ତୁମୁଡିବନ୍ଧ: ବିଦ୍ୟୁତ ବିଭାଗର ବେପରୁଆ ମନୋଭାବ ଯୋଗୁଁ ବିଦ୍ୟୁତ ବିଲ ପୈଠ କରାଯିବା ପରେ ବି ବିଭାଗ ପକ୍ଷରୁ ବିଦ୍ୟୁତ ସରବରାହ ବନ୍ଦ କରିଦିଆଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକରେ। ଏହି ବ୍ଲକ ଅନ୍ତର୍ଗତ ଭଳିଆପାଣି ସେବାଶ୍ରମ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୬୦ଜଣ ଛାତ୍ରୀ ହଷ୍ଟେଲ ରହି ଅଧ୍ୟୟନ କରୁଛନ୍ତି । ଛାତ୍ରୀ ମାନଙ୍କ ସୁବିଧା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି। ଏହି ବିଦ୍ୟାଳୟର ବିଦ୍ୟୁତ ବିଲ ୧,୩୯,୩୦୩ ଟଙ୍କା ଆସିଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାଇତ୍ଵରେ ଥିବା ରଞ୍ଜିତ କୁମାର ପ୍ରଧାନ ଗତ ଫେବୃଆରୀ ମାସ ୨୮ ତାରିଖ ଦିନ ବିଦ୍ୟୁତ ବିଭାଗ ର ତୁମୁଡିବନ୍ଧ କାର୍ଯ୍ୟାଳୟ ରେ ଚେକ ଆକାରରେ ୧,୩୯,୩୦୩ ଟଙ୍କା ପୈଠ କରି ବିଦ୍ୟୁତ ବିଭାଗ ଠାରୁ ରସିଦ ଆଣିଲେ।
Advertisment
ସୂଚନା ଥାଉକି ଏହି ବିଦ୍ୟାଳୟରେ ସମୁଦାୟ ୨୦୫ଜଣଛାତ୍ରଛାତ୍ରୀ ଙ୍କ ମଧ୍ୟରୁ ୧୬୦ଜଣ ଛାତ୍ରୀ ଉକ୍ତ ବିଦ୍ୟାଳୟର ହଷ୍ଟେଲ ଭିତରେ ରହି ପାଠ ପଢୁଛନ୍ତି। ହେଲେ ଆଜି ସୋମବାର ଅପରାହ୍ନ ୫.୩୦ରେ ବିଦ୍ୟୁତ ବିଭାଗ ପକ୍ଷରୁ କର୍ମଚାରୀ ମାନେ ବିଦ୍ୟାଳୟରେ ପହଞ୍ଚି ବିଦ୍ୟୁତ କାଟି ଦେଇଥିବା ଦେଖିବାକୁ ମିଳିଛି। ହେଲେ ଏହି ସେବାଶ୍ରମ ବିଦ୍ୟାଳୟରେ ୧୬୦ଜଣ ଛାତ୍ରୀ ରହି ପାଠ ପଢ଼ୁଥିବାରୁ ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଧାନ ଏହି ବିଦ୍ୟାଳୟକୁ ବିଦ୍ୟୁତ ବିଲ ବାବଦକୁ ଆସିଥିବା ୮୦,୦୦୦ ଓ ସୁଧ ବାବଦରେ ଥିବା କିଛି ଟଙ୍କା ମିଶାଇ ମୋଟ ୧,୩୯,୩୦୩ ଟଙ୍କା ପୈଠ କରିଥିଲେ। ଏହା ସତ୍ୱେ ମଧ୍ୟ ବିଦ୍ୟୁତ ବିଭାଗର ସ୍ଥାନୀୟ ଯନ୍ତ୍ରୀ ଉକ୍ତ ଆଶ୍ରମ ବିଦ୍ୟାଳୟର ବିଦ୍ୟୁତ କାଟିବା ପାଇଁ ନିର୍ଦ୍ଦେଶ ଦେବା ପଛରେ କଣ କାରଣ ରହିଛି ବୋଲି ଅଭିଭାବକଙ୍କ ମହଲରେ ପ୍ରଶ୍ନ ଉଠୁଛି। ରାତି ସାରା ଉକ୍ତ ବିଦ୍ୟାଳୟରେ ରହୁଥିବା ୧୬୦ ଜଣ ଛାତ୍ରୀ ଅସୁରକ୍ଷିତ ଅବସ୍ଥାରେ ରହିଛନ୍ତି। ତେବେ ରାତିରେ କୌଣସି ପ୍ରକାର ଅଘଟଣ ଘଟିଲେ କିଏ ଉତ୍ତରଦାୟୀ ରହିବ? ସେପଟେ ବିଦ୍ୟୁତ ବନ୍ଦ ଯୋଗୁଁ ମୋଟର ସାହାଯ୍ୟରେ ପାଣି ଉଠା ମଧ୍ୟ ବନ୍ଦ ରହିଛି। ଏତେ ସଂଖ୍ୟକ ଛାତ୍ରୀ ଅନ୍ଧକାର ରାତିରେ ବିଦ୍ୟାଳୟରେ ରହିବା ଏକ ପ୍ରକାର ନିଶ୍ଚିତ ଅଘଟଣକୁ ଆଡେଇ ଦିଆଯାଇନପାରେ। ତୁମୁଡିବନ୍ଧ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଦାୟିତ୍ବରେ ଥିବା କନିଷ୍ଠ ଯନ୍ତ୍ରୀ ଜଣକ ତୁମୁଡିବନ୍ଧରେ ରହିବା ପରିବର୍ତ୍ତେ ୪୦ କିମି ଦୂର ବାଲିଗୁଡା ଠାରେ ରହୁଥିବାରୁ ତାଙ୍କୁ ଭେଟିବା କଷ୍ଟକର ହୋଇପଡୁଛି ବୋଲି ବିଦ୍ୟାଳୟର ସଭାପତି ସାଧୁ ମଲ୍ଲିକ ଅଭିଯୋଗ କରିଛନ୍ତି। ଏହି ଘଟଣା ଉପରେ ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେଇ କିଭଳି ବିଦୂତ ସଂଯୋଗ ହେବା ସହ ତଦନ୍ତ କରି ଏଭଳି ଖାମଖିଆଲ ଅଧିକାରୀଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା କୁ ସାଧାରଣ ରେ ଦାବି ହେଉଛି।