ଜବାବ ଆଳରେ ଧର୍ମେନ୍ଦ୍ରଙ୍କ ପାଲଟା ପ୍ରଶ୍ନ

ଭୁବନେଶ୍ବର : ବିଜେଡିର ୨୧ତମ ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ େକନ୍ଦ୍ର ସରକାରଙ୍କୁ ୯ଟି ପ୍ରସଙ୍ଗରେ କଠୋର ସମାେଲାଚନାର ତତ୍କାଳ ଉତ୍ତର ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଥିସହିତ ମୁଖ୍ୟମନ୍ତ୍ରୀଙ୍କୁ ପାଲଟା ପ୍ରଶ୍ନ କରି କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଚିଟ୍‌ଫଣ୍ଡ, ଖଣି ଦୁର୍ନୀତି, ପିସି କାରବାରକୁ କିଏ ଦାନା ଦେଉଛି, ଏହାର ଜବାବ ବିଜେଡି ମୁଖିଆ ଦେବା ଦରକାର।

ନବୀନ ନିବାସର ଜନୈକ କର୍ମୀ ସରୋଜ ସାହୁଙ୍କୁ ଆକ୍ଷେପ କରି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି, ଏ ବ୍ୟକ୍ତି ଜଣଙ୍କ କିଏ? ଭ୍ରଷ୍ଟାଚାରୀ ରୂପୀ ଏହି ଛୋଟିଆ ଦାନବ ସହ ନବୀନଙ୍କର କି ସମ୍ପର୍କ ରହିଛି? ଶ୍ରୀ ପ୍ରଧାନ କହିଛନ୍ତି ଯେ, ଭ୍ରଷ୍ଟାଚାର ରୂପୀ ଦାନବକୁ ନବୀନ ବାବୁ ହିଁ ଦାନା ଦେଉଛନ୍ତି।

ଉଜ୍ଜଳା ଯୋଜନା ଉପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଭାରତ ସରକାରଙ୍କ ସବୁଠୁ ବଡ଼ ଯୋଜନା ଭାବେ ଉଜ୍ଜଳା ପରିଗଣିତ ହେଉଛି। ସାରା ଭାରତରେ ବର୍ତ୍ତମାନ ସୁଦ୍ଧା ୬ କୋଟି ଗରିବ ମାଆ ଭଉଣୀଙ୍କୁ ମାଗଣାରେ ଗ୍ୟାସ୍‌ ସେଂଯାଗ ଦିଆଯାଇଛି। ଓଡ଼ିଶାରେ ଏହି ସଂଖ୍ୟା ୩୫ ଲକ୍ଷରେ ପହଞ୍ଚିଲାଣି। ଗ୍ୟାସ୍ ସବସିଡି ଗରିବଙ୍କ ପାଇଁ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ୨୦୧୮ ମସିହାରେ ୧୮୫୦ ଟଙ୍କା ସବସିଡି ନେଇଛନ୍ତି। ଉଜ୍ଜଳା ଯୋଜନା ସଫଳ କି ବିଫଳ ହିଞ୍ଜିଳିର ଯେ କେହି ବି ପରିବାର ପାଖରେ ପ୍ରମାଣ କରାଯାଇପାରିବ।

ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ସେ କହିଛନ୍ତି, କେନ୍ଦ୍ର ସରକାର ଉଦ୍ୟମ କରି ୭୦ରୁ ୭୫ ଦିନ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଉପରୁ ୨୦ ଟଙ୍କା କମାଇଛନ୍ତି। ସାରା ଦେଶରେ ବିଜେପି ଶାସିତ ରାଜ୍ୟ ଓ କେତେକ ଅଣ ବିଜେପି ଶାସିତ ରାଜ୍ୟ ପେଟ୍ରୋଲ ଓ ଡିଜେଲ ଉପରୁ ରାଜ୍ୟ କର ଛାଡ଼ କରୁଥିବାବେଳେ ଓଡ଼ିଶା ସରକାର ଭାଟ ଛାଡ଼ କରୁନାହାନ୍ତି। ଧର୍ମେନ୍ଦ୍ରଙ୍କ ଉପରେ ନବୀନଙ୍କ ବ୍ୟକ୍ତିଗତ ରାଗ ଥାଇପାରେ, ହେଲେ ସାଢ଼େ ୪ କୋଟି ଓଡ଼ିଆଙ୍କ ସ୍ବାର୍ଥ ପାଇଁ ଟ୍ୟାକ୍ସ କାହିଁକି କମାଉନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ ବିତର୍କ ପାଇଁ ସମୟ ସ୍ଥିର କରିବାକୁ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ବାନ େଦଇଛନ୍ତି।

ଏମ୍‌ଏସ୍‌ପି ପ୍ରସଙ୍ଗରେ ଧର୍ମେନ୍ଦ୍ରଙ୍କ ଉତ୍ତର ହେଉଛି, ୨୦୧୬ ସୋହେଲା ସମାବେଶରେ ଚାଷୀଙ୍କୁ ୧୦୦ ଟଙ୍କାର ବୋନସ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଅଢ଼େଇ ବର୍ଷ ବିତିଯାଇଥିଲେ ବି ଚାଷୀମାନଙ୍କୁ ବୋନସ୍ ମିଳିନାହିଁ। ନିଜ ଦଳର ପାଣ୍ଠି ସଂଗ୍ରହ କରିବା ପାଇଁ ମିଲରମାନଙ୍କ ସହ ମଧୁଚନ୍ଦ୍ରିକା ଥିବାରୁ ରାଜ୍ୟର ଚାଷୀଙ୍କ ଧାନକୁ ବାହାର ରାଜ୍ୟର ବେପାରୀ କମ ମୂଲ୍ୟରେ ନେଉଛନ୍ତି। ଶସ୍ୟବୀମା ଉପରେ ସଫେଇ ଦେଇ ଧର୍ମେନ୍ଦ୍ର ଘରୋଇ ବୀମା କଂପାନିଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଥିବା କହିଛନ୍ତି।

ରେଳବାଇ ଅବହେଳା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପାଇଁ କେତେ ଜମି ଅଧିଗ୍ରହଣ ହୋଇଛି ତାହା ସରକାର ସ୍ପଷ୍ଟ କରନ୍ତୁ। ସୋନପୁର, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ରାଜ୍ୟ ସରକାର ଜାଗା ଦେଇନାହାନ୍ତି। ତାଳଚେର-ବିମଳାଗଡ଼, ହରିଦାସପୁର-ପାରାଦୀପ ରେଳ ଲାଇନ ପାଇଁ କେତେ ଜମି ଦିଆଯାଇଛି, ସେ ତଥ୍ୟ ରାଜ୍ୟ େଦଉ େବାଲି କହିଛନ୍ତି।

ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ଜବାବ ଦେଇ କେନ୍ଦ୍ରମନ୍ତ୍ରୀ କହିଥିଲେ, ମୁଖ୍ୟମନ୍ତ୍ରୀ କୁମ୍ଭୀର କାନ୍ଦଣା କାନ୍ଦୁଥିବାରୁ ଧନ୍ୟବାଦ। କେତେଜଣ ମହିଳା ତାଙ୍କ କ୍ୟାବିନେଟରେ ଅଛନ୍ତି? ମୁସଲିମ ମହିଳାଙ୍କ ପାଇଁ ଆସୁଥିବା ତଲାକ୍ ଆଇନ କେନ୍ଦ୍ର ସରକାର ଆଣୁଥିବାବେଳେ ବିଜେଡି ସାଂସଦମାନେ କଣ ପାଇଁ ବିରୋଧ କରୁଥିଲେ? କୁନ୍ଦୁଲି ଝିଅ, ଗୁମୁଡୁମାହାରେ ନିରୀହ ଶିଶୁ ଓ ମହିଳାଙ୍କୁ ହତ୍ୟା କଲେ? ଏହା କଣ ମହିଳା ସୁରକ୍ଷା ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର