ଓକିଲ ଆନ୍ଦୋଳନ ଯୋଗୁଁ କୋର୍ଟ ବନ୍ଦ ଥିଲେ ପାଖ କୋର୍ଟରେ ଶୁଣାଣି ହେବ, ବିଜ୍ଞପ୍ତି ଜାରି କଲା ଆଇନ ବିଭାଗ

ଭୁବନେଶ୍ବର : ଓକିଲ ଆନ୍ଦୋଳନ ଓ ଅନ୍ୟାନ୍ୟ କାରଣରୁ କୋର୍ଟ ବନ୍ଦ ରହିଲେ ପାଖ କୋର୍ଟରେ ଶୁଣାଣି ହେବ। ସୁପ୍ରମିକୋର୍ଟଙ୍କ ନିର୍ଦେଶ ଅନୁସାରେ, ହାଇକୋର୍ଟଙ୍କ ସହ ବିଚାରବିମର୍ଶ ପରେ ଏଭଳି ବିଜ୍ଞପ୍ତି ପ୍ରକାଶ କରିଛି ରାଜ୍ୟ ଆଇନ ବିଭାଗ।

ସୁପ୍ରିମକୋର୍ଟରେ ଗତବର୍ଷ ଡିସେମ୍ବର ୬ ତାରିଖରେ ପିଏଲଆର ପ୍ରୋଜେକ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ବନାମ ମହାନଦୀ କୋଲଫିଲ୍ଡସର ମାମଲା ଶୁଣାଣି କରିବା ବେଳେ ସୁପ୍ରିମକୋର୍ଟ ଓଡ଼ିଶାର ଅଦାଲତଗୁଡ଼ିକରେ ଓକିଲମାନେ ନିରବଚ୍ଛିନ୍ନ ଭାବେ ଅନୁପସ୍ଥିତ ରହୁଥିବାରୁ ଉଦ୍‌ବେଗ ପ୍ରକାଶ କରିଥିଲେ। ଏହାର ବିକଳ୍ପ ନ୍ୟାୟିକ ସୁବିଧା ପ୍ରଦାନ ଲାଗି କହିଥିଲେ। ତେଣୁ ଆଜି ଓକିଲ ଆନ୍ଦୋଳନ ଯୋଗୁଁ ପ୍ରଭାବିତ ପଶ୍ଚିମ ଓଡ଼ିଶାର ୪ଟି ଜିଲ୍ଲା ପାଇଁ ଏ ନେଇ ବିସ୍ତୃତ ତାଲିକା ପ୍ରକାଶ ପାଇଛି। ବାଲାଙ୍ଗୀର, ଦେବଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରରେ କୋର୍ଟ ବନ୍ଦ ରହିଲେ କେଉଁଠି ଶୁଣାଣି ହେବ ସେ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। କେଉଁ ଅଦାଲତ ବନ୍ଦ ରହିଲେ ତାହାର ବିଚାର ଅନ୍ୟ କେଉଁ କୋର୍ଟରେ ହେବ ତାହା ସ୍ଥିର ହୋଇଛି। ବଲାଙ୍ଗୀର ଜିଲ୍ଲା ଦୌରାଜଜ୍, ଅତିରିକ୍ତ ଜିଲ୍ଲା ଦୌରାଜଜ୍, ସ୍ବତନ୍ତ୍ର ପକ୍‌ସୋ କୋର୍ଟ, ଏସ୍‌ସି/ଏସ୍‌ଟି ଓ ଏନଡିପିଏସ୍ କୋର୍ଟ ବନ୍ଦ ରହିଲେ ଟିଟିଲାଗଡ଼ ଅତିରିକ୍ତ ଜିଲା ଦୌରାଜଜ୍ କୋର୍ଟରେ ଶୁଣାଣି ହେବ। ସେହିପରି ଦେବଗଡ଼ ଜିଲ୍ଲା ଦୌରାଜଜ୍ ବନ୍ଦ ରହିଲେ କେନ୍ଦୁଝର ଜିଲ୍ଲା ଦୌରାଜଜ୍, ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟ ବନ୍ଦ ଥିଲେ କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ୍, ଏସଡିଜେଏମ୍ କୋର୍ଟ ବନ୍ଦ ରହିଲେ କେନ୍ଦୁଝର ଏସଡିଜେଏମ୍ କୋର୍ଟରେ ଶୁଣାଣି ହେବ। ଝାରସୁଗୁଡ଼ା ଜିଲ୍ଲା ଦୌରାଜଜ୍ କୋର୍ଟ ବନ୍ଦ ରହିଥିଲେ ସୁନ୍ଦରଗଡ଼ ଜିଲା ଦୌରାଜଜ୍, ସେହିପରି ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟ ବନ୍ଦ ରହିଲେ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍, ଝାରସୁଗୁଡ଼ା ଏସଡିଜେଏମ୍ ଓ ଜେଏମ୍ଏଫସି ବନ୍ଦ ରହିଲେ ସୁନ୍ଦରଗଡ଼ର ଏସଡିଜେଏମ୍ ଏବଂ ଜେଏମ୍ଏଫସି କୋର୍ଟରେ ଶୁଣାଣି ହେବ। ସମ୍ବଲପୁର ଜିଲା ଦୌରାଜଜ୍ କୋର୍ଟ ବନ୍ଦ ରହିଲେ ବରଗଡ଼ ଜିଲା ଦୌରାଜଜ୍, ଏସଡିଜେଏମ୍ ଓ ଜେଏମ୍ଏଫ୍‌ସି କୋର୍ଟ ବନ୍ଦ ରହିଲେ ବରଗଡ଼ର ସେହି କୋର୍ଟରେ ଶୁଣାଣି କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର