ବୈତରଣୀ ଓ କାଣୀରେ ପୁଣି ଆସୁଛି ବନ୍ୟା: ଚିନ୍ତା ବଢ଼ାଉଛି ଦୁର୍ବଳ ନଦୀବନ୍ଧ

ଦଶରଥପୁର/ପାଣିକୋଇଲି : କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବାରୁ ବୈତରଣୀ ଶନିବାର ଅପରାହ୍‌ଣରୁ ହଠାତ ଫୁଲି ଉଠିଛି। କେନ୍ଦୁଝରର ଆନନ୍ଦପୁରଠାରେ ଜଳସ୍ତର ଦ୍ରୁତ ଗତିରେ ବଢ଼ୁଛି। ଆଜି ସନ୍ଧ୍ୟା ୯ଟାରେ ଜଳସ୍ତର ୩୮.୪୦ ରହିଛି ଓ ବିପଦ ସଙ୍କେତ ଅତିକ୍ରମ କରିଛି। ଏଠାରେ ବିପଦ ସଙ୍କେତ ୩୮.୩୬ ରହିଛି। ସେହିପରି ଆଖୁଆପଦାରେ ବୈତରଣୀ ବିପଦସଙ୍କେତ ୧୭.୮୩ ମିଟର ଥିବାବେଳେ ସନ୍ଧ୍ୟା ୯ଟାରେ ଜଳସ୍ତର ୧୭.୩୭ ମିଟରରେ ପହଞ୍ଚିଥିଲା।

ବୈତରଣୀ ବଢ଼ୁଥିବାରୁ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକବାସୀଙ୍କ ଚିନ୍ତା ବଢ଼ିଯାଇଛି। ୬ ଦିନ ତଳେ କଷପା ପଞ୍ଚାୟତ ବ୍ରହ୍ମଚାରୀପାଟଣାରେ ବୈତରଣୀ ଶାଖା କାଣୀନଦୀରେ ୧୫୦ ଫୁଟର ଘାଇ ସୃଷ୍ଟି ହୋଇଥିଲା। ୧୫ରୁ ଅଧିକ ପଞ୍ଚାୟତ ବନ୍ୟାରେ ପ୍ରଭାବିତ ହୋଇଥିଲେ। ଏବେ ପୁଣି ଏକ ସମ୍ଭାବ୍ୟ ବନ୍ୟାକୁ ନେଇ ସେମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

ସୂଚନା ଅନୁଯାୟୀ ବୈତରଣୀ ନଦୀ ଅର୍ଦ୍ଦାଉଳିଆଠାରେ ୨ଟି ଘଳିଆ ପଡ଼ିଥିବାରୁ ଅସ୍ଥାୟୀ ଭାବେ ପାଣିକୁ ରୋକାଯାଇଥିଲା। ତାହା ମରାମତି ହୋଇନାହିଁ। ସେହିଭଳି ବୈତରଣୀର କାଣୀ ନଦୀ ଉତ୍ପତ୍ତିସ୍ଥଳ ବ୍ରହ୍ମଚାରୀପାଟଣାଠାରେ ଆର୍‌ଡି ପୋଲର ଗାର୍ଡ ୱାଲ ଧସିଯାଇଥିବାରୁ ସେଠାରେ ନଦୀବନ୍ଧ ଦୁର୍ବଳ ରହିଛି। କୟାଁ ପଞ୍ଚାୟତ ବଳରାମପୁରଠାରେ ମଧ୍ୟ ବନ୍ଧପଠା ଧସିଯାଇଛି। କାଣୀ ନଦୀର ବ୍ରହ୍ମଚାରୀପାଟଣା, ମଲ୍ଲିକାପୁର, କଣ୍ଟପଡ଼ା, ନୂଆଶାସନ, ମଲ୍ଲିକାପୁର ଆଦି ସ୍ଥାନରେ ନଦୀବନ୍ଧ ଦୁର୍ବଳ ରହିଛି। ଅନେକ ସ୍ଥାନରେ ନଦୀବନ୍ଧରେ ଘଳିଆ ପଡ଼ିବା, ଲଗାଣ ବର୍ଷାରେ ଧୋଇ ହୋଇଯିବା, ନୂତନ ବନ୍ଧ ଫାଟିଯିବା ଭଳି ସମସ୍ୟା ରହିଛି। ଏହାଛଡ଼ା ଚୋରାବାଲି ଚାଲାଣ ସମୟରେ ବନ୍ଧକୁ ହଣାଯାଇ ବାଟ ଖୋଲାଯାଇଛି। ଟ୍ରାକ୍ଟର ଓ ଟ୍ରକ ଯିବାଆସିବା କରିବା ଦ୍ବାରା ନଦୀବନ୍ଧରେ ବଡ଼ବଡ଼ ଗାଢ଼ ହୋଇଛି। ଏଣୁ କୌଣସି ସମୟରେ କଣ ଅଘଟଣ ଘଟିବ, ତାହା କହିବା ସମ୍ଭବ ନୁହେଁ।

ସମ୍ବନ୍ଧିତ ଖବର