ନକଲି ଔଷଧ ବିକ୍ରି ଘଟଣା: ବାକି ହୋଲ୍‌ସେଲ୍‌ରଙ୍କ ଉପରେ ଚଢ଼ଉ କେବେ ?

ବ୍ୟବସାୟୀ ସଂଘର ଦୁଇ ଗୋଷ୍ଠୀ ମୁହାଁମୁହିଁ

ରାଉରକେଲା: ନକଲି ଔଷଧର ଚେର କଟକରୁ ରାଉରକେଲାକୁ ଲମ୍ବିବା ପରେ ଆରମ୍ଭ ହୋଇଛି ଖୋଳତାଡ। ଔଷଧ ନାଁରେ ଲୋକଙ୍କ ଜୀବନ ସହ ଖେଳ ଖେଳୁଥିବା କିଛି ମୁନାଫାଖୋର୍‌ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଜ ଟିମ୍‌ ଆଜିଠାରୁ ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଗତ ତିନି ଦିନ ତଳେ କଟକ ହୋଲ୍‌ସେଲ୍‌ ବ୍ୟବସାୟୀଙ୍କ ସୂଚନା ଆଧାରରେ ରାଉରକେଲା କେବଳ ୩ଟି ହୋଲ୍‌ସେଲ୍‌ ଔଷଧ ଦୋକାନରେ ଚଢ଼ଉ କରାଯାଇଥିଲା। ଦୁଇଟି ହୋଲ୍‌ସେଲର୍‌ଙ୍କ ନିକଟରୁ ୩ ପ୍ରକାର ନକଲି ଔଷଧ ଠାବ କରାଯାଇଥିଲା। ଏହା ବାସ୍ତବରେ ନକଲି କି ଅସଲି, ପରୀକ୍ଷାଗାରରେ ପରୀକ୍ଷାରେ ପରେ ହିଁ ଜଣାପଡିବ। ହେଲେ ରାଉରକେଲା ୩ଟି ହୋଲସେଲର୍‌ଙ୍କ ଉପରେ ଚଢ଼ଉ କରି ଡ୍ରଗ୍‌ସ ଇନ୍ସପେକ୍ଟର ଚୁପ୍‌ ବସିଥିବାରୁ ସହରବାସୀଙ୍କ ମଧ୍ୟରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୩ଟି ନୁହେଁ ରାଉରକେଲା ଓ ସୁନ୍ଦରଗଡରେ ଥିବା ଅନ୍ୟ ସମସ୍ତ ହୋଲ୍‌ସେଲ୍‌ ଔଷଧ ଦୋକାନରେ ଉପରେ ଚଢ଼ଉ ହେବାର ଆବଶ୍ୟକତା ରହିଛି ବୋଲି ବିଜେପିର ନିହାର ରାୟ, କଂଗ୍ରେସର ବୀରେନ ସେନାପତିଙ୍କ ସମେତ ଅନେକ ବୁଦ୍ଧିଜୀବୀ ଦାବି କରିଛନ୍ତି।

ବର୍ଷ ବର୍ଷ ଧରି ରିଟେଲରମାନଙ୍କୁ ଔଷଧ ଯୋଗାଣ କରୁଥିବା ଏସବୁ ହୋ‌ଲସେଲ୍‌ ଦୋକାନରେ ଠିକ୍‌ଠାକ୍‌ ଚାଲିଛି ତ ? ଡ୍ରଗ୍ସ କଣ୍ଟ୍ରୋଲର ସମସ୍ତ ଗାଇଡ୍‌ ଲାଇନକୁ ଏମାନେ ଅନୁପାଳନ କରୁଛନ୍ତି ତ ? ଯେଉଁମାନେ ହୋଲ୍‌ସେଲ୍‌ ବ୍ୟବସାୟ କରୁଛନ୍ତି, ସେମାନଙ୍କ ଲାଇସେନ୍ସ ଅବଧି ଅଛି କି ? ଯଦି ନାହିଁ ବିଭାଗ ଏମାନଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ? ଏସବୁର ବିଧିବଦ୍ଧ ଯାଞ୍ଚ କରିବାର ଆବଶ୍ୟକତା ରହିଛି। ଜିଲ୍ଲାବାସୀଙ୍କ ବୃହତ ସ୍ବାର୍ଥ ଦୃଷ୍ଟିରୁ ଡ୍ରଗ୍‌ସ ଇ‌ନ୍ସପେକ୍ଟର ଚୁପ୍‌ ନ ବସି ପର୍ଯ୍ୟାୟକ୍ରମେ ସହର ଏବଂ ସୁନ୍ଦରଗଡରେ ରହିଥିବା ସମସ୍ତ ହୋଲ୍‌ସେଲ୍‌ର ବିକ୍ରି ହେଉଥିବା ଔଷଧକୁ ଟିକ୍‌ନିକ୍‌ ଯାଞ୍ଚ କରିବା ଦରକାର। ସେପଟେ ରାଉରକେଲା ନକଲି ଔଷଧ ଠାବ ହେବା ପରେ ସୁନ୍ଦରଗଡ କେମିଷ୍ଟି ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍‌ର ଦୁଇ ଗୋଷ୍ଠୀ ମଧ୍ୟରେ ଆରମ୍ଭ ହୋଇଯାଇଛି ଶୀତଳଯୁଦ୍ଧ। ମୁହାଁମୁହିଁ ହୋଇଛନ୍ତି ଦୁଇଗୋଷ୍ଠୀ। ସଭାପତି ଓ ସମ୍ପାଦକଙ୍କ ମଧ୍ୟରେ ଏଭଳି ଚାଲିଥିବା ଏଭଳି ବିବାଦକୁ ଅନେକ ଔଷଧ ବ୍ୟବସାୟୀ ନା ପସନ୍ଦ କରିଛନ୍ତି।

ଆସୋସିଏସନର ସଭାପତି ଅନୀଲ ଅଗ୍ରୱାଲ କହିଛନ୍ତି, ଜବତ ହୋଇଥିବା ଔଷଧ ଅସଲି କି ନକଲି ପରୀକ୍ଷା ପରେ ଜଣାପଡିବ। ଏହାକୁ ନେଇ ସଂଘ ଅଯଥା ରାଜନୀତି କରିବା ଆଦୌ ଯୁକ୍ତିଯୁକ୍ତ ନୁହେଁ। କିଛି ଖଳ ପ୍ରକୃତର ବ୍ୟବସାୟୀ ନିଜର ବ୍ୟବସାୟିକ ଫାଇଦା ନେବାକୁ ସାମ୍ବାଦିକ ସମ୍ମିଳନୀ କରି ଏମିତି କହୁଛନ୍ତି। ବାସନ୍ତୀ କଲୋନିର ସଂଘର ଅଫିସ୍‌କୁ ନିଜ ବ୍ୟକ୍ତିଗତ ମାଲିକାନାରେ ରଖିଛନ୍ତି। ଏହି ବାବଦରେ ମିଳୁଥିବା ଭଡାକୁ ସଂଘର ଆକାଉଣ୍ଟରେ ଜମା କରି ଆତ୍ମସାତ୍‌ କରୁଛନ୍ତି। ପୂର୍ବରୁ ଏହି ଘଟଣାକୁ ନେଇ ଅନେକ ବିବାଦ ସୃଷ୍ଟି ହୋଇଥିଲା। ଏ ସଂକ୍ରାନ୍ତରେ ସେ ସୁନ୍ଦରଗଡ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ, ଉତ୍କଳ କେମିଷ୍ଟି ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନର ପ୍ରଶାନ୍ତ ମହାପାତ୍ର ଚିଠି ଲେଖି ଘଟଣାର ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ସେପଟେ ସଂଘର ସାଧାରଣ ସମ୍ପାଦକ ରଣଜିତ ବିଶ୍ବାଳ ସଭାପତି ଅନୀଲଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ‘‘ଅନୀଲ ଓ ଡକ୍ଟର ଫାର୍ମର ମାଲିକଙ୍କୁ ଆସନ୍ତା ୬ ବର୍ଷ ପାଇଁ ପ୍ରାଥମିକ ସଦସ୍ୟରୁ ନିଲମ୍ବିତ କରି ଦେଇଛୁ। ତାଙ୍କୁ ଜୋନାଲ୍‌ ବୈଠକରେ ସର୍ବସମ୍ମତିକ୍ରମେ ସଭାପତି ପଦରୁ ବାହାର କରି ଦିଆଯାଇଛି। କିନ୍ତୁ ଏବେ ମଧ୍ୟ ସଭାପତି ପଦ ବ୍ୟବହାର କରି ଏଭଳି କାରବାର କରୁଛନ୍ତି।’’

ସମ୍ବନ୍ଧିତ ଖବର