ଗରିବଙ୍କ ପାଇଁ ପୁଣି ପେଟ ଚିନ୍ତା: ୮୦ କୋଟିଙ୍କୁ ମାଗଣା ରାସନ

ମେ, ଜୁନ୍ ମାସ ପାଇଁ ମିଳିବ, ମାସିକ ମୁଣ୍ଡପିଛା ୫ କିଲୋ, ଉପକୃତ ହେବେ ଓଡ଼ିଶାର ୩.୫ କୋଟି

ନୂଆଦିଲ୍ଲୀ : କରୋନାର ଦ୍ବିତୀୟ ଲହର ଦିନକୁ ଦିନ ଭୟାନକ ହେଉଥିବାବେଳେ କେନ୍ଦ୍ର ସରକାର ଆଜି ଗରିବ ଲୋକଙ୍କ ପାଇଁ ଖାଦ୍ୟ ଚିନ୍ତା କରିଛନ୍ତି। ୨ ମାସ ଲାଗି ମାଗଣା ରାସନ ଯୋଗାଇବାକୁ ଘୋଷଣା କରିଛନ୍ତି। ମେ ଏବଂ ଜୁନ୍ ମାସ ପାଇଁ ମାସିକ ମୁଣ୍ଡପିଛା ୫ କିଲୋ ଖାଦ୍ୟଶସ୍ୟ ମାଗଣାରେ ଯୋଗାଇ ଦେବେ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଏହା କାର୍ଯ୍ୟକାରୀ ହେବ। ଏହାଦ୍ବାରା ଓଡ଼ିଶାର ସାଢ଼େ ତିନିକୋଟି ଲୋଙ୍କ ସମେତ ଦେଶରେ ପାଖାପାଖି ୮୦ କୋଟି ଲୋକ ଉପକୃତ ହେବେ। ଏ ବାବଦରେ ସରକାରଙ୍କୁ ୨୬ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀମାନଙ୍କୁ ମିଳୁଥିବା ମାସିକ ଖାଦ୍ୟଶସ୍ୟ ବାଦ୍‌ ଏହି ଅତିରିକ୍ତ ଖାଦ୍ୟଶସ୍ୟ ସରକାର ଯୋଗାଇ ଦେବେ।

ଉଲ୍ଲେଖଯୋଗ୍ୟ, ଦେଶରେ କରୋନା ସଂକ୍ରମଣର ଦ୍ବିତୀୟ ଲହର ଚାଲିଥିବାରୁ ଗରିବଙ୍କୁ ମାଗଣାରେ ଖାଦ୍ୟଶସ୍ୟ ଯୋଗାଇ ଦେବା ପାଇଁ ୩ଟି ରାଜ୍ୟ ଯଥା ରାଜସ୍ଥାନ, କେରଳ ଏବଂ ଉତ୍ତରାଖଣ୍ଡ ପକ୍ଷରୁ ଦାବି କରାଯାଇଥିଲା। ଏଥିସହିତ ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କ ସମେତ ୪ ଜଣ ଏମ୍‌ପି ମଧ୍ୟ ଗତବର୍ଷ ସରକାର କାର୍ଯ୍ୟକାରୀ କରିଥିବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ପୁନଃ ଆରମ୍ଭ କରିବା ଲାଗି ଦାବି କରିଥିଲେ।

ଦେଶରେ କରୋନା ସଂକ୍ରମଣର ଦ୍ବିତୀୟ ଲହର ଚାଲିଥିବାବେଳେ ଗରିବ ଲୋକଙ୍କୁ ପୁଷ୍ଟିକର ଖାଦ୍ୟଶସ୍ୟ ଯୋଗାଇବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ମେ ଓ ଜୁନ୍ ଦୁଇ ମାସ ପାଇଁ ଗରିବ ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦିଆଯିବ।

ଗତବର୍ଷ କରୋନାର ପ୍ରଥମ ଲହର ସମୟରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଘୋଷଣା କରିଥିଲେ। ଏହି ଯୋଜନାରେ ପ୍ରଥମେ ୨୦୨୦ ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ୩ ମାସ ପାଇଁ ହିତାଧିକାରୀଙ୍କୁ ମାସିକ ମୁଣ୍ଡପିଛା ୫ କିଲୋ ଲେଖାଏଁ ଖାଦ୍ୟଶସ୍ୟ ମାଗଣା ଯୋଗାଇ ଦିଆଯାଇଥିଲା। ପରେ ଉକ୍ତ ଯୋଜନାକୁ ନଭେମ୍ବର ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିଲା। ଜୀବିକା ହରାଇଥିବା ଗରିବ ପରିବାରଗୁଡ଼ିକ ପାଇଁ ଏହା ଅନେକ ମାତ୍ରାରେ ଆଶ୍ବସ୍ତି ଦେଇଥିଲା।

ସମ୍ବନ୍ଧିତ ଖବର