ଧୈର୍ଯ୍ୟ ଓ ସାହସର ସହ ଅମ୍ଫାନର ମୁକାବିଲା ପାଇଁ ଧର୍ମେନ୍ଦ୍ରଙ୍କ ଆହ୍ବାନ

ଭୁବନେଶ୍ବର : ସମ୍ଭାବ୍ୟ ବାତ୍ୟା ଅମ୍ଫାନକୁ ଧୈର୍ଯ୍ୟ ଓ ସାହସର ସହ ମୁକାବିଲା କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାବାସୀଙ୍କୁ ଆହ୍ବାନ ଦେଇଚନ୍ତି। ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଶ୍ରୀ ପ୍ରଧାନ କହିଛନ୍ତି, ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ଅମ୍ଫାନ ଦାନା ବାନ୍ଧିବା ଆରମ୍ଭ କରିଛି। ଏହି ସମ୍ଭାବ୍ୟ ବାତ୍ୟା ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ବାଂଲାଦେଶକୁ ପ୍ରଭାବିତ କରିବାର ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁପ୍ରକାର ବ୍ୟବସ୍ଥା କରାଯାଉଛି। ପ୍ରଧାନମନ୍ତ୍ରୀ ବାତ୍ୟାର ସମୀକ୍ଷା ବୈଠକ କରିଛନ୍ତି। ଓଡ଼ିଶାରେ କରୋନା ମୁକାବିଲାରେ ସମସ୍ତେ ଲାଗିଛନ୍ତି। ପୁଣି ବାତ୍ୟାର ବୋଝ ତାହା ଉପରେ ଲଦି ହୋଇଛି। ତେବେ ଏହାକୁ ଧୈର୍ଯ୍ୟ ଓ ସାହସର ସହ ମୁକାବିଲା କରିବାକୁ ପଡ଼ିବ।

କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି, ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଓଡ଼ିଶାର ୪ଟି ଜିଲ୍ଲା ବାଲେଶ୍ବର, ଭଦ୍ରକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ସମେତ ଉପକୂଳ ଓଡ଼ିଶାର ଆଉ ୮ଟି ଜିଲ୍ଲା ପ୍ରଭାବିତ ହେବାର ପୂର୍ବାନୁମାନ କରାଯାଇଛି। ଏହି ଜିଲ୍ଲାର ଲୋକମାନଙ୍କୁ ଅଧିକ ସତର୍କ ରହିବାକୁ ପଡ଼ିବ। ଓଡ଼ିଶାବାସୀ ବିଶେଷ ଭାବେ ସମୁଦ୍ର ନିକଟରେ କଚ୍ଚା ଘରେ ରହୁଥିବା ଲୋକମାନେ ପକ୍କା ଘରକୁ ସ୍ଥାନାନ୍ତର ହେବାକୁ ସେ ପରାମର୍ଶ ଦେଇଛନ୍ତି। ଭାରତବର୍ଷର ଏହି ବିପଦ ଘଡ଼ିରେ ଓଡ଼ିଶା, ପଶ୍ଚିମବଙ୍ଗ, ବାଂଲାଦେଶରେ ଲୋକଙ୍କର କ୍ଷତି ନ ହେଉ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ସମସ୍ତେ ଏହି ବିପଦରୁ ରକ୍ଷା ପାଇପାରିବା ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର