ରାଜ୍ୟରେ ୧୦ହଜାର ତଳକୁ ଖସିଲା କରୋନା ସଂକ୍ରମଣ

ଏତେଶୀଘ୍ର ଆଶ୍ୱସ୍ତି ହେବାର ସମୟ ଆସି ନାହିଁ: ବିଶେଷଜ୍ଞ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ୧୦ ହଜାର ତଳକୁ ଖସି ଆସିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୮୩୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ହେଲେ ଦୈନିକ ସଂକ୍ରମଣ ୧୦ହଜାର ତଳକୁ ଖସି ଆସିବାକୁ ନେଇ ଏତେଶୀଘ୍ର ଆଶ୍ବସ୍ତି ହେବାର ସମୟ ଆସି ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ରାଜ୍ୟ ସ୍ବାସ୍ଥ୍ୟସେବା ନି‌ର୍ଦେଶକ ଡା.ବିଜୟ ମହାପାତ୍ର କହିଛନ୍ତି, ରାଜ୍ୟରେ କରୋନାର ପ୍ରକୃତ ସ୍ଥିତି ସଂପର୍କରେ ଜାଣିବାକୁ ଆଉ ୪/୫ଦିନ ସମୟ ଲାଗିବ। ଟେଷ୍ଟିଂ କମି ନ ଥିବା ସତ୍ତ୍ବେ ଦୈନିକ ସଂକ୍ରମଣ ୧୦ ହଜାର ତଳକୁ ଦେଖିବାକୁ ମିଳିଛି। କେନ୍ଦ୍ର ସରକାରଙ୍କ କୋଭିଡ୍‌ ଗାଇଡଲାଇନ୍ ଅନୁଯାୟୀ ସର୍ଭେଲାନ୍‌ସ ଚାଲିଛି। ସାମାନ୍ୟ ଲକ୍ଷଣ ଦେଖାଦେଲେ ଟେଷ୍ଟ କରାଇନେବା ଜରୁରୀ। ଏହାସହ ଯେଉଁମାନେ କରୋନାରେ ଆକ୍ରାନ୍ତ ହେଉଛନ୍ତି, ସେମାନେ ପୃଥକବାସରେ ରହିଲେ ସଂକ୍ରମଣକୁ କମାଯାଇ ପାରିବ। କୋଭିଡ କିଭଳି ବ୍ୟବହାର କରିବ, ତାହା ନୂଆ ପ୍ରଜାତି ଉପରେ ନିର୍ଭର କରୁଛନ୍ତି। ଆଗକୁ କରୋନାର ଭାରିଏଣ୍ଟ ବଦଳିପାରେ, ଏବେ ସୁଦ୍ଧା ସେଭଳି କୌଣସି ତଥ୍ୟ ଆସିନାହିଁ। ରାଜ୍ୟରେ ଏବେ ୬ ପ୍ରତିଶତ ରୋଗୀ ଭେଣ୍ଟିଲେଟର୍‌ରେ ଚିକିତ୍ସିତ ହେଉଛନ୍ତି। ଭେଣ୍ଟିଲେଟର୍‌‌ରେ ଭର୍ତ୍ତି ହେଉଥିବା ୮୦-୯୦ ପ୍ରତିଶତ ରୋଗୀଙ୍କ ମୃତ୍ୟୁ ଆଶଙ୍କା ରହୁଥିବା ଡା. ମହାପାତ୍ର କହିଛନ୍ତି।

First Care Medical Clinic

ଗତ ୨୪ଘଣ୍ଟାରେ ରାଜ୍ୟରେ ୭୪,୪୪୩ କୋଭିଡ୍‌ ନମୁନା ପରୀକ୍ଷା ହୋଇଥିବା ବେଳେ ସଂକ୍ରମଣ ହାର ୧୩.୨୧କୁ ଖସି ଆସିଛି। ଖୋର୍ଧା, ସୁନ୍ଦରଗଡ଼ ବାଦ୍ ରାୟଗଡ଼ା ଓ ବଲାଙ୍ଗୀର ଜିଲ୍ଲାରେ ସଂକ୍ରମଣ ହାର ରାଜ୍ୟର ହାରଠାରୁ ଅଧିକ ରହିଛି। ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୨୯୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼୧୧୩୪, କଟକ ୭୭୪, ବାଲେଶ୍ବର ୨୮୬, ଯାଜପୁର ୨୫୬, ମୟୂରଭଞ୍ଜ ୨୯୫, ରାୟଗଡ଼ା ୨୭୪, ସମ୍ବଲପୁର ୨୦୬ ଓ ଷ୍ଟେଟ୍‌ ପୁଲରୁ ୫୬୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ଲକ୍ଷ ୮୭ହଜାର ୨୯୫ରେ ପହଞ୍ଚିଛି।
ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ସ୍ଥିର ରହିଛି। ଆଉ ୬ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୫୦୭କୁ ବୃଦ୍ଧି ପାଇଛି। ଅପରପକ୍ଷରେ ରାଜ୍ୟରେ ଆଜି ରେକର୍ଡସଂଖ୍ୟକ କରୋନା‌ ରୋଗୀ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନରେ ୧୦,୩୯୦ ରୋଗୀ ସୁସ୍ଥ ହେବା ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୭୯,୩୧୨କୁ ଖସି ଆସିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୦ଲକ୍ଷ ୯୯ହଜାର ୪୨୩ ରୋଗୀ ସୁସ୍ଥ ହୋଇ ସାରିଲେଣି। ତେବେ ଚିକିତ୍ସାଧୀନ ରୋଗୀଙ୍କ କ୍ଷେତ୍ରରେ ଓଡ଼ିଶା ଦେଶରେ ଅଷ୍ଟମ ସ୍ଥାନରେ ରହିଛି।

ସମ୍ବନ୍ଧିତ ଖବର