ଚାହିଦାରେ ୧୨୫ ସିସି ବାଇକ୍: ଦୁଇଚକିଆ, କାର୍ ବିକ୍ରି ବଢ଼ିଲା

ଟ୍ରାକ୍ଟର, ତିନିଚକିଆ କମିଲା

ନୂଆଦିଲ୍ଲୀ: ଦୁଇଚକିଆ ଯାନ ବଜାରରେ ଉତ୍ସାହ ଫେରିଆସିଛି। ଚଳିତ ବର୍ଷ ଏପ୍ରିଲ୍‌ରେ ଦେଶରେ ୧୬ ଲକ୍ଷ ୪୩ ହଜାରରୁ ଅଧିକ ଦୁଇଚକିଆ ଯାନ ବିକ୍ରି ହୋଇଛି। ଏହି ମାସରେ ସର୍ବା‌ଧିକ ଚାହିଦାରେ ଥିଲା ୧୨୫ ସିସି ବାଇକ୍। ଇନ୍ଧନର ସ୍ଥିର ମୂଲ୍ୟ, ଆଗକୁ ଭଲ ମୌସୁମୀ ବର୍ଷା ହେବାର ସମ୍ଭାବନା, ଉତ୍ସବ ଓ ବିବାହ ଋତୁ ପାଇଁ ଦୁଇଚକିଆ ଯାନ ବିକ୍ରି ବଢ଼ିଛି ବୋଲି ଗାଡ଼ି ଡିଲରସିପ୍‌ ସଂଘ ଏଫ୍‌ଏଡିଏର ସଭାପତି ମନିଷ ରାଜ ସିଂଘାନିଆ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ଦେଶରେ ନିର୍ବାଚନ ଋତୁ ଚାଲିଥିବାରୁ ମେ’ ମାସ ଗାଡ଼ି ବିକ୍ରି ଉପରେ ତାହାର ପ୍ରଭାବ ରହିବ। ନିର୍ବାଚନ ଫଳାଫଳକୁ ନେଇ ରହିଥିବା ଅନିଶ୍ଚିତତା ଯୋଗୁଁ ଲୋକମାନେ ଗାଡ଼ି କିଣିବା ନିଷ୍ପତ୍ତିକୁ କିଛି ଦିନ ଟାଳି ଦେଇପାରନ୍ତି ବୋଲି ସେ ଆଶଙ୍କା ପ୍ରକଟ କରିଛନ୍ତି। ଏଥର ଭଲ ଫସଲ ଅମଳ ହେବାର ସମ୍ଭାବନା ଥିବାରୁ ଦୁଇଚକିଆ ଗାଡ଼ି ପାଇଁ ବୁକିଂ ବୃଦ୍ଧି ପାଉଛି। ନୂଆ ମଡେଲ୍‌ ଉନ୍ମୋଚନ ହେଉଥିବାରୁ କାର୍‌ ଚାହିଦା ବଢ଼ିଛି। ଲୁହାପଥର, ଇସ୍ପାତ ଓ ସିମେଣ୍ଟ ଶିଳ୍ପରେ କମର୍ସିଆଲ୍ ଗାଡ଼ି ବିକ୍ରି ବଢ଼ିବାର ସମ୍ଭାବନା ଥିବା ବେଳେ ନୂଆ ଇଲେକ୍ଟ୍ରିକ୍ ଗାଡ଼ିକୁ ନେଇ ‌ଗ୍ରାହକମାନଙ୍କ ଭିତରେ ଅଲଗା ପ୍ରକାର ଉତ୍ସାହ ଦେଖଇବାକୁ ମିଳିଛି ବୋଲି ଏଫ୍ଏଡିଏ ପକ୍ଷରୁ କୁହାଯାଇଛି।

ଏଫ୍‌ଏଡିଏ ସୂଚନା ଅନୁସାରେ ଚଳିତ ବର୍ଷ ଏପ୍ରିଲ୍‌ରେ ଦେଶରେ ୨୨ ଲକ୍ଷରୁ ଅଧିକ ଗାଡ଼ି ବିକ୍ରି ହୋଇଛି। କେବଳ ଦୁଇଚକିଆ ଓ କାର୍‌ ବିକ୍ରି ବଢ଼ିଥିବା ବେଳେ ଅନ୍ୟ ସବୁ ପ୍ରକାର ଗାଡ଼ିର ବିକ୍ରି କମିଛି। ତିନିଚକିଆ ବିକ୍ରିରେ ୨୩.୯୭ ପ୍ରତିଶତ, ଟ୍ରାକ୍ଟରରେ ୨୭.୮୨ ପ୍ରତିଶତ ଏବଂ କମର୍ସିଆଲ୍ ଗାଡ଼ି ବିକ୍ରିରେ ୦.୬୪ ପ୍ରତିଶତ ହ୍ରାସ ଘଟିଛି। ଏହି ମାସରେ ଦେଶରେ ୮୦,୧୦୫ ତିନିଚକିଆ, ୩୧,୮୦୮ ଇଲେକ୍ଟ୍ରିକ୍ ତିନିଚକିଆ ଯାନ, ୪୨୨୩ଟି ଇଲେକ୍ଟ୍ରିକ୍ ତିନିଚକିଆ ମାଲ୍‌ବାହୀ ଯାନ, ୩,୩୫,୧୨୩ଟି କାର୍, ୫୬,୬୨୫ ଟ୍ରାକ୍ଟର, ୯୦,୭୦୭ କମର୍ସିଆଲ୍ ଗାଡ଼ି ବିକ୍ରି ହୋଇଛି। ଗାଡ଼ି ବିକ୍ରିରୁ ଏପ୍ରିଲ୍ ମାସରେ ୭,୫୨୮ କୋଟି ଟଙ୍କାର ସଡ଼କ ଟିକସ ସଂଗ୍ରହ ହୋଇଛି ଯାହା ଗତବର୍ଷରେ ହୋଇଥିବା ୬୦୧୨ କୋଟି ଟଙ୍କା ତୁଳନାରେ ୨୫ ପ୍ରତିଶତ ଅଧିକ।

ସମ୍ବନ୍ଧିତ ଖବର