ଟାଟାର ମୁଣ୍ଡବ୍ୟଥା ‘ଏୟାର ଇଣ୍ଡିଆ’: ଏୟାର ଇଣ୍ଡିଆ ଏକ୍ସ‌ପ୍ରେସ୍‌ରେ ସଙ୍କଟ

ଏୟାର ଇଣ୍ଡିଆ ବନ୍ଦ ହୋଇଯିବା ଉଚିତ: ଆଜାଦ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆକୁ ସରକାରଙ୍କଠାରୁ କିଣିବା ପରେ ସେଥିରେ ସୁଧାର ଆଣିବାକୁ ଉଦ୍ୟମ କରୁଥିବା ଟାଟା ଗ୍ରୁପ୍‌କୁ ବିଭିନ୍ନ ପ୍ରକାର ସମସ୍ୟା ସାମ୍ନା କରିବାକୁ ପଡ଼ୁଛି। ଗତ ଏପ୍ରିଲ୍‌ରେ ଭିସ୍ତାରା ସହ ମିଶ୍ରଣକୁ ନେଇ ଏୟାର ଇଣ୍ଡିଆର ପାଇଲଟ୍‌ମାନଙ୍କ ଭିତରେ ଅଶାନ୍ତି ଦେଖାଦେବାରୁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏବେ ଏୟାର ଇଣ୍ଡିଆର ସହାୟକ କମ୍ପାନି ‘ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌’ରେ ସମାନ ଧରଣର ସଙ୍କଟ ଦେଖାଦେଇଛି। ଅସନ୍ତୁଷ୍ଟ କ୍ରୁ’ ସଦସ୍ୟମାନେ ଏକସଙ୍ଗେ ଛୁଟିରେ ଚାଲିଯିବାରୁ କମ୍ପାନିକୁ ୮୦ରୁ ଅଧିକ ବିମାନର ଉଡ଼ାଣ ବାତିଲ କରିବାକୁ ପଡ଼ିଛି। ଏୟାର ଇଣ୍ଡିଆ ଏବେ ଟାଟା ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। କମ୍ପାନିର ସିଇଓ ଆଲୋକ ସିଂ କହିଛନ୍ତି ଯେ ଆସନ୍ତା କିଛିଦିନ ପାଇଁ କମ୍ପାନି ଏହାର ବିମାନ ସଂଖ୍ୟା କମ୍ ରଖିବ।
ଚଳିତ ସପ୍ତାହ ଆରମ୍ଭରୁ କ୍ରୁ’ ସଦସ୍ୟମାନେ ଛୁଟିରେ ଯିବା ଆରମ୍ଭ କରିଥିଲେ। ତେଣୁ ଏବେ ବିଭିନ୍ନ ସ୍ଥାନରୁ ଉଡ଼ାଣ ଭରିବାକୁ ଥିବା ବିମାନଗୁଡ଼ିକ ପାଇଁ ଆବଶ୍ୟକ କ୍ରୁ’ ସଦସ୍ୟ ମିଳୁନାହାନ୍ତି। ବାଧ୍ୟ ହୋଇ ଉଡ଼ାଣ ବାତିଲ କରିବାକୁ ପଡ଼ୁଛି। କୁହାଯାଉଛି ଯେ ବୁଧବାର କ୍ରୁ’ ସଦସ୍ୟମାନେ ବିମାନ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପୂର୍ବରୁ ନିଜ ଫୋନ୍‌ ସ୍ବିଚ୍‌ ଅଫ୍‌ କରିଦେଇଥିଲେ ଏବଂ ସ୍ବାସ୍ଥ୍ୟ ସମସ୍ୟା ଦର୍ଶାଇ ଛୁଟିରେ ଚାଳିଯାଇଥିଲେ। ଏହି ଘଟଣା ବିଷୟରେ ଜଣାପଡ଼ିବା ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସ୍ଥିତି ଉପରେ କଡ଼ା ନଜର ରଖିବା ସହ କମ୍ପାନିକୁ ରିପୋର୍ଟ ମାଗିଛି। ଶ୍ରମ କମିସନ କମ୍ପାନିକୁ ତାଗିଦ୍ କରିଛନ୍ତି।

ଏୟାର ଇଣ୍ଡିଆ ଏକ୍ସ‌ପ୍ରେସ୍‌ରେ ସଙ୍କଟ
୮୦ ବିମାନର ଉଡ଼ାଣ ବାତିଲ
ଛୁଟିରେ ଗଲେ କ୍ରୁ’ ସଦସ୍ୟ
ରିପୋର୍ଟ ମାଗିଲେ ସରକାର

ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ପକ୍ଷରୁ କୁହାଯାଇଛି ଯେ ହଠାତ୍‌ ଷ୍ଟାଫ୍‌ମାନେ ଛୁଟି ନେଇଥିବାରୁ ବିମାନର ଉଡ଼ାଣ ବିଳମ୍ବ ଓ ବାତିଲ ହେଉଛି। ଏହା ପଛର କାରଣ ଜାଣିବା ଲାଗି ସେମାନଙ୍କ ସହ ଆଲୋଚନା ଜାରି ରହିଛି। ଯାତ୍ରୀମାନଙ୍କୁ ହେଉଥିବା ଅସୁବିଧା ଲାଗି ଆମେ ଦୁଃଖିତ। ପ୍ରଭାବିତ ଯାତ୍ରୀଙ୍କୁ ଟିକଟ ମୂଲ୍ୟ ସମ୍ପୂର୍ଣ୍ଣ ଫେରସ୍ତ କରାଯିବ। ବିମାନବନ୍ଦରକୁ ଯିବା ପୂର୍ବରୁ ବିମାନର ସ୍ଥିତି ବିଷୟରେ ଖବର ନେବାକୁ ଯାତ୍ରୀମାନଙ୍କୁ କମ୍ପାନି ପରାମର୍ଶ ଦେଇଛି। ଏହି ଘଟଣା ସମ୍ପର୍କରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ କର୍ମଚାରୀ ସଂଘ ପକ୍ଷରୁ ଟାଟା ସନ୍ସର ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ୍‌ଙ୍କୁ ଚିଠି ଲେଖି ହସ୍ତକ୍ଷେପ କରିବାକୁ ଅନୁରୋଧ କରାଯାଇଛି। ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଟାଟା ପକ୍ଷରୁ କମ୍ପାନିର ଅଧିଗ୍ରହଣ ପରେ ଏୟାରଲାଇନ୍‌କୁ ଠିକ୍ ଭାବେ ପରିଚାଳନା କରାଯାଉନାହିଁ। ଷ୍ଟାଫ୍‌ମାନଙ୍କୁ ସମାନ ଦୃଷ୍ଟିରେ ଦେଖାଯାଉନାହିଁ। ଏହା ସେମାନଙ୍କ ମନୋଦଶାକୁ ପ୍ରଭାବିତ କରିଛି। ଚାକିରି ସୁରକ୍ଷା, ବେତନ, ବରିଷ୍ଠତା ଏବଂ ଅଭିଜ୍ଞତାକୁ ନେଇ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ପାଳନ କରାଯାଉନଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ବୁଧବାର ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ବିମାନଗୁଡ଼ିକ ବାତିଲ ହେବା ଆରମ୍ଭ କରିବା ପରେ ଯାତ୍ରୀମାନେ ସୋସିଆଲ୍ ମିଡିଆରେ ନିଜର ଅସନ୍ତୋଷ ଜାହିର କରିଥିଲେ।

ଏୟାର ଇଣ୍ଡିଆ ବନ୍ଦ ହୋଇଯିବା ଉଚିତ: ଆଜାଦ
ଉଡ଼ାଣ ବାତିଲ ଯୋଗୁଁ ଏପିଏପି ମୁଖ୍ୟ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଗୁଲାମ ନବୀ ଆଜାଦ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଏୟାର ଇଣ୍ଡିଆ ବନ୍ଦ ହୋଇଯିବା ଦରକାର ବୋଲି ସେ ଦାବି କହିଛନ୍ତି। ସେ ଦିଲ୍ଲୀ-ଶ୍ରୀନଗର ବିମାନରେ ଯାତ୍ରା କରିବାର ଥିଲା। ସେହି ବିମାନ ବାତିଲ ହେବା ପରେ ୩-୪ ଘଣ୍ଟା ଅପେକ୍ଷା କରି ସେ ଇଣ୍ଡିଗୋର ଏକ ବିମାନରେ ଯାତ୍ରା କରିଛନ୍ତି। ଉଡ଼ାଣ ବାତିଲ ବିଷୟରେ କମ୍ପାନି ସକାଳୁ ଅବଗତ କରିବାର ଥିଲା। ସେମାନେ କାହିଁକି ସମସ୍ତଙ୍କୁ ବୋକା ବନାଉଛନ୍ତି। ଏୟାର ଇଣ୍ଡିଆର ସଂସ୍କୃତି ବହୁତ ଖରାପ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର