ଅନ୍ତ୍ୟେଷ୍ଟି ସମୟରେ ନିଜ କଫିନ ବାଡ଼େଇଲେ ମହିଳା, ଜୀବନ୍ତ ଉଦ୍ଧାର ହେଲେ

ବାବାହୋୟୋ : ଇକ୍ବେଡରର ଜଣେ ୭୬ ବର୍ଷୀୟା ମୃତ ଘୋଷିତ ମହିଳା ବେଲା ମୋଣ୍ଟୋୟା କଫିନ ଭିତରେ ଥାଇ କଫିନକୁ ବାଡ଼େଇବା ଏବଂ ଖୋଲିବା ପରେ ସେଥିରୁ ଜୀବନ୍ତ ବାହାରିବା ଘଟଣା ତାଙ୍କର ସମ୍ପର୍କୀୟ ଓ ଡାକ୍ତରମାନଙ୍କୁ ଚକିତ କରିଦେଇଛି।

ଏପରି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଶୁକ୍ରବାର ବାବାହୋୟୋ ସହରରେ। ଏହାର ଏକ ଭିଡ଼ିଓ ଫୁଟେଜ ଭାଇରାଲ ହୋଇଛି। ମହିଳା ଜଣକ କଫିନ ଭିତରେ ଥାଇ କଫିନକୁ ବାଡ଼େଇବା ପରେ ତାକୁ ଖୋଲାଯାଇଥିଲା। ଡାକ୍ତରମାନେ ତୁରନ୍ତ ସେଠାରେ ପହଞ୍ଚି ମୃତ ଘୋଷିତ ବୃଦ୍ଧା ଜଣକ ଜୀବିତ ଥିବା ଦେଖିବାକୁ ପାଇଥିଲେ।

ବୃଦ୍ଧାଙ୍କ ପୁଅ ଗିଲବର୍ଟ ବାଲବେରିଆନ କହିଛନ୍ତି, ତାଙ୍କ ମାଆଙ୍କୁ ଡାକ୍ତରମାନେ ମୃତ ଘୋଷଣା କରିବାର ୪ ଘଣ୍ଟା ପରେ ଏପରି ଘଟଣା ଘଟିଥିଲା। ସେତେବେଳକୁ ଡାକ୍ତରମାନେ ତାଙ୍କୁ ଡେଥ୍ ସାର୍ଟିଫିକେଟ୍ ମଧ୍ୟ ଦେଇସାରିଥିଲେ। ହୃଦ୍‌ଯନ୍ତ୍ର ଅଚଳ ହେବା ଯୋଗୁ ମୃତ୍ୟୁ ଘଟିଥିବା ଡାକ୍ତରମାନେ ଦର୍ଶାଇଥିଲେ। ମୋଣ୍ଟୋୟାଙ୍କୁ ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି ଏବଂ ତାଙ୍କ ଅବସ୍ଥା ସ୍ଥିର ଅଛି ବୋଲି ବାଲବେରିଆନ କହିଛନ୍ତି। ଏହାକୁ ସେ ଈଶ୍ବରଙ୍କ ଚମତ୍କାର ବୋଲି ଅଭିହିତ କରିଛନ୍ତି।

ସମ୍ବନ୍ଧିତ ଖବର