ଦ୍ୱିତୀୟ ଦିନରେ ମହାପ୍ରଭୁଙ୍କ ନୌବିହାର: କଟକଣା ମଧ୍ୟରେ ଚନ୍ଦନଯାତ୍ରା

ପୁରୀ : ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପଖେଳ ଦ୍ୱିତୀୟ ଦିନରେ ପହଞ୍ଚିଛି। ଯଥାବିଧି ନୀତିକାନ୍ତି ପରେ ଗତକାଲି ଭଳି ଆଜି ବି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ଶ୍ରୀଦେବୀ ଓ ଭୂଦେବୀଙ୍କ ସହ ମଣି ବିମାନରେ ବିଜେ ହୋଇ ନରେନ୍ଦ୍ର ଚକଡ଼ାରେ ପହଞ୍ଚିବା ପରେ ଚାପ ଖେଳିଛନ୍ତି। ସାଙ୍ଗରେ ରାମ-କୃଷ୍ଣ, ପଞ୍ଚ ମହାଦେବ ଜମ୍ୱେଶ୍ୱର, ଲୋକନାଥ, କପାଳମୋଚନ, ମାର୍କଣ୍ଡେଶ୍ୱର ଓ ନୀଳକଣ୍ଠେଶ୍ୱର ମଧ୍ୟ ନିଜ ନିଜ ପାଲିଙ୍କି ଓ ବିମାନରେ ବାହାରି ନରେନ୍ଦ୍ର ପୁଷ୍କରିଣୀଠାରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ସହ ନନ୍ଦା ଓ ଭଦ୍ରାରେ ବସି ନୌବିହାର କରିଛନ୍ତି।

ରବିବାର ବି କଡ଼ା କଟକଣା ଭିତରେ ଚନ୍ଦନଯାତ୍ରା ନୀତିକାନ୍ତି ଅନୁଷ୍ଠିତ ହୋଇଯାଇଛି। ରବିବାର ଅପରାହ୍ଣ ୨ଟା ୪୦ରେ ଚନ୍ଦନ ଠାକୁର ବିମାନରେ ବିଜେ କରିଥିଲେ। ଅପରାହ୍ଣ ସାଢ଼େ ୩ଟାରେ ଠାକୁର ଶ୍ରୀମନ୍ଦିରରୁ ବାହାରି ଚନ୍ଦନଯାତ୍ରା କରିଥିଲେ। ସଂଧ୍ୟା ୬ଟା ୧୦ ସୁଦ୍ଧା ଦିନ ଚାପ ସରିବା ପରେ ପାଣି ଭର୍ତ୍ତି ଚନ୍ଦନ କୁଣ୍ଡରେ କିଛି ସମୟ ବିଶ୍ରାମ ନେଇ ପୁନର୍ବାର ରାତି ଚାପ ଖେଳି ଖେଳି ରାତି ୯ଟା ପୂର୍ବରୁ ଶ୍ରୀମନ୍ଦିରକୁ ବାହୁଡ଼ିଥିଲେ। ଆଜି ବି ଚନ୍ଦନଯାତ୍ରା ପାଇଁ ସିଂହଦ୍ବାରରୁ ନରେନ୍ଦ୍ର ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇ କଡ଼ା ପୁଲିସ ପହରାର ବ୍ୟବସ୍ଥା କରାଯାଇଥିଲା।

ସମ୍ବନ୍ଧିତ ଖବର