୬ ପଞ୍ଚା​ୟତରେ ଆଣ୍ଠେଇଛି ଶିକ୍ଷା ବ୍ୟବସ୍ଥା: ଅଧ୍ୟୟନ କରୁଛନ୍ତି ୬,୧୦୦ରୁ ଅଧିକ ଛାତ୍ରଛାତ୍ରୀ

ରାଉରକେଲା: କେବଳ ସହର ନୁହେଁ ଉପକଣ୍ଠ ରଘୁନାଥପାଲୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୬ଟି ପଞ୍ଚାୟତରେ ସରକାରୀ ଶିକ୍ଷାବ୍ୟବସ୍ଥା ଆଣ୍ଠେଇଛି। ଆବଶ୍ୟକ ଭିତ୍ତିଭୂମି ଓ ଗୁଣାତ୍ମକ ଶିକ୍ଷା ଅଭାବରୁ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ଆଶାନୁରୂପ ସଫଳତା ପାଉନାହାନ୍ତି। ୬ ପଞ୍ଚାୟତର ପ୍ରାୟ ୫୦ରୁ ଅଧିକ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ରହିଛି। ଏଥିରୁ ପ୍ରାୟ ୬୦% ବିଦ୍ୟାଳୟରେ ଶିକ୍ଷାକୁ ଯେତିକି ଗୁରୁତ୍ବ ଦିଆଯିବା କଥା, ତା’ ହେଉ ନାହିଁ ବୋଲି ସ୍ଥାନୀୟ ଅଭିଭାବ​କମାନେ ଅଭିଯୋଗ କରିଛନ୍ତି। ଏମିତି ସ୍ଥିତି ଉପୁ୍ଜିଛି, ଯେ କିଛି ପିଲା ୮ମ ଶ୍ରେଣୀରୁ ତ ଅନ୍ୟ କିଛି ପିଲା ମାଟ୍ରିକ ପାସ୍‌ କରିବା ପରେ ପାଠରେ ଡୋରି ବାନ୍ଧି ଦେଉଛନ୍ତି।

୬ ପଞ୍ଚାୟତରେ ୩୫ରୁ ଅଧିକ ଗାଁରେ ପ୍ରାୟ ୮୦% ଲୋକ ହେଉଛନ୍ତି ଆଦିବାସୀ ପରିବାର। ଏମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ନଥିବାରୁ ଘରୋଇ ବିଦ୍ୟାଳୟ ଥିଲେ ହେଁ ପ୍ରାୟ ସମସ୍ତ ପିଲା ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପାଠ ପଢ଼ନ୍ତି। ହେଲେ ପ୍ରାୟ ଅଧିକାଂଶ ବିଦ୍ୟାଳୟରେ ଆବଶ୍ୟକ ଭିତ୍ତିଭୂମି ଓ ଗୁଣାତ୍ମକ ଶିକ୍ଷା ଅଭାବରୁ ବାର୍ଷିକ ପରୀକ୍ଷା ଫଳାଫଳ ଅତି ନଗଣ୍ୟ ରହିଛି। ଗୋଟିଏ କି ଦୁଇ ବର୍ଷ ପ୍ରାୟ ୧୦ ବର୍ଷରେ ୬ ପଞ୍ଚାୟତର ରହିଥିବା ଉଚ୍ଚ ବିଦ୍ୟାଳୟର ମାଟ୍ରିକ ଫଳ ଶିକ୍ଷାବ୍ୟବସ୍ଥାର ବାସ୍ତବ ଚିତ୍ରକୁ ସାମ୍ନାକୁ ଆଣିଛି। ସହର ଓ ବ୍ଲକର ମୁଖ୍ୟ ବଜାର ପାର୍ଶ୍ବରେ ରହିଥିବା କାଁ ଭାଁ କେତୋଟି ବିଦ୍ୟାଳୟକୁ ୫ଟି ରୁପାନ୍ତରୀକରଣ କରାଯାଇଛି। ହେଲେ ପଞ୍ଚାୟତରେ ଅଧୀନରେ ରହିଥିବା ଅଧିକାଂଶ ଉଚ୍ଚ ବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମିକୁ ଶିକ୍ଷାବିଭାଗ ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଭୁଲି ଯାଇଛି। କିଛି ବିଦ୍ୟାଳୟରେ ବିଦ୍ୟୁତ ନାହିଁ। ରହିଥିବା ଶୌଚାଳୟଗୁଡ଼ିକ ଛାତ୍ରଛାତ୍ରୀଙ୍କ ବ୍ୟବହାର ଉପଯୋଗୀ ​ହେଉନି। ପାନୀୟ ଜଳ ବ୍ୟବସ୍ଥାରେ ବି ସମାନ ସ୍ଥିତି ଉପୁଜିଛି। ସହରର ଓ ବ୍ଲକ ପ୍ରମୁଖ ବଜାର ଯେମିତି ସରକାରୀ ବିଦ୍ୟାଳୟଗୁଡ଼ିକୁ ରୂପାନ୍ତରଣ କରାଯାଉଛି, ସେମିତି ପଞ୍ଚାୟତ ବର୍ଷ ବର୍ଷ ଧରି ଅବହେଳିତ ଅବସ୍ଥା ରହିଥିବା ବିଦ୍ୟାଳୟଗୁଡ଼ିକୂ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

କେବଳ ଏତିକି ନୁହେଁ ଦୂରଦୂରାନ୍ତରୁ ବଦଳି ହୋଇ ଏସବୁ ପଞ୍ଚାୟତ ଅଧୀନସ୍ଥ ବିଦ୍ୟାଳୟଗୁଡ଼ିକୁ ଆସୁଥିବା ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ପାଇଁ ସରକାରୀ କ୍ବାର୍ଟର୍ସ ନଥିବାରୁ ନାନାଦି ସମସ୍ୟା ଉପୁଜିଛି। ଶିକ୍ଷକଶିକ୍ଷୟିତ୍ରୀମାନେ ବିଦ୍ୟାଳୟରେ ଠିକ୍‌ ସମୟରେ ପହଞ୍ଚି ପାରୁ ନଥିବାରୁ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ଏସବୁ ପଞ୍ଚାୟତର ଭିତ୍ତିଭୂମିକୁ ଗୁରୁତ୍ବ ଦେବା ସହ ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାକୁ ରଘୁନାଥପାଲୀ ନିର୍ବାଚନମଣ୍ଡଳୀର ସମାଜସେବୀ ପ୍ରଶାନ୍ତ ସେଠୀ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଉଲ୍ଲେଖଯୋଗ୍ୟ, ରଘୁନାଥପାଲୀ ନିର୍ବାଚନମଣ୍ଡଳୀ ଅଧୀନରେ ୬ଟି ପଞ୍ଚାୟତ ରହିଛି। ସେଗୁଡ଼ିକ ହେଲା ରାମଯୋଡି, ହାତୀବନ୍ଧା, ମୁଣ୍ଡାଜୋର, ଲାଠିକଟା, ସୁଇଡିହି ଓ ଜଲଦା। ଲାଠିକଟା ପଞ୍ଚାୟତ ଅଧୀନରେ ୮ଟି ସରକାରୀ ପ୍ରାଥମିକ ଓ ଉଚ୍ଚବିଦ୍ୟାଳୟରେ ପ୍ରାୟ ୧୪୩୫ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ହାତୀବନ୍ଧା ପଞ୍ଚାୟତରେ ୬ଟି ସରକାରୀ ବିଦ୍ୟାଳୟରେ ୧୨୮୦ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ମୁଣ୍ଡାଜୋରର ୬ଟି ବିଦ୍ୟାଳୟରେ ୬୭୫ରୁ ଅଧିକ, ରାମ​ଯୋଡିର ୯ଟି ବିଦ୍ୟାଳୟରେ ପ୍ରାୟ ୪୦୬, ସୁଇଡିହିର ୬ଟି ବିଦ୍ୟାଳୟରେ ୮୦୪ରୁ ଅଧିକ ଓ ଜଲଦାର ୧୨ଟି ବିଦ୍ୟାଳୟରେ ୧୫୦୪ ପିଲା ପାଠ ପଢ଼ୁଛନ୍ତି।

ସମ୍ବନ୍ଧିତ ଖବର