ଖୋଳି ଦେଇ ଛାଡ଼ିଦେଲେ: ଗୃହବନ୍ଦୀରେ ଡୁମୁଡୁମା ଫେଜ୍‌-୩ ବାସିନ୍ଦା

ଖଣ୍ଡଗିରି: ସରୁନି ଡ୍ରେନ୍‌ କାମ। ୪ ମାସ ହେଲା ଖୋଳା ହୋଇ ରାସ୍ତାପାର୍ଶ୍ବରେ ମାଟି ଗଦା ହୋଇ ରହିଛି। ଲୋକେ ଘରୁ ବାହାରି ପାରୁନାହାନ୍ତି। ଆବର୍ଜନା ପାଣି ରାସ୍ତାରେ ଲହଡ଼ି ଭାଙ୍ଗୁଛି। ଭୁବନେଶ୍ବର ମହାନଗର ନିଗମ ୱାର୍ଡ ନଂ ୬୬ ଅନ୍ତର୍ଗତ ଡୁମୁଡୁମା ଫେଜ୍-୩ରେ ଦୀର୍ଘ ଦିନ ହେବ ଦେଖାଦେଇଥିବା ଏହି ଅବ୍ୟବସ୍ଥାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନାନୁଯାୟୀ, ପାଖାପାଖି ୪ ମାସ ତଳେ ୪୦ଲକ୍ଷ ୧୩ ହଜାର ୭୪୨ଟଙ୍କା ବ୍ୟୟ ଅଟକଳରେ ଫେଜ୍‌-୩ରେ ଏଲ୍‌ଆଇଜି ୩୪୬ରୁ ଜ୍ଞାନ ପଟ୍ଟନାୟକଙ୍କ ଘର ପର୍ଯ୍ୟନ୍ତ ‌ଡ୍ରେନ୍‌ ତିଆରି ଆରମ୍ଭ ହୋଇଛି। କିନ୍ତୁ ରାସ୍ତାପାର୍ଶ୍ବ ମାଟି ଖୋଳି ଲୋକଙ୍କ ଘର ଆଗରେ ଗଦାଇବା ପରଠାରୁ ଆଉ କାହାରି ଦେଖା ମିଳୁନି। ନା କଣ୍ଟ୍ରାକ୍ଟର୍‌ ନା ଶ୍ରମିକ, କେହି ଘଟଣାସ୍ଥଳକୁ ଆସୁନାହାନ୍ତି କି କାମ ବି ଆଗଉନି। ଫଳରେ ସ୍ଥାନୀୟ ଲୋକେ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି। ସ୍ଥିତି ଏପରି ହୋଇଛି ଯେ ମାସ ମାସ ହେବ ଲୋକେ ଘରୁ ବାହାରି ପାରୁ ନାହାନ୍ତି। ଏ ସଂପର୍କରେ ସ୍ଥାନୀୟ ବାସିନ୍ଦା କୀର୍ତିପର୍ଣ୍ଣ ପଟ୍ଟନାୟକ କହିଛନ୍ତି ଯେ ଘର ଆଗରେ ଗାତ ଖୋଳି‌ ଦେବା ପରେ କାମ ଆଉ ଆଗକୁ ବଢ଼ୁନି। ଘରୁ ଗାଡ଼ି ବାହାର କରିପାରୁ ନଥିବାରୁ ବିଭିନ୍ନ କାମ ପାଇଁ ବାଧ୍ୟ ହୋଇ ଚାଲି ଚାଲି ଯିବାକୁ ପଡ଼ୁଛି। ଖାଲି ସେତିକି ନୁହେଁ, ବୁଲା ଗାଈଗୋରୁ ଏହି ନାଳରେ ପଡ଼ି ଖଣ୍ଡିଆ ଖାବରା ହେଉଛନ୍ତି। ରାତି ସମୟରେ ମଧ୍ୟ ଗାଡ଼ି ଚାଳକ ଖାଲ ସଂପର୍କରେ ଜାଣି ନପାରିବାରୁ ଏଠାରେ ଏକାଧିକ ଦୁର୍ଘଟଣା ଘଟିଲାଣି। ତେବେ ଏ ସଂପର୍କରେ ବିଏମ୍‌ସି ଓ ଠିକାଦାରଙ୍କୁ ଅନେକବାର ଅବଗତ କରାଯାଇଥିଲେ ମଧ୍ୟ ସେମାନେ କର୍ଣ୍ଣପାତ କରୁନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏ ନେଇ ଆମେ ବିଏମ୍‌ସି ସହ ଯୋଗାଯୋଗ କରିଥିଲୁ। କାହିଁକି କାମ ଅଟକି ରହିଛି ସେ ନେଇ କୌଣସି ଅଧିକାରୀ କିଛି କହିପାରି ନାହାନ୍ତି। ସମ୍ପୃକ୍ତ ଠିକାଦାରଙ୍କ ସହ ଯୋଗାଯୋଗ କରିବା ପରେ ଯାହା କୁହାଯାଇ ପାରିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର