ଭିକାରିମୁକ୍ତ ହେବ ରାଜଧାନୀ ! ବିଏମ୍‌ସି ଭିକାରି ଥଇଥାନ କେନ୍ଦ୍ରରେ ରହିଲେଣି ୩୦୦

ଭୁବନେଶ୍ୱର: ଡଟ୍‌ପେନ୍‌ ବିକିବା ଆଳରେ ଭିକ୍ଷାବୃତ୍ତି ଚାଲିଛି। ବିଭିନ୍ନ ଟ୍ରାଫିକ୍‌ରେ ଶିଶୁମାନଙ୍କୁ କାଖରେ ଧରି ମହିଳାମାନେ ଏଭଳି କାରବାର କରୁଛନ୍ତି। ଚଢ଼ଉ ଟିମ୍‌ ପହଞ୍ଚିଲେ କେଉଁଠି ଲୁଚି ଯାଉଛନ୍ତି, ପୁଣି କିଛି ସମୟ ପରେ ବାହାରି କାମରେ ଲାଗି ଯାଉଛନ୍ତି। ବିଏମ୍‌ସି ଏହାକୁ ଗୁରୁତ୍ବର ସହ ନେଇଛି। ତିନିଜୋନ୍‌ରେ ତିନିଟି ସ୍ବତନ୍ତ୍ର ଟିମ୍‌ ଗଠନ ହେବା ସହ ସାନିଟାରି ଇନ୍‌ସ୍‌ପେକ୍ଟର ଓ ୱାର୍ଡ ଅଫିସରଙ୍କୁ ଦାୟିତ୍ବ ଦିଆଯାଇଛି। ସେମାନଙ୍କ ପାଖରେ ଜିପିଏସ୍‌ ସଂଯୁକ୍ତ ୱାକି-ଟକି ରହିଛି। ଭିକାରିମାନଙ୍କୁ ବୁଝାଇବା ବେଳେ ସ୍ବତନ୍ତ୍ର ଟିମ୍‌ ସାନିଟାରି ଇନ୍‌ସ୍‌ପେକ୍ଟରଙ୍କ ୱାକି-ଟକିର ଜିପିଏସ୍‌ ଟ୍ରାକ୍‌ କରି ଚଢ଼ଉ କରାଯାଉଛି। ଏଥିରେ ଜନସାଧାରଣ ବା ଗୋଷ୍ଠୀଙ୍କ ସହଯୋଗ ଜରୁରି ହୋଇଛି। ସେମାନଙ୍କ ସମ୍ବନ୍ଧରେ ଜାଣିବା ମାତ୍ରେ ବିଏମ୍‌ସିକୁ ଅବଗତ କରାଇଲେ ଏହି ଅଭିଯାନ ଶତ ପ୍ରତିଶତ ସଫଳ ହେବ ବୋଲି କହିଛନ୍ତି କମିସନର ବିଜୟ ଅମୃତା କୁଲାଙ୍ଗେ।

ବିଏମ୍‌ସି ୫ଟି ଭିକାରି ଥଇଥାନ କେନ୍ଦ୍ର ପ୍ରସ୍ତୁତ କରିଛି। ୩ଟି ଅନ୍ଧାରୁଆରେ ରହିଥିବା ବେଳେ ଗୋଟିଏ ରଙ୍ଗବଜାର ଓ ଅନ୍ୟଟି ନୀଳାଦ୍ରିବିହାରରେ ରହିଛି। ଏଗୁଡ଼ିକର କ୍ଷମତା ୧୦୦ ଲେଖାଏଁ ରହିଛି। ଅର୍ଥାତ୍‌ ଏକ ସମୟରେ ୫ଶହ ଭିକାରି ରହିପାରିବା ଭଳି ବ୍ୟବସ୍ଥା ଅଛି। ଏବେ ପାଖାପାଖି ୩ଶହ ଭିକାରି ଏହି ସବୁ କେନ୍ଦ୍ରରେ ରହିଛନ୍ତି। ଉଦ୍ଧାର ହେଉଥିବା ଭିକାରିମାନଙ୍କୁ ପ୍ରଥମେ ଏଠାରେ ରଖାଯାଉଛି। ଯେଉଁମାନଙ୍କର ଠିକଣା ମିଳିଯାଉଛି ସେମାନଙ୍କୁ ତୁରନ୍ତ ଘରକୁ ପଠାଇ ଦିଆଯାଉଛି। ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଏହା ଖର୍ଚ୍ଚ ବହନ କରାଯାଉଥିବା ବେଳେ ବିଏମ୍‌ସି ପରିଚାଳନା କରୁଛି। ଜୋନ୍‌ ଅଧିକାରୀ, ପୁଲିସ ଓ ଏହାକୁ ପରିଚାଳନା କରୁଥିବା ସଂସ୍ଥାର କର୍ମଚାରୀଙ୍କୁ ନେଇ ସ୍ବତନ୍ତ୍ର ଉଦ୍ଧାର ଟିମ୍‌ ଗଠନ କରାଯାଇଛି। ଟ୍ରାଫିକ ପୋଷ୍ଟ, ରେଲୱେ ଷ୍ଟେସନ, ବସ ଷ୍ଟାଣ୍ଡରେ ଟିମ୍‌ ଚକ୍କର କାଟୁଛି।

ସମ୍ବନ୍ଧିତ ଖବର