ବର୍ଜ୍ୟ ବସ୍ତୁରୁ ଉର୍ଜା କାର୍ଯ୍ୟକ୍ରମରେ ଭାରତ ବିଶ୍ୱରେ ଅଗ୍ରଣୀ ସ୍ଥାନ ନେବ: ଧର୍ମେନ୍ଦ୍ର

ଭୁବନେଶ୍ବର : ବିଶ୍ୱ ପରିବେଶ ଦିବସ ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନ୍ୟୁୟର୍କ ଜାତିସଂଘ ପରିବେଶ କାର୍ଯ୍ୟକ୍ରମର ସହକାରୀ ମହାସଚିବ ସତ୍ୟ ଏସ୍‌. ତ୍ରିପାଠୀଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ ଭାରତର ଜୈବ ଇନ୍ଧନ କ୍ଷେତ୍ରରେ ଥିବା ସମ୍ଭାବନା ଉପରେ ଆଲୋଚନା କରିଛନ୍ତି । ବର୍ଜ୍ୟ ବସ୍ତୁରୁ ଉର୍ଜା କାର୍ଯ୍ୟକ୍ରମରେ ବିଶ୍ୱରେ ଭାରତକୁ ଅଗ୍ରଣୀ କରିବା ପାଇଁ ଉଦ୍ୟମ କରିବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ । ଏହି ଆଲୋଚନାରେ ବ୍ୟାଙ୍କିଙ୍ଗ୍‌ ଅନୁଷ୍ଠାନର ମୁଖ୍ୟ ଓ ଜୈବ ଇନ୍ଧନ କ୍ଷେତ୍ରର ପ୍ରମୁଖ ଅଂଶୀଦାରମାନେ ଉପସ୍ଥିତ ଥିଲେ ।

ସିବିଜି, ଜୈବ ଇଥାନଲ, ଜୈବ ସାର ଏବଂ ଜୈବ ଇନ୍ଧନ କ୍ଷେତ୍ରରେ ଥିବା ସୁଯୋଗ ଉପରେ ଶ୍ରୀ ପ୍ରଧାନ ଆଲୋକପାତ କରିଥିଲେ। ସେ କହିଛନ୍ତି ଯେ ଭାରତ ସରକାର ଜୈବ ଇନ୍ଧନ ଦିଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି। ଦେଶର ବିଭିନ୍ନ ଅଂଚଳରେ ପର୍ଯ୍ୟାୟକ୍ରମେ ୫ ହଜାର ସିବିଜି ପ୍ଲାଣ୍ଟ୍‌ ପ୍ରତିଷ୍ଠା କରାଯାଉଛି। ଏହା ଜୈବ ଇନ୍ଧନ କ୍ଷେତ୍ରର ଅର୍ଥନୀତିକୁ ଗତି ଦେବ ଏବଂ ନିଯୁକ୍ତି ସୃଷ୍ଟି କରିବା ସହ ଦେଶର ବିକାଶ କରିବା ସହ ଆତ୍ମନିର୍ଭର ଭାରତ ଗଠନ ଦିଗରେ ଆଗ୍ରସର କରିବ। କୃଷି ବର୍ଜ୍ୟ ବସ୍ତୁ ଏବଂ ଅନ୍ୟାନ୍ୟ ଅବଶିଷ୍ଟାଂଶକୁ ଉର୍ଜାରେ ପରିଣତ କରିବା ଦ୍ୱାରା ପରିବେଶ ସ୍ୱଚ୍ଛ ରହିବା ସହ ଜନ ସ୍ୱାସ୍ଥ୍ୟ ଏବଂ ଗ୍ରାମୀଣ ଅର୍ଥନୀତିରେ ମଧ୍ୟ ସୁପ୍ରଭାବ ପକାଇବ । ଆଜିର ଆଲୋଚନା ଆବର୍ଜନାରୁ ଉର୍ଜା କାର୍ଯ୍ୟକ୍ରମ ଦିଗରେ ଭାରତର ପ୍ରଚେଷ୍ଟାକୁ ତ୍ୱରାନ୍ୱିତ କରିବ ଏବଂ ଭଲ ବ୍ୟବସାୟ ମଡେଲ ପ୍ରତିଷ୍ଠା କରିବ, ଯାହା ଅଂଶୀଦାର, ଚାଷୀ ଏବଂ ଉଦ୍ୟୋଗୀଙ୍କ ପାଇଁ ଫଳପ୍ରଦ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ସମ୍ବନ୍ଧିତ ଖବର