ଭିନ୍ନ ମୋଡ଼ ନେଲା ଦୈତାରୀ ନାୟକ ମୃତ୍ୟୁ ମାମଲା: ପୁଲିସର ଅମାନୁଷିକ ନିର୍ଯାତନା କାରଣରୁ ମୃତ୍ୟୁ

ପରିବାରକୁ ୭.୫୦ ଲକ୍ଷ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ
ଥାନା ଅଧିକାରୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କର: ଏନ୍‌ଆଚ୍‌ଆରସି

ତିହିଡ଼ି : ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ବାଲିଦଣ୍ଡି ଗ୍ରାମର ଗାଡ଼ି ଚାଳକ ଦୈତାରୀ ନାୟକଙ୍କ ମୃତ୍ୟୁ ମାମଲାରେ ଜାତୀୟ ମାନବାଧିକାର କମିଶନ୍ (ଏନ୍‌ଏଚ୍‌ଆରସି) ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଦୌତାରୀଙ୍କ ମୃତ୍ୟୁ ଚଳନ୍ତା ଗାଡ଼ିରୁ ଡେଇଁ ପଡ଼ିବା ଯୋଗୁଁ ହୋଇନାହିଁ, ପୁଲିସ୍‌ର ଅମାନୁଷିକ ନିର୍ଯାତନା କାରଣରୁ ହୋଇଛି। ଏହା ହାଜତ ମୃତ୍ୟୁ ସହ ସମାନ ବୋଲି କମିଶନ୍‌ ଦର୍ଶାଇବା ସହ ମୃତକଙ୍କ ପରିବାରକୁ ୭ ଲକ୍ଷ ୫୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ମୁଖ୍ୟ ଶାସନସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଘଟଣାରେ ସଂପୃକ୍ତ ପୁଲିସ୍ କର୍ମଚାରୀଙ୍କ ବିରୋଧରେ ଫୌଜଦାରୀ ମାମଲା, ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଓ ନିରପେକ୍ଷ ସଂସ୍ଥା ଦ୍ବାରା ଘଟଣାର ତଦନ୍ତ କରିବାକୁ ପୁଲିସ୍ ଡିଜିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଥାନା ହାଜତରେ ମୃତ୍ୟୁ, ଦୁଷ୍କର୍ମ ଭଳି ସମ୍ବେଦନଶୀଳ ମାମଲା ସଂପର୍କରେ ମାନବାଧିକାର କମିଶନଙ୍କୁ ତୁରନ୍ତ ଜଣାଇବାକୁ ନିର୍ଦ୍ଦେଶ ଥିଲେ ମଧ୍ୟ ତାହା ଏଠାରେ କରାଯାଇନଥିବାରୁ କମିଶନ୍ କ୍ଷୋଭ ପ୍ରକାଶ କରି ମୁଖ୍ୟ ଶାସନସଚିବଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଅନ୍ୟପକ୍ଷରେ ୬ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବାକୁ ଡିଜିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କମିଶନ୍‌ଙ୍କ ନିର୍ଦ୍ଦେଶ ପରେ ତିହିଡ଼ିର ତତ୍କାଳୀନ ଥାନା ଅଧିକାରୀ ରମେଶ ସିଂ ଓ ଘଟଣା ଦିନ ନାଇଟ୍‌ ପାଟ୍ରୋଲିଂ ଦାୟିତ୍ବରେ ଥିବା ଥାନା କର୍ମଚାରୀଙ୍କ ଅଡ଼ୁଆ ବଢ଼ିଛି।

ପୁଲିସ କହିବା ମୁତାବକ, ୨୦୨୦ ମସିହା ମେ’ ୫ ତାରିଖ ରାତିରେ ବାଲିଦଣ୍ଡି ଗ୍ରାମର ବେଣୁଧର ନାୟକଙ୍କ ପୁଅ ଦୈତାରୀ ନାୟକ (୨୮) ଏକ କୋଇଲା ବୋଝେଇ ପିକ୍‌ଅପ୍ ଭ୍ୟାନ୍‌କୁ ଚଳାଇ ତିହିଡ଼ି ଆଡ଼କୁ ଆସୁଥିବାବେଳେ ଧାମରା ରେଳପଥ ଗଦି-ଘଣ୍ଟେଶ୍ବର ଲେବେଲ୍‌ କ୍ରସିଂରେ ପୁଲିସ୍‌ର ପାଟ୍ରୋଲିଂ ଗାଡ଼ି ଦେଖି ଚଳନ୍ତା ଗାଡ଼ିରୁ ଡେଇଁ ପଡ଼ିଥିଲେ। ପୁଲିସ ତାଙ୍କୁ ଗୁରୁତର ଅବସ୍ଥାରେ ତିହିଡ଼ି ଡାକ୍ତରଖାନାରେ ଭର୍ତ୍ତି କରିଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। କରୋନା ସମୟରେ ରେଳ ୱାଗନ୍‌ରୁ କୋଇଲା ଚୋରା ଚାଲାଣ ବୃଦ୍ଧି ପାଇଥିବାବେଳେ ଦୈତାରୀ ଏଥିରେ ସଂପୃକ୍ତ ଥିଲେ ଓ ଆଗରୁ ମଧ୍ୟ ତାଙ୍କ ନାଁରେ ମାମଲା ଥିଲା ବୋଲି ପୁଲିସ ସଫେଇ ଦେଇଥିଲା। ତେବେ ଦୈତାରୀଙ୍କ ଅସ୍ବାଭାବିକ ମୃତ୍ୟୁ, ତାଙ୍କ ଶରୀରର ଏକାଧିକ ସ୍ଥାନରେ ମାଡ଼ଦାଗ, ସମ୍ବେଦନଶୀଳ ଅଙ୍ଗରେ କ୍ଷତ ଚିହ୍ନକୁ ନେଇ ପରିବାର ଲୋକ ସନ୍ଦେହ କରିବା ସହ ପୁଲିସ ତାଙ୍କୁ ପିଟିପିଟି ମାରିଦେଇଛି ବୋଲି ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ଗାଁ ଲୋକେ ତିହିଡ଼ି ଥାନା ଘେରାଉ କରିଥିଲେ।

ଘଟଣାସ୍ଥଳରେ ତତ୍କାଳୀନ ଏସ୍‌ପି ରାଜେଶ ପଣ୍ଡିତ, ପୂର୍ବାଞ୍ଚଳ ପୁଲିସ ଆଇଜି ଦୀପ୍ତେଶ ପଟ୍ଟନାୟକ, ଅତିରିକ୍ତ ଏସ୍‌ପି ବିକାଶ ଦାସ, ଏସ୍‌ଡିପିଓ ଉମାଶଙ୍କର ମହାରଣା ପ୍ରମୁଖ ଲୋକଙ୍କୁ ବୁଝାସୁଝା କରିବା ସହ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦେଇଥିଲେ। ପରେ ରାଜ୍ୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶକ୍ରମେ ଏହି ମାମଲାର ମାଜିଷ୍ଟ୍ରେଟ୍‌ସ୍ତରୀୟ ତଦନ୍ତ ହୋଇଥିଲା। ଦୈତାରୀଙ୍କ ପ୍ରତି ପୁଲିସର ଅମାନୁଷିକ ଅତ୍ୟାଚାର ସଂପର୍କରେ ମାଜିଷ୍ଟ୍ରେଟ୍‌ ନିଜ ତଦନ୍ତ ରିପୋର୍ଟରେ ଦର୍ଶାଇଛନ୍ତି। ଏମିତିକି ତତ୍କାଳୀନ ତିହିଡ଼ି ଥାନା ଅଧିକାରୀ ଦୈତାରୀଙ୍କୁ ଅତି ଅମାନୁଷିକ ଭାବେ ବାଡ଼େଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ପ୍ରବଳ ମାଡ଼ ଯୋଗୁଁ ଦୈତାରୀଙ୍କ ମୂତ୍ରଥଳି ଫାଟି ଯାଇଥିବାବେଳେ ଅଣ୍ଟାହାଡ଼ ଭାଙ୍ଗି ଯାଇଥିଲା। କମିଶନ୍‌ ଏହାକୁ ଗମ୍ଭୀରତାର ସହ ନେଇ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶଥାଉକି, ଦୈତାରୀଙ୍କ ପରିବାରକୁ ନ୍ୟାୟ ଦେବା ଲାଗି କେନ୍ଦୁଝର ଜିଲ୍ଲା ଶାଳଣିଆ ସୋଲପଟା ଅଞ୍ଚଳର ଯୁବ ସାମାଜିକ କର୍ମୀ ହିମାଂଶୁ ଶେଖର ନାୟକ ୨୦୨୦ ମସିହା ମେ ୬ ତାରିଖରେ ଜାତୀୟ ମାନବାଧିକାର କମିଶନ୍‌ରେ ଏକ ମାମଲା ରୁଜୁ କରିଥିଲେ।

ସମ୍ବନ୍ଧିତ ଖବର