ରାଜ୍ୟରେ ଏବେ ମରୁଡ଼ି ଭଳି ସ୍ଥିତି

କାମ ଆରମ୍ଭ କଲା ରାଜ୍ୟ ମରୁଡ଼ି ନିରୀକ୍ଷଣ ସେଲ୍‌

ଭୁବନେଶ୍ବର : ବର୍ଷା ଅଭାବରୁ ରାଜ୍ୟରେ ଏବେ ମରୁଡ଼ି ଭଳି ସ୍ଥିତି। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ମୁକାବିଲା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜାରି ପ୍ରାଥମିକ ରିପୋର୍ଟରେ ଏହା ସ୍ପଷ୍ଟ ହୋଇଛି। ୨୦୧୭ ମସିହା ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଆଇନ ଅନୁସାରେ, ଏଥିପାଇଁ ରାଜ୍ୟ ଡ୍ରଟ୍‌ ମନଟରିଂ ସେଲ୍‌ ଗଠନ କରାଯିବା ସହିତ କାର୍ଯ୍ୟ ଆରମ୍ଭ କରି ଦେଇଛି।

ଏହି ରିପୋର୍ଟ ଅନୁସାରେ, ‌ଅନେକ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଯୋଗୁଁ ରାଜ୍ୟରେ ମରୁଡ଼ି ଭଳି ସ୍ଥିତି ଉତ୍ପନ୍ନ ହୋଇଥିବା ସ୍ପଷ୍ଟ ହୋଇ ସାରିଛି। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରୁ ଏହାକୁ ଚିହ୍ନଟ କରିବା ସହିତ କ୍ଷୁଦ୍ର ଏବଂ ଦୀର୍ଘକାଳୀନ ଯୋଜନା ପ୍ରସ୍ତୁତ କରିବାକୁ ହେବ। ମରୁଡ଼ିର ପ୍ରକୃତି, ପ୍ରାଥମିକ ପର୍ଯ୍ୟାୟରୁ ମରୁଡ଼ି ଚିହ୍ନଟ ପାଇଁ ବୈଜ୍ଞାନିକ ମାନଦଣ୍ଡ ସହିତ ମରୁଡ଼ି ଘୋଷଣା କରିବାକୁ ହେବ।

ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ଚଳିତ ବର୍ଷ ଖରିଫ୍‌ରେ ୩୫ ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଛି। ଏଥିମଧ୍ୟରୁ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ୨୪ ଲକ୍ଷ ୬୮ ହଜାର ୧୬୫ ହେକ୍ଟର ଜମିରେ ବେଉଷଣ ହୋଇଛି। ପାଣି ଅଭାବରୁ ପ୍ରାୟ ୧୧ ଲକ୍ଷ ହେକ୍ଟର ଚାଷ ପ୍ରଭାବିତ ହେବା ନେଇ ଆଶଙ୍କା କରାଯାଉଛି। ଏସବୁ ଜମିରେ ଏଯାଏ ଧାନଗଛ ମରିନି ସତ; କିନ୍ତୁ ବର୍ଷା ଅଭାବରୁ ଗଛ ବୁଢା ହୋଇ ସାରିଛି। ପ୍ରାଥମିକ ପର୍ଯ୍ୟାୟରେ ଆକଳନ ରିପୋର୍ଟ ଅନୁସାରେ, ୧୩ ଜିଲ୍ଲାର ୨୦ଟି ବ୍ଲକ୍‌ ସ୍ବଳ୍ପ ବର୍ଷାଜନିତ ସଂକଟ ସଂଗିନ ରହିଛି। ପାଣି ଅଭାବ ଯୋଗୁଁ ବଲାଙ୍ଗୀର ଜିଲ୍ଲାର ୪୯୩୦ ହେକ୍ଟର, ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ାର ୩୨୦୪ ହେକ୍ଟର, ଗଞ୍ଜାମ ଜିଲ୍ଲା କୁକୁଡ଼ାହାଣ୍ଡିର ୬୬୪୭ ହେକ୍ଟର, ଯାଜପୁର ଜିଲ୍ଲା ଦାରିଗଙ୍ଗବାଡ଼ି ଏବଂ କୋରେଇର ୧୯୧୬୬ ହେକ୍ଟର, କେନ୍ଦୁଝର ଜିଲ୍ଲା ଆନନ୍ଦପୁର, ଘସିପୁରା, ହାଟଡିହିର ୩୬ ହଜାର ୧୪୭ ହେକ୍ଟର, ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର, ବିଷମକଟକର ୧୯ ହଜାର ୫୯୦ ହେକ୍ଟର, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲର ୩୫୫୦ ହେକ୍ଟର, ବୌଦ୍ଧ ଜିଲ୍ଲାର ହରଭଙ୍ଗା ସମେତ ୩ଟି ବ୍ଲକ୍‌ର ୨୦ ହଜାର ୩୬୦ ହେକ୍ଟର, କଳାହାଣ୍ଡି ଜିଲ୍ଲା ଭବାନୀପାଟନା, କେସିଙ୍ଗା ବ୍ଲକ୍‌ର ୫ ହଜାର ହେକ୍ଟର ଜମିରେ ରୁଆ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।

ତେବେ ଆସନ୍ତା ୧୫ ତାରିଖ ପରେ ବର୍ଷାକୁ ଅପେକ୍ଷା କରାଯାଇଛି। ଏହା ପରେ ସ୍ଥିତି ଆହୁରି ସ୍ପଷ୍ଟ ହୋଇ ପାରିବ ବୋଲି ରିପୋର୍ଟରେ କୁହାଯାଇଛି।

ସମ୍ବନ୍ଧିତ ଖବର