ବାଙ୍କୀରେ ଗୁରୁତର ସ୍ଥିତି: ୧୦ରୁ ଅଧିକ ଗାଁ ବିଚ୍ଛିନ୍ନ, ଅନ୍ଧାରରେ ୧୨୦ଟି ପରିବାର

ବାଙ୍କୀ/ଡମପଡ଼ା : ପାଞ୍ଚ ଦିନ ପରେ ବି ବାଙ୍କୀ ଅଞ୍ଚଳର ସ୍ଥିତି ଅତ୍ୟନ୍ତ ସଂଗିନ। ବାଙ୍କୀର କଇଁମୁଣ୍ଡି, ଚାରିଘରିଆ, ଉପରପାଥପୁର, ବିଲିପଡ଼ା, ଶୁଖୁଆଖଳା, ବିଲିପଦନପୁର, ପାକରାଖାଲ, ସାଁପୁର, ଓସ୍ତିଆ ଭଳି ଗାଁ ଏବେ ବି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି। ହୁଳୁହୁଳା ପୋଲ ଓ ଚନ୍ଦ୍ରପା ସେତୁ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ବାଙ୍କୀ-ବୈଦେଶ୍ବର ସହ ରତାଗଡ଼, ବାଉଁଶପୁଟ, ବନ୍ଦାଳ, କନ୍ତପହଁରା ଆଦି ପଞ୍ଚାୟତକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବାଙ୍କୀ ଉପଖଣ୍ଡର ପ୍ରାୟ ୨୨ଟି ସ୍ଥାନରେ ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେଉଛି। କିନ୍ତୁ ଜଳବନ୍ଦି ହୋଇ ରହିଥିବା ଅଧିକାଂଶ ପଂଚାୟତରେ ପ୍ରଶାସନ ପକ୍ଷରୁ ସରକାରୀ ସହାୟତା ପହଞ୍ଚି ପାରି ନାହିଁ।

ଗାଁରେ ମହମବତିଟିଏ ବି ପହଞ୍ଚିନି
୩ ଦିନ ପରେ ମିଳିଥିଲା ଶୁଖିଲା ଖାଦ୍ୟ
୫ ଦିନ ପରେ ରନ୍ଧା ଖାଦ୍ୟ

ସିମିଳିପୁର ପଂଚାୟତ ଜୋରକୁଳ ଗ୍ରାମରେ ଅନ୍ଧାରରେ ଦିନ କାଟୁଛନ୍ତି ୧୨୦ ପରିବାରର ୭୦୦ରୁ ଅଧିକ ଲୋକେ। ଭୋକଉପାସରେ ପଡ଼ି ରହିଥିବା ଏହି ବନ୍ୟା ପ୍ରପୀଡ଼ିତଙ୍କ ନିକଟରେ ପ୍ରଶାସନ ତିନି ଦିନ ପରେ ଶୁଖିଲା ଖାଦ୍ୟ ଏବଂ ପାଞ୍ଚ ଦିନ ପରେ ରନ୍ଧା ଖାଦ୍ୟ ପହଞ୍ଚାଇଛି। ଆଜି ସୁଦ୍ଧା କାହାରିକୁ ମହମବତୀ ଟିଏ କି ଘର ଢାଙ୍କିବା ପାଇଁ ଖଣ୍ଡିଏ ପାଲ ମିଳିନି। ଗ୍ରାମର ନୃସିଂହ ସାମଲ, ନିବାସ ମଲ୍ଲିକ, ପ୍ରଶାନ୍ତକୁମାର ଦାସ, ରାମଚନ୍ଦ୍ର ଖଟୁଆ, ପ୍ରକାଶ ଚନ୍ଦ୍ର ମଲ୍ଲିକ, ସୁଶାନ୍ତ ବାରିକ, ପ୍ରଫୁଲ କୁମାର ରାଉତ, ଅଶାନ୍ତି ଖଟୁଆ, ତୁଳସୀ ଖଟୁଆ, ଜାନକୀ ଖଟୁଆ, ରିତା ଖଟୁଆ, ରେଖା ଖଟୁଆ,ସଂଯୁକ୍ତା ଖଟୁଆ, ରୋଜି ଖଟୁଆ,ପିଙ୍କି ଖଟୁଆଙ୍କ ଭଳି ଗ୍ରାମର ବାସିନ୍ଦା ମାନଙ୍କର ସମାନ ଅଭିଯୋଗ। ସରକାରୀ ବାବୁଙ୍କର ଏବେ ଦେଖା ମିଳୁଛି। ଖାଦ୍ୟ ନାହିଁ କି ଅନ୍ୟ ସହାୟତା ନାହିଁ। ଗାଁ ଲୋକେ ବନ୍ୟା ପାଣିକୁ ବ୍ୟବହାର କରୁଛନ୍ତି। ଲୋକଙ୍କ ପାଇଁ ଖାଦ୍ୟ ପହଞ୍ଚି ପାରୁ ନଥିବା ବେଳେ ଗୋଖାଦ୍ୟ ତ ସ୍ବପ୍ନ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏଭଳି ସ୍ଥିତିରେ ଭୋକ ଉପାସରେ ଦିନ କାଟୁଥିବା ଲୋକେ ଖାଦ୍ୟ ସାମଗ୍ରୀ ପାଇଁ ବନ୍ୟା ଜଳରେ ଟିଉ ସାହାଯ୍ୟର ପଶି ଯିବାକୁ ବାଧ୍ୟ ହେଉଛନ୍ତି।

ପ୍ରଶାସନ କିନ୍ତୁ ଏହାକୁ ନେଇ ପ୍ରାଥମିକ କ୍ଷୟକ୍ଷତିର ରିପୋର୍ଟ ପ୍ରସ୍ତୁତ କରି ଦେଇଛି। ବାଙ୍କୀ ଓ ଡମପଡା ବ୍ଲକ୍‌ ସମେତ ଏନଏସି ଅଞ୍ଚଳର ୩୧ଟି ପଞ୍ଚାୟତ ତଥା ୮୮ଟି ଗ୍ରାମର ୧ ଲକ୍ଷ ୫୬ ହଜାର ୫୨୭ଜଣ ଏଥିରେ ପ୍ରଭାବିତ ହୋଇଛନ୍ତି। ୨୫ ହଜାର ୩୪୩ଜଣଙ୍କୁ ସ୍ଥାନାନ୍ତର କରାଯାଇଥିଲା ବେଳେ ୪୬ଟି ସ୍ଥାନରେ ରନ୍ଧାଖାଦ୍ୟ ପ୍ରଦାନ କରାଯାଉଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବାଙ୍କୀ ବ୍ଲକ୍‌ର ୧୮ ହଜାର ୭୪୬ ଓ ଡମପଡା ବ୍ଲକ୍‌ର ୨୯ ହଜାର ୨୦୯ (ମୋଟ ୪୭ ହଜାର ୯୫୫) ଗୃହପାଳିତ ପଶୁ ପ୍ରଭାବିତ ହୋଇଥିଲା ବେଳେ ୮ ହଜାର ୯୨୫ ହେକ୍ଟର ଧାନଜମି ଓ ୪ ହଜାର ୩୧୦ ହେକ୍ଟର ଅଣଧାନ ଜମି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି। ପ୍ରାୟ ୫ ହଜାର ୧୮୦ କଚ୍ଚା ଓ ପକ୍କା ଗୃହ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା ବେଳେ ୪୭୦ ଗୃହ ଓ ୬୨୮ ଗୁହାଳ ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ୬ଟି ଡାକ୍ତରୀ ଦଳ ଓ ୩ଟି ପଶୁ ଡାକ୍ତର ଦଳ ନିୟୋଜିତ ଅଛନ୍ତି।

ସମ୍ବନ୍ଧିତ ଖବର