ଟିପିଏସ୍‌ଓଡିଏଲ୍‌ର ୧୦୯ କର୍ମଚାରୀଙ୍କୁ କ‌ରୋନା, ୪୧ ସୁସ୍ଥ, ୬ ମୃତ

ହଳଦିଆପଦରରେ ଖୋଲିଛି ୧୮ ଶଯ୍ୟାର ନିଜସ୍ବ କୋଭିଡ୍‌ କେୟାର୍‌ ସେଣ୍ଟର୍‌

ବ୍ରହ୍ମପୁର : କରୋନାର ଦ୍ବିତୀୟ ଲହର୍‌ ଏତେ ସାଂଘାତିକ ହୋଇଛି ଯେ ଚାରିଆଡ଼େ ଏହା ବ୍ୟାପିବାରେ ଲାଗିଛି। ଏଥିରେ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି କୋଭିଡ଼୍‌ ଯୋଦ୍ଧା, ସରକାରୀ ଓ ବେସରକାରୀ କର୍ମଚାରୀ ସଂକ୍ରମିତ ହୋଇଛନ୍ତି। ଶିଶୁଙ୍କ ଠାରୁ ବୃଦ୍ଧଙ୍କ ପର୍ଯ୍ୟନ୍ତ ଏହି ମାରତ୍ମକ ଭୂତାଣୁ ସଂକ୍ରମିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କେତେକ ଆଖି ବୁଜି ଦେଇଥିବାବେଳେ କିଛି ସଂକ୍ରମିତ ସୁସ୍ଥ ହୋଇ ଫେରିଛନ୍ତି। ଦକ୍ଷିଣ ଓଡ଼ିଶାର ୮ଟି ଜିଲ୍ଲାରେ ବିଦ୍ୟୁତ୍‌ ସେବା ପରିଚାଳନା କରୁଥିବା ଟାଟା ପାୱାର ସାଉଥ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ (ପୂର୍ବରୁ ସାଉଥ୍‌କୋ)ର ୧୦୯ ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ସଂକ୍ରମିତଙ୍କ ମଧ୍ୟରୁ ୪୧ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୬୨ ଜଣ ଘରୋଇ ସଂଗରୋଧ ସମେତ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। କରୋନାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୪ ଜଣ କର୍ମଚାରୀ ଏବଂ ଅନ୍ୟ ଦୁଇ ଜଣ କର୍ମଚାରୀଙ୍କ ଅଭିଭାବକ ରହିିଥିବା ସୂଚନା ମିଳିଛି।

କରୋନାର ଏଭଳି ଭୟାବହତାକୁ ଦୃଷ୍ଟିରେ ରଖି କଂପାନି ପକ୍ଷରୁ ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ଠାରେ ଏକ କୋଭିଡ଼୍‌ କେୟାର୍‌ ସେଣ୍ଟର୍‌ ପ୍ରତିଷ୍ଠା କରାଯାଇଛି। ୧୮ ଶଯ୍ୟା ବିଶିଷ୍ଟ ଏହି କୋଭିଡ଼୍‌ କେୟାର୍‌ ସେଣ୍ଟର୍‌ରେ ତିନି ଜଣ ଡାକ୍ତରଙ୍କ ସମେତ ପାରା ମେଡିକାଲ୍‌ କର୍ମଚାରୀ ନିୟୋଜିତ ରହିଥିବା ଟିପିଏସ୍‌ଓଡିଏଲ୍‌ର ଡିଜିଏମ୍ ନେତାଜୀ ସୁବୁଦ୍ଧି ସୂଚନା ଦେଇଛନ୍ତି। କଂପାନିର କର୍ମଚାରୀଙ୍କ ସମେତ ତାଙ୍କ ପରିବାର ସଦସ୍ୟ କେହି ବି କରୋନାରେ ସଂକ୍ରମିତ ହେଲେ ଏଠାରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। କରୋନା ଆକ୍ରାନ୍ତ ରୋଗୀଙ୍କୁ ସ୍ଥାନାନ୍ତର କରିବା ପାଇଁ ୪ଟି ଅକ୍ସିଜେନ୍ ସୁବିଧା ଥିବା ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି। ବ୍ରହ୍ମପୁର ସମେତ ଜୟପୁର, ରାୟଗଡ଼ା ଓ ଭଂଜନଗରରେ ଏହି ଆମ୍ବୁଲାନ୍ସ ରଖାଯାଇଛି। ଟିପିଏସ୍‌ଓଡିଏଲ୍ ଅଞ୍ଚଳର ଅନ୍ୟ ସ୍ଥାନରେ ବି ଏଭଳି କୋଭିଡ଼୍‌ କେୟାର୍‌ ସେଣ୍ଟର୍‌ ଖୋଲିବାକୁ ପ୍ରସ୍ତାବ ରହିଥିବା ଡିଜିଏମ୍ ଶ୍ରୀ ସୁବୁଦ୍ଧି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର