୬ହଜାର ଉପରେ ସଂକ୍ରମଣ, ୮ ମୃତ; ରାଜ୍ୟରେ ୩୬ହଜାରରୁ ଅଧିକ ଚିକିତ୍ସାଧୀନ ରୋଗୀ

ନୂଆପଡ଼ାରେ କୋଭିଡ୍‌ ସ୍ଥିତି ଯାଞ୍ଚ କଲେ ଡିଏମ୍‌ଇଟି, ସ୍ବାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ବର : ରାଜ୍ୟରେ ଲଗାତାର ଦ୍ବିତୀୟ ଦିନ ଲାଗି ଦୈନିକ ସଂକ୍ରମଣ ୬ହଜାର ଉପରେ ରହିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୬,୨୧୫ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ କରୋନା ୮ ଜଣଙ୍କ ପ୍ରାଣ ନେଇଛି। ଚଳିତ ବର୍ଷ ଏହା ସର୍ବାଧିକ କୋଭିଡ୍‌ ମୃତ୍ୟୁ। ମୃତ୍ୟୁ ସଂଖ୍ୟା ବଢ଼ିବା ସହ ଲଗାତାର ଭାବେ ଦୈନିକ ସଂକ୍ରମଣ ୬ହଜାର ଉପରେ ରହିବା ରାଜ୍ୟରେ ସଂକ୍ରମଣର ଗମ୍ଭୀର ସ୍ଥିତିକୁ ବୟାନ କରୁଛି। ଏସବୁ ଭିତରେ ପଶ୍ଚିମବଂଗରେ ଚିହ୍ନଟ ହୋଇଥିବା ନୂତନ ଷ୍ଟ୍ରେନ୍‌ ଓଡ଼ିଶା ପାଇଁ ଅଧିକ ଚିନ୍ତା ବଢ଼ାଇ ଦେଇଛି।

ଅପରପକ୍ଷରେ ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଗତମାସ ୨୨ତାରିଖ ବେଳକୁ ରାଜ୍ୟରେ ୭୮୫ଜଣ ଚିକିତ୍ସାଧୀନ ରୋଗୀ ରହିଥିବାବେଳେ ଗୋଟିଏ ମାସରେ ୩୫,୮୮୦ ଆକ୍ରାନ୍ତ ଏଥିରେ ଯୋଡ଼ି ହୋଇଛନ୍ତି। ଅର୍ଥାତ୍ ମାସକରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪୫ଗୁଣ ବଢ଼ିଛି। ରାଜ୍ୟରେ ଏବେ ୩୬,୬୬୫ଜଣ ଚିକିତ୍ସାଧୀନ ରୋଗୀ ଥିବାବେଳେ ଏହା ସମୁଦାୟ ସଂକ୍ରମଣର ୯ ପ୍ରତିଶତରୁ ଅଧିକ। ତେବେ ଯେଉଁଭଳି ଭାବେ ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି, ଆଗାମୀ ଦିନରେ ଏହା ସ୍ବାସ୍ଥ୍ୟସେବା ପାଇଁ ଆହ୍ବାନ ସୃଷ୍ଟି କରିବ।
ସଂକ୍ରମଣ ବଢ଼ୁଥିବା ବେଳେ ବେଙ୍ଗଲ ଷ୍ଟ୍ରେନ୍‌ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ଯଦିଓ ରାଜ୍ୟରେ ଏ ପର୍ଯ୍ୟନ୍ତ ବେଙ୍ଗଲ ଷ୍ଟ୍ରେନ୍ ଚିହ୍ନଟ ହୋଇନାହିଁ, ମାତ୍ର ରାଜ୍ୟ ସରକାର ଏହାକୁ ନେଇ ଯଥେଷ୍ଟ ସତର୍କତା ଆରମ୍ଭ କରିଛନ୍ତି। ପଶ୍ଚିମବଙ୍ଗ-ଓଡ଼ିଶା ସୀମାରେ ବାଲେଶ୍ବର ଜିଲ୍ଲା ପ୍ରଶାସନ ତରଫରୁ କଡ଼ା କଟକଣା ଜାରି କରାଯାଇଛି। ପଶ୍ଚିମବଙ୍ଗରୁ ଫେରୁଥିବା ଲୋକମାନଙ୍କୁ ୧୪ଦିନ ସଙ୍ଗରୋଧରେ ରହିବା ଲାଗି ରାଜ୍ୟ ସରକାର ଗତକାଲି ନିର୍ଦେଶନାମା ଜାରି କରିଛନ୍ତି। ସେହିପରି ଆଜି ନୂଆପଡ଼ା ଜିଲ୍ଲାରେ କୋଭିଡ ସ୍ଥିତି ସଂପର୍କରେ ଯାଞ୍ଚ କରିଛନ୍ତି ଡିଏମ୍‌ଇଟି ଓ ସ୍ବାସ୍ଥ୍ୟସେବା ନି‌ର୍ଦେଶକ।

ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୨ହଜାର ୧୨୨କୁ ବୃଦ୍ଧି ପାଇଛି। ଜିଲ୍ଲାୱାରି ଦେଖିଲେ ଆଜି ବି ଖୋର୍ଧା ଦୈନିକ ସଂକ୍ରମଣରେ ଶୀର୍ଷ ସ୍ଥାନରେ ରହିଛି। ଗୋଟିଏ ଦିନରେ ୯୫୦ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହାସହ ସୁନ୍ଦରଗଡ଼ ୬୮୪, କଳାହାଣ୍ଡି ୬୮୨, ନୂଆପଡ଼ା ୪୪୬, କଟକ ୩୮୩, ପୁରୀ ୩୦୬, ବରଗଡ଼ ୨୬୮, ସମ୍ବଲପୁର ୨୬୩ ଓ ଷ୍ଟେଟ୍‌ ପୁଲରୁ ୧୯୩ଜଣ ଚିହ୍ନଟ ହୋଇଛନ୍ତି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୯୪ହଜାର ୬୯୪କୁ ବୃଦ୍ଧି ପାଇଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୪୩,୫୩୮ କୋଭିଡ ନମୁନା ପରୀକ୍ଷା କରାଯାଇଥିବା ବେଳେ ଏଥିରେ ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର୍‌ ୧୪.୨୭ ପ୍ରତିଶତ ରହିଛି। ରାଜ୍ୟରେ କ୍ରମାଗତ ଭାବେ ଟିପିଆର୍‌ ବଢ଼ି ଚାଲିଥିବାରୁ ରାଜ୍ୟର ସାମଗ୍ରିକ ଟିପିଆର୍‌ ୪ ପ୍ରତିଶତ ଟପି ଯାଇଛି।

ସେହିପରି ଦିନକୁ ଦିନ କୋଭିଡ୍‌ ମୃତ୍ୟୁ ସଂଖ୍ୟା ବି ବଢ଼ିବାରେ ଲାଗିଛି। ରାଜ୍ୟରେ ଗୋଟିଏ ଦିନରେ ୮ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମ, କଳାହାଣ୍ଡିରେ ୨ଲେଖାଏଁ, ଖୋର୍ଧା, କନ୍ଧମାଳ, ବଲାଙ୍ଗୀର ଓ ବାଲେଶ୍ବରରେ ଜଣେ ଲେଖାଏଁ କରୋନାର ଶିକାର ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୯୭୩ରେ ପହଞ୍ଚି ଯାଇଛି। ଆଜି ରାଜ୍ୟରେ ସର୍ବାଧିକ ୨୪୫୨ କୋଭିଡ ରୋଗୀ ସୁସ୍ଥ ହୋଇଛନ୍ତି। ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩ଲକ୍ଷ ୫୬ହଜାରକୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର