ଦଇତାପତି ନିଯୋଗରେ ଫାଟ ଜଳଜଳ : ପରସ୍ପର ଉପରେ ଦୋଷ ଲଦାଲଦି, କାଦୁଅ ଫିଙ୍ଗା

ପୁରୀ : ନବକଳେବର ବ୍ରହ୍ମ ବିଭ୍ରାଟ କଥା ହେଉ କି ଦାରୁ ଫିକ୍ସିଂ, ୨୦୧୫ ମସିହାର ଏହି ବହୁଚର୍ଚ୍ଚିତ ପ୍ରସଙ୍ଗ ଉଠିବା ମାତ୍ରେ ହେଉଛି ବିସ୍ଫୋରଣ। ଗଣମାଧ୍ୟମ ଆଗରେ ସଂପାଦକଙ୍କଠାରୁ ଆରମ୍ଭ କରି ଅନ୍ୟ କର୍ମକର୍ତାମାନେ ଯେଉଁଭଳି ମତମନ୍ତବ୍ୟ ରଖୁଛନ୍ତି, ଏଥିରୁ ସ୍ପଷ୍ଟ ହେଉଛି କେହି କାହାରି କଥା ଶୁଣିବାକୁ ନାରାଜ। ନିଜ ନିଜ ଭିତରେ ଦୋଷ ଲଦାଲଦି ପରେ ଦଇତା ନିଯୋଗରେ ଥିବା ଫାଟ ଜଳଜଳ ହୋଇ ଦିଶିଲାଣି।

ଗତ ୧୪ ତାରିଖରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନବକେଳବର ବ୍ରହ୍ମ ବିଭ୍ରାଟକୁ ନେଇ ୧୧ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ। ଯେଉଁଥିରେ ୧୦ ଜଣ ଦଇତାପତି ସେବକ ଓ ଜଣେ ମହାରଣା ସେବକ ରହିଥିଲେ। ଶ୍ରୀମନ୍ଦିର ପ୍ରଶାସନର ଏହି ନୋଟିସ୍ ପରେ ବ୍ରହ୍ମ ବିଭ୍ରାଟ ଗୁମର ଗୁପ୍ତ ରଖିବାକୁ ଚେଷ୍ଟ ଚଳାଇଥିବା ଶ୍ରୀମନ୍ଦିର ପ୍ରଶାସନର ଉଦ୍ୟମ ବି ଫସର ଫାଟିଛି। ମୁଖ୍ୟ ପ୍ରଶାସକଙ୍କ ନୋଟିସ୍ ପରେ ଦଇତାପତି ସେବକ ଓ ମହାରଣା ସେବକମାନେ ଗଣମାଧ୍ୟମ ଆଗରେ ବିସ୍ଫୋରକ ତଥ୍ୟ ରଖୁଛନ୍ତି। ସୁଭଦ୍ରାଙ୍କ ମୁଖ୍ୟ ମହାରଣା କୃଷ୍ଣଚନ୍ଦ୍ର ମହାରଣା କହିଛନ୍ତି, ନବକଳେବର ସମୟରେ ଦାରୁ ଚୟନ ଠିକ୍ ଭାବେ ହୋଇନି। ଯେଉଁଥି ପାଇଁ ଦାରୁ ପୋଲା ପଡ଼ିଥିଲା ଓ ଏଥିରେ ବିଗ୍ରହ ନିର୍ମାଣରେ ସମସ୍ୟା ଉପୁଜିଥିଲା। ନୋଟିସ୍ ପରେ ଦଇତାପତି ନିଯୋଗ ସଂପାଦକ ପ୍ରେମାନନ୍ଦ ଦାସ ମହାପାତ୍ର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ଭଳି ମତ ରଖିଛନ୍ତି।

ସିଧାସଳଖ କହିଛନ୍ତି, ଦାରୁ ଚୟନରେ ଫିକ୍ସିଂ ହୋଇଥିଲା। ଗୋଟିଏ ଜିଲ୍ଲାରୁ ତିନିଟି ଦାରୁ ମିଳିବାକୁ ନେଇ ସେ ପ୍ରଶ୍ନ ବି ଉଠାଇଛନ୍ତି। ଏହି ପ୍ରସଙ୍ଗରେ ସେ ସିଧାସଳଖ ଚାରି ବାଡ଼ଗ୍ରାହୀଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦେଶ କରିଛନ୍ତି। ରାତିରେ କେବେ ଦାରୁ ଚୟନ କରାଯାଏନି। କିନ୍ତୁ ଏଥର ରାତିରେ ଦାରୁ ଚୟନ କରାଯାଇଥିଲା। ବ୍ରହ୍ମ ବିଭ୍ରାଟ ଘଟଣାରେ ସେ ନିଜ ନିଯୋଗର କର୍ମକର୍ତାଙ୍କୁ ବି ଛାଡିନାହାନ୍ତି। ୪ ଜଣ ବରିଷ୍ଠ ଦଇତାପତି ଘଟ ପରିବର୍ତନ ସମୟରେ ବ୍ରହ୍ମ ଦର୍ଶନ କରିବାକୁ ଚାହିଁଥିଲେ। ଯେ ହେତୁ ୪ ଜଣ ବୟୋଜ୍ୟେଷ୍ଠ ଥିଲେ, ସେଥିପାଇଁ ସେମାନଙ୍କୁ ବ୍ରହ୍ମ ଦର୍ଶନ କରାଇବାକୁ ସେ ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ ବଡ଼ ଠାକୁର ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର ଏଥିରେ ପ୍ରତିବନ୍ଧକ ସାଜିଥିଲେ। ଯଦି ଅନ୍ୟ କେହି ବ୍ରହ୍ମ ଦର୍ଶନ କରନ୍ତି, ସେ ଯିବେନି ବୋଲି ଜିଦ୍ ଧରିଥିଲେ। ଏହାକୁ ନେଇ ହଳଧର ଦାସ ମହାପାତ୍ରଙ୍କୁ ଗାଳିଗୁଲଜ ଓ ଧକ୍କା ମରାଯାଇଥିବା ସେ ସମୟରେ ଅଭିଯୋଗ ଉଠିଥିଲା। ନିଜେ ହଳଧର ଦାସ ମହାପାତ୍ର ଏ ସଂପର୍କରେ ଶ୍ରୀମନ୍ଦିର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିବା କୁହାଯାଉଛି। ନିକଟରେ ଦଇତା ନିଯୋଗ ସଂପାଦକ ପ୍ରେମାନନ୍ଦ ଦାସ ମହାପାତ୍ର ଗଣମାଧ୍ୟମ ଆଗରେ ପୁଣି ନିଜର ବିଷୋଦଗାର ଢ଼ାଳିଛନ୍ତି। ଯାହାକୁ ନେଇ ତମ୍ବି ତୋଫାନ ଆରମ୍ଭ ହୋଇଛି। ଦଇତାପତି ନିଯୋଗର ଅନ୍ୟ ସଦସ୍ୟମାନେ ଏହା ଉପରେ କୌଣସି ମତ ମନ୍ତବ୍ୟ ରଖିନଥିଲେ ମଧ୍ୟ ପ୍ରେମାନନ୍ଦଙ୍କ ଏଭଳି ମନ୍ତବ୍ୟକୁ ନାପସନ୍ଦ କରିବା ସହ ଏହା ବିରୋଧରେ ମେଳି ହେଉଛନ୍ତି।

ସମ୍ବନ୍ଧିତ ଖବର