୫ ଜିଲ୍ଲାରୁ ରାଜ୍ୟର ଅଧା କରୋନା ରୋଗୀ

ଦିନକରେ ୧୭୦ ଚିହ୍ନଟ, ସୁସ୍ଥ ହେଲେ ୧୮୪

ଗଞ୍ଜାମରେ କରୋନା ମୃତ୍ୟୁ ବଢ଼ୁଛି
ଜାହାଡ଼ାରେ ୩ ମୃତ୍ୟୁକୁ ନେଇ କିଏ ସତ କହୁଛି?

ଭୁବନେଶ୍ବର : ଜୁନ୍ ମାସ ରାଜ୍ୟ ପାଇଁ ବିପଦ ସାଜିବ। ରାଜ୍ୟ ସରକାର ଏ କଥା ବାରମ୍ବାର ଦୋହାରାଇଥିବା ବେଳେ ଚଳିତମାସ ଉଭୟ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ଯୋଗୁଁ ରାଜ୍ୟରେ ଆଉ ଜଣେ ବ୍ୟକ୍ତି ଆଜି ପ୍ରାଣ ହରାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ମୃତକ ଜଣକ ଗଞ୍ଜାମ ଜିଲ୍ଲାର ୬୮ ବର୍ଷର ପୁରୁଷ। ସେ ମଧୁମେହ, ଉଚ୍ଚ ରକ୍ତଚାପ ଓ ଅନ୍ୟ ରୋଗରେ ପୀଡ଼ିତ ଥିବା ବିଭାଗ ପକ୍ଷରୁ କୁହାଯାଇଛି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୮ରେ ପହଞ୍ଚିଛି। ଏହାସହ କେବଳ ଗଞ୍ଜାମ ଜିଲ୍ଲାରେ ୯ଜଣଙ୍କର କରୋନାରେ ମୃତ୍ୟୁ ହେଲାଣି।

ତେବେ ଧରାକୋଟ ବ୍ଲକ୍‌ର ଜାହାଡ଼ା ଗ୍ରାମ ପଞ୍ଚାୟତରେ କରୋନାରେ ଦୁଇ ଦିନ ଭିତରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ଦାବିକୁ ନେଇ ପ୍ରଶାସନ ଅଡ଼ୁଆରେ ପଡ଼ିଛି। ସ୍ଥାନୀୟ ସରପଞ୍ଚ ସେଠାରେ କରୋନାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା କହିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ଟ୍ବିଟ୍‌ ଜରିଆରେ ସ୍ଥାନୀୟ ପ୍ରଶାସନ କହିଛି ଯେ ଜାହାଡ଼ାରେ କେବଳ ଜଣକର କରୋନାରେ ମୃତ୍ୟୁ ହୋଇଛି ଓ ଅନ୍ୟ ୨ଟି ମୃତ୍ୟୁ ହେଉଛି ଗୁଜବ। ତେବେ ସରପଞ୍ଚ ଓ ଜିଲ୍ଲା ପ୍ରଶାସନ ମଧ୍ୟରୁ ପ୍ରକୃତରେ କିଏ ସତ କହୁଛି ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ରାଜ୍ୟର ୫ଟି ଜିଲ୍ଲା କରୋନାରେ ସର୍ବାଧିକ ସଂକ୍ରମିତ ରହିଛି। ଗଞ୍ଜାମ, ଖୋର୍ଧା, କଟକ, ଗଜପତି ଓ ଯାଜପୁର ଜିଲ୍ଲାରୁ ଏ ପର୍ଯ୍ୟନ୍ତ ସମୁଦାୟ ୩୩୩୫ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଯାହାକି ରାଜ୍ୟର ସମୁଦାୟ ଆକ୍ରାନ୍ତଙ୍କ ଅଧାରୁ ଅଧିକ। ଗତକାଲି ବିଏମ୍‌ସି ପକ୍ଷରୁ କୁହାଯାଇଥିଲା ଯେ ଗଞ୍ଜାମ, କଟକ, ଗଜପତି, ଯାଜପୁର ଓ ବାଲେଶ୍ବର ଜିଲ୍ଲାରୁ ଆସୁଥିବା ଲୋକଙ୍କୁ ଭୁବନେଶ୍ବରରେ ବାଧ୍ୟତାମୂଳକ ଭାବେ ୧୪ଦିନ ପାଇଁ ସରକାରୀ ସଙ୍ଗରୋଧରେ ରଖାଯିବ। ବିଏମ୍‌ସିର ଏହି ଘୋଷଣା ଯେ ସଂପୃକ୍ତ ଜିଲ୍ଲାଗୁଡ଼ିକରେ କରୋନା ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି ତାହା ସ୍ପଷ୍ଟ ହୋଇଯାଇଛି। ରାଜ୍ୟରେ ଗତ କିଛିଦିନ ଭିତରେ ପ୍ରାୟ ୬ଲକ୍ଷ ପ୍ରବାସୀ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ପଜିଟିଭ୍ ଚିହ୍ନଟ ହେବା ଦ୍ବାରା ରାଜ୍ୟରେ କରୋନା ସ୍ଥିତି ସଂପୂର୍ଣ୍ଣ ବିଗିଡ଼ିଯାଇଛି।

ଅପରପକ୍ଷରେ ବିଶ୍ବବ୍ୟାପୀ ମହିଳାଙ୍କ ତୁଳନାରେ ପୁରୁଷମାନେ କରୋନାରେ ଅଧିକ ଶିକାର ହେଉଥିବା ନଜରକୁ ଆସୁଛି। ସମାନ ଧାରା ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୬୩୫୦ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ତହିଁରୁ ୫୨୫୩ ଜଣ ପୁରୁଷ ସଂକ୍ରମିତ ହୋଇଛନ୍ତି। ଯାହାକି ସମୁଦାୟ ଆକ୍ରାନ୍ତଙ୍କ ୮୩ ପ୍ରତିଶତ। ମହିଳା ଆକ୍ରାନ୍ତଙ୍କ ସଂଖ୍ୟା ୧୦୯୭ ରହିଛି, ଏହା ସମୁଦାୟ ଆକ୍ରାନ୍ତଙ୍କ ମାତ୍ର ୧୭ ପ୍ରତିଶତ। ରାଜ୍ୟରେ କରୋନା ଯୋଗୁଁ ପ୍ରାଣ ହରାଇଥିବା ସମସ୍ତ ବ୍ୟକ୍ତି ପୁରୁଷ।

The Verge

ଗତ ୨୪ଘଣ୍ଟାରେ ରାଜ୍ୟରେ ୧୭୦ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ଗଞ୍ଜାମ ଜିଲ୍ଲାର ସର୍ବାଧିକ ୫୮ଜଣ ରହିଥିବା ବେଳେ ସେମାନଙ୍କ ମଧ୍ୟରେ ୧୮ଜଣ କରୋନା ଯୋଦ୍ଧା ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହାବାଦ୍ ଖୋର୍ଧା ଓ ନବରଙ୍ଗପୁରରୁ ୧୯ଜଣ ଲେଖାଏ, ଗଜପତି ଓ ରାୟଗଡ଼ାରେ ୧୬ଜଣ ଲେଖାଏ, କଟକ ୧୪, ପୁରୀ, କେନ୍ଦ୍ରାପଡ଼ାରୁ ୬ଜଣ ଲେଖାଏ, ମାଲକାନଗିରି ୫, ଯାଜପୁର ଓ ନୟାଗଡ଼ରୁ ୩ଜଣ ଲେଖାଏ, ସମ୍ବଲପୁର ୨, କୋରାପୁଟ, ବରଗଡ଼ ଓ ଏନ୍‌ଡିଆରଏଫ୍‌ରୁ ଜଣେ ଲେଖାଏ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ୧୭୦ ସଂକ୍ରମିତଙ୍କ ମଧ୍ୟରୁ ୧୪୩ଜଣ ସଙ୍ଗରୋଧ ଓ ୨୭ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଗଞ୍ଜାମରେ ୧୧୯୫, ଖୋର୍ଧା ୭୭୧, କଟକ ୫୩୭, ଗଜପତି ୪୨୭, ଯାଜପୁର ୪୦୫, ବାଲେଶ୍ବର ୩୩୨, ଜଗତସିଂହପୁର ୨୬୮, ପୁରୀ ୨୪୮, କେନ୍ଦ୍ରାପଡ଼ା ୨୩୫, ଭଦ୍ରକ ୨୨୫, ସୁନ୍ଦରଗଡ଼ ଓ ମୟୂରଭଞ୍ଜ ୧୮୧, କନ୍ଧମାଳ ୧୭୭, ବଲାଙ୍ଗୀର ୧୬୫, ନୟାଗଡ଼ ୧୩୮ ଓ କେନ୍ଦୁଝର ୧୦୭ ରାଜ୍ୟର ସର୍ବାଧିକ ଆକ୍ରାନ୍ତ ଜିଲ୍ଲା ପାଲଟିଛି।

ରାଜ୍ୟରେ ଆଜି ଆଉ ୧୮୪ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗଞ୍ଜାମରେ ୪୮, ଖୋର୍ଧା ୪୫, ବାଲେଶ୍ବର ୩୧, ଗଜପତି ୧୨, ଭଦ୍ରକ ୧୦, ଜଗତସିଂହପୁର ଓ ଝାରସୁଗୁଡ଼ା ୬ ଜଣ ଲେଖାଏ, କେନ୍ଦ୍ରାପଡ଼ା ଓ ପୁରୀରୁ ୫ଜଣ ଲେଖାଏ, ସୁନ୍ଦରଗଡ଼ ୪, ବଲାଙ୍ଗୀର ଓ କେନ୍ଦୁଝର ୩ଜଣ ଲେଖାଏ, କଟକ ୨, ଅନୁଗୁଳ, ଯାଜପୁର, କନ୍ଧମାଳ ଓ ମୟୂରଭଞ୍ଜରୁ ଜଣେ ଲେଖାଏ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୪୬୦୬ରେ ପହଞ୍ଚିଛି। ରାଜ୍ୟରେ ସୁସ୍ଥ ହାର ବେଶ୍ ଉଚ୍ଚ ରହିଛି। ୭୨ ପ୍ରତିଶତ ହାରରେ ରାଜ୍ୟରେ କରୋନା ରୋଗୀ ସୁସ୍ଥ ହେଉଛନ୍ତି। ୧୭୧୯ଜଣ ରୋଗୀ ଏବେ ବି ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର