‘ସାକ୍ଷର ଭାରତରେ ସ୍ଥାୟୀ ନିଯୁକ୍ତି ଦିଅ’

ଭୁବନେଶ୍ୱର : ସାକ୍ଷର ଭାରତ କାର୍ଯ୍ୟକ୍ରମକୁ ଅଚଳ କରି ଦିଆଯାଇଛି। ୨୦୧୮ ଜାନୁଆରିଠାରୁ ମାର୍ଚ୍ଚ ପର୍ଯ୍ୟନ୍ତ ଦରମା ମିଳିନି। ଦୀର୍ଘ ଦିନ ହେବ ଏହି ଯୋଜନାରେ କାମ କରି ଶତାଧିକ ସଂଯୋଜକ ଓ ପ୍ରେରକ ବେକାର ହୋଇ ବସିଛନ୍ତି। ବୟସ ଗଡ଼ି ଯାଇଥିବାରୁ କୌଣସି ଚାକିରି ପାଇଁ ଏବେ ଏମାନେ ଅଯୋଗ୍ୟ ‌ହୋଇଛନ୍ତି। ଏଭଳି ଅଭିଯୋଗ କରି ଆଜି ଓଡ଼ିଶା ରାଜ୍ୟ ସାକ୍ଷର ଭାରତ କର୍ମଚାରୀ ସଂଘ ପକ୍ଷରୁ ଲୋୟର ପିଏମ୍‌ଜିଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସଭାପତି ବସନ୍ତ ରାଉତଙ୍କ ନେତୃତ୍ବରେ ସାଧାରଣ ସମ୍ପାଦିକା ସବିତା ଗଡ଼ନାୟକ, ପଦ୍ମାବତୀ ପଟ୍ଟନାୟକ, ଅଶୋକ ସାହୁ, ମୁକ୍ତେଶ୍ବର ପାତ୍ର, ଛବିଲାଲ ବିହାରୀ, ପଦ୍ମଚରଣ ପରିଡ଼ା ପ୍ରମୁଖଙ୍କ ସମେତ ଶତାଧିକ କର୍ମଚାରୀ ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ଶୋଭାଯାତ୍ରା‌ରେ ଆସି ଲୋୟର୍‌ ପିଏମ୍‌ଜିଠାରେ ଧାରଣା ଦେଇଥିଲେ। ପରେ ଏକ ପ୍ରତିନିଧିଦଳ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଏ ସଂପର୍କିତ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଦାବିଗୁଡ଼ିକ ମଧ୍ୟରେ ଯୋଜନାକୁ ଚାଲୁ କରିବା ସହ ବକେୟା ପ୍ରାପ୍ୟ ପ୍ରଦାନ, କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି, ଦେଶର ବିଭିନ୍ନ ସ୍ଥାନରେ କର୍ମଚାରୀଙ୍କୁ ମିଳୁଥିବା ସୁବିଧାସୁଯୋଗ ଓଡ଼ିଶାରେ ପ୍ରଦାନ କରିବା ପ୍ରମୁଖ ରହିଥିଲା।

ସମ୍ବନ୍ଧିତ ଖବର