ସ୍ନାନଯାତ୍ରା ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ପ୍ରସଂଗ : ହସ୍ତକ୍ଷେପ ପାଇଁ ମନାକଲେ ହାଇକୋର୍ଟ

ଅନ୍ତଃରାଜ୍ୟ ବସ୍ ଚଳାଚଳ ଅନୁମତିକୁ ବିରୋଧ, ହାଇକୋର୍ଟରେ ଜନସ୍ବାର୍ଥ ମାମଲା

କଟକ : ପୁରୀ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ପ୍ରସଂଗକୁ ନେଇ ଦାୟର ମାମଲାରେ ହାଇକୋର୍ଟ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି। ଏଥିସହିତ ହାଇକୋର୍ଟ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ଆଜି ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ୍ ବି.ଆର. ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା ସ୍ନାନଯାତ୍ରା ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଅବଗତ କରିଥିଲେ। କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ଜାରି କରାଯାଇଥିବା କଟକଣା ଭିତରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଆୟୋଜନ କିଭଳି ଭାବେ ହେବ, ସେ ନେଇ ସରକାରଙ୍କ ପକ୍ଷରୁ ସବିଶେଷ ତଥ୍ୟ ଉପସ୍ଥାପନ କରାଯାଇଥିଲା। ଅନ୍ୟପକ୍ଷରେ, ସାମାଜିକ ଦୂରତ୍ବ ରଖି ସ୍ନାନଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ବ୍ୟବସ୍ଥା ସାଧାରଣ ଭକ୍ତଙ୍କ ପାଇଁ କରାଯିବା ଉଚିତ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା।

ସରକାରୀ ନିୟମ ପାଳନ କରି ତଥା ସାମାଜିକ ଦୂରତ୍ବ ରଖି ସ୍ନାନଯାତ୍ରା ଦେଖିବାକୁ ଭକ୍ତଙ୍କୁ ଅନୁମତି ଦିଆଯିବାରେ ଅସୁବିଧା ନାହିଁ ଦର୍ଶାଇ ହାଇକୋର୍ଟରେ ଏହି ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା। ଆବେଦନକାରୀ ଜୟନ୍ତ କୁମାର ବଳଙ୍କ ତରଫରୁ ଆଇନଜୀବୀ ବିଭୂତି ଭୂଷଣ ଚୌଧୁରୀ, ସରକାରଙ୍କ ତରଫରୁ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ତରଫରୁ ଆଇନଜୀବୀ ସୁବ୍ରତ କୁମାର ଶତପଥୀ ମାମଲା ପରିଚାଳନା କରୁଥିଲେ।

ଅନ୍ତଃରାଜ୍ୟ ବସ୍ ଚଳାଚଳ ଅନୁମତିକୁ ବିରୋଧ, ହାଇକୋର୍ଟରେ ଜନସ୍ବାର୍ଥ ମାମଲା
କଟକ : କରୋନା ଭୂତାଣୁକୁ ନେଇ ଦେଖା ଦେଇଥିବା ପରିସ୍ଥିତିରେ ଅନ୍ତଃରାଜ୍ୟ ଯାତ୍ରୀ ପରିବହନ ଗାଡି ଚଳାଚଳ ପାଇଁ ଅନୁମତିକୁ ବିରୋଧ କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଆଇନଜୀବୀ ରମାକାନ୍ତ ନାୟକଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ, ଅନ୍ତଃରାଜ୍ୟ ବସ୍ ଚଳାଚଳ ଯୋଗୁଁ ମଧ୍ୟ କରୋନା ସଂକ୍ରମଣ ଆଶଙ୍କା ବୃଦ୍ଧି ପାଇବ। ମହାରାଷ୍ଟ୍ର, ଦିଲ୍ଲୀ, ଗୁଜରାଟ ଓ ଅନ୍ୟ କେତେକ ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣ ଚିନ୍ତାଜନକ ସ୍ଥିତିରେ ରହିଥିବା ବେଳେ ଏହି ସବୁ ସ୍ଥାନରୁ ଅନ୍ତଃରାଜ୍ୟ ବସ୍‌ ଯୋଗେ ଲୋକମାନେ ରାଜ୍ୟକୁ ବିନା ବାଧାରେ ଆସିପାରିବେ। ଅନ୍ତଃରାଜ୍ୟ ବସ୍ ଯୋଗେ ରାଜ୍ୟକୁ ଆସୁଥିବା ବ୍ୟକ୍ତିବିଶେଷଙ୍କ କରୋନା ଭୂତାଣୁ ପରୀକ୍ଷା ପାଇଁ ମଧ୍ୟ କିଛି ସ୍ବତନ୍ତ୍ର ବ୍ୟବସ୍ଥା ନାହିଁ। ଏଭଳି ପରିସ୍ଥିତିରେ ଅନ୍ତଃରାଜ୍ୟ ବସ୍ ଓ ଅନ୍ୟ ଯାତ୍ରୀ ପରିବହନ ଗାଡି ଚଳାଚଳ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏଥିସହିତ ପାର୍କ ଖୋଲିବା ପାଇଁ ଦିଆଯାଇଥିବା ଅନୁମତି ଯୋଗୁଁ ମଧ୍ୟ କରୋନା ଭୂତାଣୁ ଅଧିକ ବ୍ୟାପିବାର ସମ୍ଭାବନା ରହିଛି। ଜୁନ୍ ୩୦ ପର୍ଯ୍ୟନ୍ତ ସମସ୍ତ ପ୍ରକାର ପାର୍କ ସବୁ ସ୍ଥାନରେ ବନ୍ଦ ରଖାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର