ଦଳବଦଳ ରାଜନୀତି: ସକାଳେ ବିଜେପି ଛାଡ଼ି ସନ୍ଧ୍ୟାରେ ଫେରିଲେ ସମିତି ସଭ୍ୟା

ସିମୁଳିଆ : ବୁଧବାର ଦିନ ଝିଙ୍କିରିଆ ପଞ୍ଚାୟତର ସମିତି ସଭ୍ୟା ରଶ୍ମିତା ଜେନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଉପସ୍ଥିତିରେ ବିଜେପି ଛାଡ଼ି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେବାର ୮ଘଣ୍ଟା ମଧ୍ୟରେ ପୁଣି  ବିଜେପିରେ ସାମିଲ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ଅନୁସାରେ, ପଞ୍ଚାୟତରେ କାର୍ଯ୍ୟ ହେବକହି ଝିଙ୍କିରିଆ ସମିତି ସଭ୍ୟା ଓ ତାଙ୍କ ସ୍ୱାମୀଙ୍କୁ ଡକାଇ ଖଇରା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଚାପ ପକାଇବା ସହିତ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ରାଜନୈତିକ ଚାପ ଓ ବାଧ୍ୟବାଧକତା ଯୋଗୁ ତରବରିଆ ଭାବେ ସେ ବିଜେଡିରେ ସାମିଲ ହୋଇଥିଲେ। ତେବେ ସେଠାରୁ ଫେରି ସମିତି ସଭ୍ୟା ଓ ତାଙ୍କ ସ୍ୱାମୀ ଖଇରା ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁଙ୍କୁ ସାଙ୍ଗରେ ନେଇ ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡାଙ୍କ ବାସଭବନରେ ପହଞ୍ଚି ସବୁକଥା କହିଥିଲେ। ସନ୍ଧ୍ୟାରେ ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ଖଇରା ପଞ୍ଚାୟତ ସମିତି ଅଧ୍ୟକ୍ଷା ଅଭିଲିପ୍ସା ସାହୁ, ସିମୁଳିଆ ପଞ୍ଚାୟତ ସମିତି ଅଧ୍ୟକ୍ଷ ବାବାଜୀ ଚରଣ ମଲ୍ଲିକ, ଯୁବନେତା ନୀଳ ମାଧବ ପଣ୍ଡା ଓ ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡାଙ୍କ ଉପସ୍ଥିତରେ ଝିଙ୍କିରିଆ ସମିତି ସଭ୍ୟା ରଶ୍ମିତା ଜେନା ସମସ୍ତ ଘଟଣା କହିବା ସହିତ ସେମାନେ ବିଜେପିରେ ଥିଲେ ଓ ରହିବେ ବୋଲି ଶ୍ରୀମତୀ ଜେନା ଓ ତାଙ୍କ ସ୍ବାମୀ ପ୍ରକାଶ କରିଥିଲେ। ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା ସେମାନଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ।

ସମ୍ବନ୍ଧିତ ଖବର