ସୁଦର୍ଶନ ଦାସ ଯୋଗଦେଇ କହିଥିଲେ, ଜଳେଶ୍ୱର ବ୍ଲକ୍ ଓ ପୌରାଞ୍ଚଳ ଦୁର୍ନୀତିର ଗନ୍ତାଘର ପାଲଟିଛି? ଚମାରଗାଁ ପଞ୍ଚାୟତରେ ଗାଈକିଣା ଦୁର୍ନୀତି, କଳମା ପଞ୍ଚାୟତ ଦୁର୍ନୀତି, ପୌରାଞ୍ଚଳ ଉନ୍ନୟନମୂଳକ କାର୍ଯ୍ୟରେ ଅନିୟମିତତା, ବିନା ସୂଚନା ଫଳକରେ କାମ କରି ଦୁଇଥର ବିଲ୍‌ ଉଠାଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାତରଅନ୍ତର, ୫-ଟି ସ୍କୁଲ୍‌ ଯୋଜନାରେ ଦୁର୍ନୀତି, ରାଇବଣିଆ ଦୁର୍ଗର ସୁରକ୍ଷା ଓ ଉନ୍ନୟନ ଖର୍ଚ୍ଚରେ ହୋଇଥିବା ଅନିୟମିତତା, ଜଳେଶ୍ୱର ଜଳବନ୍ଦୀ ସମସ୍ୟାର ନିରାକରଣ, ସୁବର୍ଣ୍ଣରେଖା ସଂସ୍କାର ଯୋଜନାର କାର୍ଯ୍ୟକାରିତା, ଭୂମିହୀନଙ୍କୁ ଜମିପଟ୍ଟା ବଣ୍ଟନ ସହ ଘର ଯୋଗାଣ ବାବଦରେ ୫-ଟି ସଚିବ କ’ଣ ପଦକ୍ଷେପ ନେବେ? ଜଳେଶ୍ୱର ପୌରାଞ୍ଚଳରେ ବର୍ଷ ବର୍ଷ ଧରି ଅନୁପସ୍ଥିତ ଥିବା କର୍ମଚାରୀଙ୍କୁ କିପରି ଦରମା ଦିଆଯାଉଛି ବୋଲି ବ୍ଲକ୍‌ କଂଗ୍ରେସ କମିଟି ସଭାପତି ରାଜୀବ ଲୋଚନ ପରିଡ଼ା ପ୍ରଶ୍ନ କରିଥିଲେ। ମାନବ ଶୃଙ୍ଖଳ ଜରିଆରେ ୫-ଟି ସଚିବଙ୍କ ଗସ୍ତକୁ କଂଗ୍ରେସ ବିରୋଧ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପିସିସି ସଭ୍ୟ ସତ୍ୟସୁନ୍ଦର ଦାସ, ଟାଉନ୍‌ କଂଗ୍ରେସ ସଭାପତି ଗିରିଜା ଶଙ୍କର ଦାସ, କୃଷକ ନେତା ସୁଦାମ ପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର