ବିଦ୍ୟୁତ୍‌ ତାର ଛିଣ୍ଡି ବୃଦ୍ଧଙ୍କ ମୃତ୍ୟୁ ଘଟଣା:୨.୫୦ ଲକ୍ଷ କ୍ଷତିପୂରଣ ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ

ବାରିପଦା: ବଡସାହି ଥାନା ଅନ୍ତର୍ଗତ ଘୁସୁରିଆ-ପାଉଁଶିଆ ଗ୍ରାମର ଭରତ ଦେହୁରୀ(୬୫)ଙ୍କର ଗତ ୨୦୧୫ ମସିହାରେ ଛିଡ଼ି ପଡିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିଲା। ମୃତକ ପରିବାରକୁ କ୍ଷତିପୂରଣ ରାଶି ଦେବାକୁ ଗ୍ରାମବାସୀ ଦାବି କରିଥିଲେ ବି ବିଦ୍ୟୁତ ବିଭାଗ ଏହାକୁ ଶୁଣି ନଥିଲା। ଏ ନେଇ ମୃତକଙ୍କ ପୁଅ ପଦ୍ମଲୋଚନ ବଡସାହି ଥାନାରେ ଅଭିଯୋଗ କରିଥିଲେ। ଏହି ମାମଲାଟି ବାରିପଦା ସବଜଜ୍ କୋର୍ଟ-୨ରେ ଦୀର୍ଘ ୭ ବର୍ଷ ହେଲା ବିଚାରାଧୀନ ଥିଲା।

ବିଚାରପତି ଦେବଶ୍ରୀ ସାହୁ ବୁଧବାର ଏହି ମାମଲାର ଶୁଣାଣି କରି ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ୨ ଲକ୍ଷ ୫୦ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟୁତ୍‌ ବିଭାଗର ଅବହେଳା ପାଇଁ ତାଙ୍କର ମୃତ୍ୟୁ ହୋଇଥିବା କୋର୍ଟ ଅନୁଭବ କରି କ୍ଷତିପୂରଣ ରାଶି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୃତକଙ୍କ ପରିବାର ପକ୍ଷରୁ ଆଇନଜୀବୀ ହିମାଂଶୁ ସଦୁଆଳ ଓ ବିଦ୍ୟୁତ ବିଭାଗ ପକ୍ଷରୁ ଆଇନଜୀବୀ ଏମ.ଆର ପଟ୍ଟନାୟକ କେସ୍‌ ଲଢୁଥି‌ଲେ। ସୂଚନାଯୋଗ୍ୟ; ୨୦୧୫ ମେ ମାସ ୬ ତାରିଖରେ ଏହି ଘଟଣାଟି ଘଟିଥିଲା। ଭରତ ବିଲକୁ ଯିବା ବାଟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିଲେ।

ସମ୍ବନ୍ଧିତ ଖବର