ନିଆରା ଢଙ୍ଗରେ ଦୀପାବଳି ପାଳିଲେ ମେହେର ସଂପ୍ରଦାୟର ଲୋକେ, ଆଲୋକ ଦେଖାଇ ପିତୃପୁରୁଷଙ୍କୁ ଦେଲେ ବିଦାୟ

ବୀରମହାରାଜପୁର: ଆଲୋକର ପର୍ବ ଦୀପାବଳିକୁ ମେହେର ସଂପ୍ରଦାୟର ଲୋକେ ନିଆରା ଢ଼ଙ୍ଗରେ ପାଳନ କରିଛନ୍ତି। ମେହେର ସଂପ୍ରଦାୟର ଲୋକେ  ଆଲୋକ ଦେଖାଇ ପିତୃପୁରୁଷଙ୍କୁ ବିଦାୟ ଦେଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ସୋମବାର ଦୀପାବଳିକୁ ବିଭିନ୍ନ ସମ୍ପ୍ରଦାୟର ଲୋକମାନେ ଭିନ୍ନ ଭିନ୍ନ ଢ଼ଙ୍ଗରେ ପାଳନ କରିଛନ୍ତି। କିନ୍ତୁ ମେହେର, ଭୁଲିଆ ସଂପ୍ରଦାୟର ଲୋକେ ଭିନ୍ନ ଢ଼ଙ୍ଗରେ ପାଳନ କରିଛନ୍ତି। ଭୋର ସକାଳୁ ପ୍ରଥମେ ସମସ୍ତ ମେହେର ପରିବାରର ସ୍ତ୍ରୀଲୋକମାନେ ସୁଦ୍ଧ ସ୍ନାନ ସାରି ଅରୁଆ ଚାଉଳ ବାଟିଥିଲେ।  ଏହାପରେ ତାକୁ ମାଟି ହାଣ୍ଡିରେ ଗୁଡଦେଇ ଖଳି କରିଥାନ୍ତି । ଏହି ଚାଉଳ ବଟା ଖଳି ଗରମ ଥିବା ଅବସ୍ଥାରେ ନଡ଼ିଆ ଖୁରାରେ ଗୁଡ଼ ଅଳାଇଚ ଲବଙ୍ଗ କର୍ପୁର ମିଶାଇ ସିଝା ମଣ୍ଡା ଭଳି ସ୍ବାଦିଷ୍ଟ ଗଇଠା (ତାଙ୍କର ଭାଷାରେ) ତିଆରି କରିଥିଲେ। ଏହାପରେ ସାତଟି ଦୀପରେ ଏକ ଥାଳିରେ ନିଜର ଇଷ୍ଟ ଦେବତା ଓ ପିତୃପୁରୁଷଙ୍କୁ ଅର୍ପଣ କରିଥିଲେ।

ଏହି ଅବସରରେ ସେମାନେ ଗୀତ ଗାଇଥିଲେ। ସେହି ଗିତଟି ହେଉଛି ‘ରଜା ବାହାବେ ଆବେ, ଖଣ୍ଡ ଖଜା ଖାବେ, ଅନ୍ଧାରେ ଆବେ, ଉଜାଲେ ଜାବେ, ନଡ଼ିଆ ମହା ପ୍ରସାଦ ଖାବେ, ରଜା ବାହାବେ ଆବେ।’ ଏହାର ଅର୍ଥ ହେଉଛି ରାଜା ଭାବରେ ଆସ, ସ୍ବାଦିଷ୍ଟ ମିଠା ଖାଅ, ଅନ୍ଧାରରେ ଆସିଛ, ଆଲୁଅରେ ଯାଅ, ନଡ଼ିଆ ଓ ମହାପ୍ରସାଦ।ଖାଅ। ଏଭଳି ଏକ ନିଆରା ଢ଼ଙ୍ଗରେ ନିଆରା ପରମ୍ପରା ଦିପାବଳିରେ ପିତୃପୁରୁଷଙ୍କୁ ବିଦାୟ ଦେଇଥିଲେ।

ସେମାନଙ୍କ ବିସ୍ବାସ ରହିଛି ଯେ, ଆଶ୍ବିନ ମାସ କୃଷ୍ଣପକ୍ଷ ବା ଅପରପକ୍ଷରେ ପିତୃପୁରୁଷଙ୍କ ଶ୍ରାଦ୍ଧ କରାଯାଇଥାଏ। ଯେହେତୁ କୃଷ୍ଣପକ୍ଷରେ ଆକାଶ ଅନ୍ଧାର ଥାଏ ପିତୃପୁରୁଷଙ୍କୁ ବିଦାୟ ଦେଇ ନ ଥାନ୍ତି ମେହେର ସମ୍ପ୍ରଦାୟ। ପୁଣି କାର୍ତ୍ତିକ ମାସରେ ଦୀପାବଳି ଦିନ ଏହି ପିତୃପୁରୁଷଙ୍କୁ ସ୍ବାଦିଷ୍ଟ ଖାଦ୍ୟ ଗଇଠା ଅର୍ପଣ କରାପରେ ଏକ ଆଖୁ ଖଣ୍ଡ ଉପରେ ଉକ୍ତ ଗଇଠା ଉପରେ ଏକ ଦୀପ ଜାଳି ନିଜ ଘରୁ ବାହାରିଥାନ୍ତି ଗାଁ ଦାଣ୍ଡକୁ ଗୀତା ଗାଇ ଗାଇ ପିତୃପୁରୁଷଙ୍କୁ ବିଦାୟ ଦେଇଥାନ୍ତି ଗାଁ ମୁଣ୍ଡରେ। ଏଥିରେ ତାଙ୍କ ବିଶ୍ବାସ ରହିଛି ଯେ, ପିତୃପୁରୁଷଙ୍କୁ ପରିବାର ଉପରେ ଆଶୀର୍ବାଦ କରିଥାନ୍ତି।

ଆଧୁନିକ ଯୁଗର ଯୁବ ସମାଜ ଏବେ ବାଣ ଓ ଆତସବାଜିରେ ପରିବେଶକୁ ପ୍ରଦୂଷିତ କରୁଥିବା ବେଳେ ମେହେର ସମ୍ପ୍ରଦାୟର ଏହି ନିଆରା ପରମ୍ପରା ଦୀପାବଳିରେ ପିତୃପୁରୁଷଙ୍କୁ ବିଦାୟ ଦେଇ ପ୍ରଦୂଷଣ ମୁକ୍ତି କରିପାରୁଛନ୍ତି ତାଙ୍କ ଠାରୁ ସିଖିବା କଥା। କେନ୍ଦୁପାଲି ଗ୍ରାମରେ ପ୍ରାୟ ୯୫ ଭାଗ ମେହେର ସପ୍ରଦାୟର ଲୋକେ ବସବାସ କରୁଛନ୍ତି। ସେଥିପାଇଁ ପ୍ରତ୍ୟେକ ଘରେ ଏଭଳି ନିଆରା ଢଙ୍ଗରେ ଏହି ପର୍ବକୁ ପାଳନ କରିଛନ୍ତି। ଦୀପାବଳିର ଏହି କାର୍ଯ୍ୟକ୍ରମରେ ଗଙ୍ଗାଧର ମେହେର, ଦିନବନ୍ଧୁ ମେହେର, ବିନାୟକ ମେହେର, ରବି ମେହେର, ଅରୁଣ ମେହେର ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ କାର୍ଯ୍ୟକ୍ରମ ସାମିଲ ହୋଇଥିଲେ। ଜୟ ମେହେରଙ୍କ କହିବା ଅନୁସାରେ କେଉଁ ଆବାହନ କାଳରୁ ଏହି ପରମ୍ପରା ଚାଲି ଆସୁଛି।

ସମ୍ବନ୍ଧିତ ଖବର