ବିଦେଶରୁ ଘରକୁ ପାଣ୍ଠି ପଠାଇବା: ୧୧,୦୦୦ କୋଟି ଡଲାର ପାଇବାରେ ଭାରତ ପ୍ରଥମ

ନୂଆଦିଲ୍ଲୀ: କାମଧନ୍ଦା ଓ ରୋଜଗାର ସନ୍ଧାନରେ ବିଦେଶ ଯାଇଥିବା ଭାରତୀୟମାନେ ପ୍ରତିବର୍ଷ ବିପୁଳ ପରିମାଣର ପାଣ୍ଠି ଦେଶରେ ଥିବା ନିଜ ଲୋକମାନଙ୍କ ପାଖକୁ ପଠାଉଛନ୍ତି। ସେହିଭଳି ପାଣ୍ଠି ପାଇବାରେ ଭାରତ ଏକ ଅନନ୍ୟ ରେକର୍ଡ କରିଛି। ବିଶ୍ବର ପ୍ରଥମ ଦେଶ ଭାବେ ୨୦୨୨ରେ ଏହା ୧୦,୦୦୦ କୋଟି ଡଲାରରୁ ଅଧିକ ପାଣ୍ଠି ପାଇଛି। ଜାତିସଂଘର ସଂସ୍ଥା ‘ଇଣ୍ଟରନ୍ୟାସନାଲ୍ ଅର୍ଗାନାଇଜେସନ୍ ଫର୍‌ ମାଇଗ୍ରେସନ୍ (ଆଇଓଏମ୍‌)ର ରିପୋର୍ଟ ଅନୁସାରେ ୨୦୨୨ରେ ଭାରତ ୧୧,୧୦୦ କୋଟି ଡଲାର ହାସଲ କରିଛି। ଏହି ତାଲିକାରେ ଭାରତ ପଛକୁ ରହିଛନ୍ତି ମେକ୍ସିକୋ, ଚୀନ୍, ଫିଲିପାଇନ୍ସ ଓ ଫ୍ରାନ୍ସ।

ଗତ କିଛି ବର୍ଷ ଭିତରେ ବିଦେଶରେ ରହୁଥିବା ଭାରତୀୟମାନେ ସ୍ବଦେଶକୁ ପଠାଉଥିବା ପାଣ୍ଠି ପରିମାଣ ବଢ଼ିବାରେ ଲାଗିଛି। ୨୦୧୦ରେ ସେମାନେ ୫୩୪୮ କୋଟି ଡଲାର ପଠାଇଥିବା ବେଳେ ୨୦୧୫ରେ ୬୮୯୧ କୋଟି ଡଲାର, ୨୦୨୦ରେ ୮୩୧୫ କୋଟି ଡଲାର ଏବଂ ୨୦୨୨ରେ ୧୧,୧୨୨ କୋଟି ଡଲାର ପଠାଇଛନ୍ତି। ଏହି ତାଲିକାର ଶ୍ରେଷ୍ଠ ୧୦ଟି ଦେଶ ଭିତରେ ପାକିସ୍ତାନ ଓ ବାଲାଂଦେଶର ନାମ ମଧ୍ୟ ରହିଛି। ଦକ୍ଷିଣପୂର୍ବ ଏସିଆ ହେଉଛି ବିଶ୍ବର ଏଭଳି ଏକ ଅଞ୍ଚଳ ଯେଉଁଠାରୁ ଅଧିକାଂଶ ଲୋକ କାମଧନ୍ଦା ସନ୍ଧାନରେ ବିଦେଶ ଯାଉଛନ୍ତି। ବିଶେଷ କରି ଭାରତ, ଇଜିପ୍ଟ, ବାଲାଂଦେଶ, ଇଥିଓପିଆ, ଏବଂ କେନିଆର ଲୋକମାନେ ଅନ୍ୟ ଦେଶକୁ ଯାଇ ସେଠାରେ ନିର୍ମାଣ, ଆତିଥେୟତା, ନିରାପତ୍ତା, ଘରୋଇ କାମ ଏବଂ ରିଟେଲ୍‌ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଭାରତରୁ ବହୁ ସଂଖ୍ୟାରେ ଲୋକ ୟୁଏଇ, ଆମେରିକା ଓ ସାଉଦି ଆରବରେ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର