ଲୋକାୟୁକ୍ତଙ୍କ ନୂଆ ନିୟମକୁ ନେଇ ବିବାଦ

ତଦନ୍ତ ଶେଷ ନ ହେବା ପର୍ଯ୍ୟନ୍ତ ସରକାରୀ ଅଧିକାରୀଙ୍କ ନାଁ ଗୋପନ ରହିବ
ଆବେଦନକାରୀଙ୍କୁ ଦାଖଲ କରିବାକୁ ହେବ ସତ୍ୟପାଠ

ଭୁବନେଶ୍ୱର : ଓଡ଼ିଶା ଲୋକାୟୁକ୍ତଙ୍କ ନୂଆ ନିୟମକୁ ନେଇ ବିବାଦ ଦେଖା ଦେଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଚଳିତମାସ ୧ତାରିଖରେ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ଦାଖଲ କରିବାର ପ୍ରକ୍ରିୟା ବା ପ୍ରୋସିଡ୍ୟୁର ଅଫ୍‌ ଫାଇଲିଂ ଅଫ କମ୍ପ୍ଲେଣ୍ଟ,୨୦୨୦ ନିୟମର ବିଜ୍ଞପ୍ତିରେ ତଦନ୍ତ ନ ସରିବା ପର୍ଯ୍ୟନ୍ତ ସରକାରୀ ଅଧିକାରୀଙ୍କ ନାମ ଗୋପନ ରଖିବା ଲାଗି କୁହାଯାଇଛି। ଏହାସହ ଲୋକାୟୁକ୍ତଙ୍କ ଆବେଦନ କରିବା ପୂର୍ବରୁ ଆବେଦନକାରୀଙ୍କୁ ନୋଟାରି ଜରିଆରେ ଏକ ସତ୍ୟପାଠ ଦାଖଲ କରିବାକୁ ହେବ ବୋଲି କୁହାଯାଇଛି। ଯାହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସୂଚନା ଅଧିକାର ଆଇନ ବଳରେ ଯଦି ସଂପୃକ୍ତ ସରକାରୀ ଅଧିକାରୀଙ୍କ ସଂପର୍କରେ ତଥ୍ୟ ଆସିଛି, ଏହାକୁ କିଭଳି ଲୋକାୟୁକ୍ତ ଗୋପନ ରଖିପାରିବେ ବୋଲି ଅନେକ ପ୍ରଶ୍ନ କରିଛନ୍ତି। କେବଳ ବଡ଼ ସରକାରୀ ଅଧିକାରୀଙ୍କୁ ସୁରକ୍ଷା ଦେବା ଲାଗି ଏଭଳି ନିୟମ କରାଯାଇଥିବା ଦୁର୍ନୀତି ବିରୋଧୀ ସ୍ବେଚ୍ଛାସେବୀମାନେ ଅଭିଯୋଗ କରିଛନ୍ତି। ଲୋକାୟୁକ୍ତଙ୍କ ପ୍ରୋସିଡ୍ୟୁର ଅଫ୍‌ ଫାଇଲିଂ ଅଫ୍ କମ୍ପ୍ଲେଣ୍ଟ୍, ନିୟମର ଧାରା ୪(ଏ)ରେ ସରକାରୀ ଅଧିକାରୀ ଓ ଆବେଦନକାରୀଙ୍କ ନାମକୁ ତଦନ୍ତ ଶେଷ ନ ହେବା ପର୍ଯ୍ୟନ୍ତ ‌ଗୋପନ ରଖିବା ଲାଗି କୁହାଯାଇଛି। ତେବେ ଯଦି ଆବେଦନକାରୀ ନିଜ ଆଡ଼ୁ ନିଜର ପରିଚୟ ପ୍ରଘଟ କରୁଛନ୍ତି ତାହାଲେ ତାଙ୍କ କ୍ଷେତ୍ରରେ ଏହି ନିୟମ କାର୍ଯ୍ୟକାରୀ ହେବନାହିଁ। ଏହାସହ ଯଦି କୌଣସି ଅଭିଯୋଗକୁ ଲୋକାୟୁକ୍ତ ଅଯୋଗ୍ୟ, ଅସ୍ପଷ୍ଟ, ଅମୂଳକ କିମ୍ବା ମୂଲ୍ୟହୀନ ବୋଲି ବିଚାର କରନ୍ତି ତାହାଲେ ଏହି ମାମଲାଗୁଡ଼ିକର ଡିସ୍‌ପୋଜ୍‌ କରିପାରିବାର କ୍ଷମତା ପ୍ରଦାନ କରାଯାଇଛି।

ଅପରପକ୍ଷରେ ଯଦି ଲୋକାୟୁକ୍ତ କୌଣସି ସରକାରୀ ଅଧିକାରୀ କିମ୍ବା ପ୍ରତିଷ୍ଠାନ ବିରୋଧରେ ତଦନ୍ତର ଆବଶ୍ୟକତା ରହିଛି ବୋଲି ବିଚାର କରନ୍ତି ତ‌ାହାଲେ ସଂପୃକ୍ତ ଅଧିକାରୀ କିମ୍ବା ପ୍ରତିଷ୍ଠାନକୁ ନୋଟିସ୍ ପଠାଯିବ। ସଂପୃକ୍ତ ଅଧିକାରୀ କିମ୍ବା ପ୍ରତିଷ୍ଠାନ ନୋଟିସ୍ ପାଇବାର ୪୫ଦିନ ଭିତରେ ଏହାର ଉତ୍ତର ରଖିବା ଲାଗି ନିୟମରେ କୁହାଯାଇଛି। ସେହିପରି ଅଭିଯୋଗକାରୀଙ୍କୁ ଲୋକାୟୁକ୍ତଙ୍କ ନିକଟରେ ନିଜ ଅଭିଯୋଗ ଦାଖଲ କରିବା ସମୟରେ ଏକ ଆଫିଡେଭିଟ୍‌ ବା ସତ୍ୟପାଠ ଦେବାକୁ ହେବ। ସାଧାରଣ ପ୍ରଶାସନ ବିଭାଗର ଲୋକାୟୁକ୍ତଙ୍କୁ ନେଇ ଏଭଳି ବିଜ୍ଞପ୍ତିକୁ ନେଇ ସୂଚନାଧିକାର କର୍ମୀ ପ୍ରଦୀପ ପ୍ରଧାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ଲୋକାୟୁକ୍ତ ନିୟମ କରିବା ପୂର୍ବରୁ ରାଜ୍ୟ ସରକାର ଏଥିପାଇଁ ଡ୍ରାଫ୍‌ଟ ନୋଟିଫିକେସନ୍‌ କରିବାର ଆବଶ୍ୟକତା ରହିଥିଲା। ଲୋକପାଳ/ଲୋକାୟୁକ୍ତ ଆଇନ ହେବା ପୂର୍ବରୁ ଦେଶରେ ଏଥିପାଇଁ ବିତର୍କ ହୋଇଥିଲା। ତେଣୁ ଏଠି ସମାନ ଢଙ୍ଗରେ ଏହାକୁ ପାଳନ କରାଯାଇଥାନ୍ତା ତା’ହେଲେ ଅନ୍ୟମାନେ ଏହା ଉପରେ ନିଜର ପ୍ରସ୍ତାବ ଦେବାର ସୁଯୋଗ ରହିଥାନ୍ତା। ମାତ୍ର ସରକାର ଏହାକୁ ନିଜ ଇଚ୍ଛା ଅନୁଯାୟୀ ଏଭଳି ନିୟମ କରିଛନ୍ତି। ଏହାସହ ଆବେଦନକାରୀଙ୍କୁ ନୋଟାରିଙ୍କ ନିକଟରେ କରିଥିବା ଏକ ସତ୍ୟପାଠକୁ ଲୋକାୟୁକ୍ତଙ୍କ ନିକଟରେ ଦାଖଲ କରିବାକୁ ହେବ। ଇନ୍ଦିରା ଆବାସ ଓ ଅନ୍ୟ ଛୋଟ ଦୁର୍ନୀତି ଅଭିଯୋଗ ପାଇଁ ଲୋକମାନଙ୍କ ଅଯଥାରେ ସତ୍ୟପାଠ ପାଇଁ ଟଙ୍କା ଖର୍ଚ କରିବାକୁ ହେବ। ଲୋକମାନଙ୍କୁ କେବଳ ହଇରାଣ କରିବା ଉଦ୍ଦେଶ୍ୟରେ ଏଭଳି ନିୟମ କରାଯାଇଛି।

କିଛି ମାସ ପୂର୍ବରୁ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଆଫିଡେଭିଟ୍‌ର ଯୁଗ ଶେଷ ହେଲା ବୋଲି କହିଥିଲେ। ମାତ୍ର ତାଙ୍କ ସରକାର ପୁନର୍ବାର କିଭଳି ଆଫିଡେଭିଟ୍‌କୁ ପ୍ରଶ୍ରୟ ଦେଉଛନ୍ତି ତାହା ବୁଝା ପଡ଼ୁନାହିଁ। ଲୋକାୟୁକ୍ତରେ ମଧ୍ୟ ଏଭଳି କୌଣସି ନିୟମ ନାହିଁ। ଯେଉଁମାନେ ମିଛ କିମ୍ବା ମୂଲ୍ୟହୀନ ଅଭିଯୋଗ କରୁଛନ୍ତି ସେମାନଙ୍କ ବିରୋଧରେ ୨ବର୍ଷ ଜେଲ ଓ ୫୦ହଜାର ଟଙ୍କାର ଜରିମାନା ରହିଛି। ଏହା ସତ୍ତ୍ବେ ମଧ୍ୟ ଆଫିଡେଭିଟ୍‌ର କ’ଣ ଆବଶ୍ୟକତା ପଡ଼ିଲା ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦୁର୍ନୀତିଗ୍ରସ୍ତ ସରକାର ଅଧିକାରୀ ଯେପରି ଲୋକଲୋଚନକୁ ନ ଆସିବେ ସେଥିପାଇଁ ନାମ ଗୋପନ ରଖିବା ଲାଗି ଏଭଳି ନିୟମ କରାଯାଇଛି। ନିକଟ ଅତୀତରେ କିଛି ବଡ଼ ସରକାରୀ ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଛି। ତେଣୁ ସରକାରୀ ଅଧିକାରୀଙ୍କୁ କୌଣସି ପ୍ରକାର ସୁରକ୍ଷା ଦେବା ଲାଗି ଏଭଳି ନିୟମ କରାଯାଇଥିବା ସେ କହିଛନ୍ତି।

ଅନ୍ୟପକ୍ଷରେ ଓଡ଼ିଶା ଲୋକାୟୁକ୍ତ କିଛିଦିନ ପୂର୍ବରୁ ନିଜ ବାର୍ଷିକ ରିପୋର୍ଟରେ ପୂର୍ବରୁ ଭିଜିଲାନ୍‌ସକୁ ନିଜ ଅଧୀନକୁ ଆଣିବା ଲାଗି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ଲୋକାୟୁକ୍ତଙ୍କ ନିକଟକୁ ଅଧିକରୁ ଅଧିକ ଦୁର୍ନୀତି ସମ୍ବନ୍ଧୀୟ ମାମଲା ଆସୁଥିବାରୁ ଭିଜିଲାନ୍‌ସ ଲୋକାୟୁକ୍ତ ଅଧୀନକୁ ଆସିଲେ ଉଭୟ ଲୋକାୟୁକ୍ତ ଓ ଭିନିଲାନ୍‌ସର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ ବୋଲି ପ୍ରସ୍ତାବ ଦିଆଯାଇଥିଲା।

ସମ୍ବନ୍ଧିତ ଖବର