ବିଦ୍ୟୁତ୍‌ କାଟି ବିଭାଗୀୟ ଅଧିକାରୀ ହଟହଟା

ଦଶରଥପୁର : ଦଶରଥପୁର ବ୍ଲକ ପାଲଟପୁର ପଞ୍ଚାୟତରେ ମନଇଚ୍ଛା ଗ୍ରାହକଙ୍କ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରି ଗୁରୁବାର ଦିନ ହଟହଟା ହୋଇଛନ୍ତି ବିଭାଗୀୟ କର୍ମଚାରୀ। ଏହାକୁ ନେଇ ସ୍ଥାନୀୟ ଲୋକେ ତାତିବା ସହ ୩ ଘଣ୍ଟା ଧରି ବିଦ୍ୟୁତ୍‌ କର୍ମଚାରୀଙ୍କୁ ଅଟକ ରଖିଥିଲେ। ପରିସ୍ଥିତି ବିଗିଡ଼ିବାରୁ ଏ ଘଟଣାରେ ପୁଲିସକୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ଶେଷରେ ବିଜୁଳି କଟାଯାଇଥିବା ସମସ୍ତ ୩୦ ଜଣଙ୍କ ଘରେ ପୁନଃ ସଂଯୋଗ ଦେବାକୁ ବିଭାଗୀୟ କର୍ମଚାରୀ ବାଧ୍ୟ ହୋଇଥିଲେ। ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କ ଏଭଳି ମନମାନିକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ମିଳିଥିବା ସୂଚନା ଅନୁସାରେ ପାଲଟପୁର ପଞ୍ଚାୟତରେ ୩୦ରୁ ଅଧିକ ପରିବାରର ବିଦ୍ୟୁତ୍‌ ସଂଯୋଗ ବିଭାଗ ପକ୍ଷରୁ କାଟି ଦିଆଯାଇଥିଲା। ଧ୍ରୁବଚରଣ ବେହେରାଙ୍କର ପ୍ରାୟ ୯ ହଜାର ଟଙ୍କା ବାକି ରହିଥିବାରୁ ଗତ ବୁଧବାର ତାଙ୍କର ବିଦ୍ୟୁତ ସଂଯୋଗ କାଟି ଦିଆଯାଇଥିଲା। ସେହିଦିନ ହିଁ ସେ ୫ ହଜାର ଟଙ୍କା ଯୋଗାଡ଼ କରି ବିଲ୍‌ ପୈଠ କରିବା ପରେ ପୁଣି ତାଙ୍କ ଘରକୁ ବିଦ୍ୟୁତ୍‌ ସଂଯୋଗ କରାଯାଇଥିଲା। ତା’ ପରଦିନ ଅର୍ଥାତ ଗୁରୁବାର ପୁଣିଥରେ ତାଙ୍କ ଘରୁ ବିଜୁଳି ସଂଯୋଗ କଟାଯାଇଥିଲା। ତାଙ୍କ କଥା କେହି ଶୁଣି ନଥିଲେ। ସେହିପରି ନୀଳକଣ୍ଠପୁର ଗ୍ରାମର ବିଧବା ମହିଳା ଅନ୍ନପୂର୍ଣ୍ଣା ରାଉତଙ୍କ ଗ୍ରାହକ ସଂଖ୍ୟା ୬୧୨୨୮୨୧୬୧୮୦୭ରେ ବିଲ୍‌ ଅନୁସାରେ ସେ ଟଙ୍କା ପୈଠ କରୁଥିଲେ। ମାର୍ଚ୍ଚ ମାସରେ ହଠାତ ପୁଣି ତାଙ୍କ ନାଁରେ ଅନ୍ୟ ଏକ ଗ୍ରାହକ ସଂଖ୍ୟା ୬୧୨୨୮୨୧୬୧୯୭୩ରେ ଏକ ୮୬୪୩ ଟଙ୍କା ବିଲ୍‌ ବାକି ଥିବା କହି ଜୋରଜବରଦସ୍ତ ତାଙ୍କଠାରୁ ୨ ହଜାର ଟଙ୍କା ନେଇଥିଲେ। ଏମିତି ୩୦ରୁ ଅଧିକ ଗ୍ରାହକଙ୍କୁ ବିଭାଗୀୟ କର୍ମଚାରୀ ଜୁଲମ କରିଥିଲେ। ଏହାକୁ ନେଇ ଉପଭୋକ୍ତା ତାତିଥିଲେ।

ମନଇଚ୍ଛା ବିଦ୍ୟୁତ୍‌ କାଟ୍‌ କରିବା, ଟଙ୍କା ନେଇ ବିଲ୍‌ ନକାଟିବା, ନୂତନ ଗ୍ରାହକ ପାଇଁ ଟଙ୍କା ଜମା କରିବା ପରେ ବି ବିଦ୍ୟୁତ୍‌ ସଂଯୋଗ ନଦେବା, ବାକି ଟଙ୍କା ଜମା କରିସାରିଥିଲେ ବି ବିଲ୍‌ରୁ ଟଙ୍କା ନକଟିବା, ବିଦ୍ୟୁତ୍‌ ବ୍ୟବହାରଠାରୁ ଅଧିକ ବିଲ୍‌ ଆସିବା ଭଳି ଅଭିଯୋଗ କରିଥିଲେ ଲୋକେ। ବିଦ୍ୟୁତ୍‌ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ପାଖରେ ଲୋକମାନେ ଅଟକ ରଖି ହିସାବ ମାଗିଥିଲେ। ମଙ୍ଗଳପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସମସ୍ତଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିଲା। କଟାଯାଇଥିବା ଘରେ ପୁନଃ ବିଦ୍ୟୁତ୍‌ ସଂଯୋଗ କରାଯାଇଥିଲା। ଅନ୍ୟ ସମସ୍ୟାଗୁଡ଼ିକୁ ଆସନ୍ତା ୧୦ ତାରିଖରେ ଏକ ସ୍ୱତନ୍ତ୍ର ଶିବିର ପକାଯାଇ ସମାଧାନ କରିବାକୁ ନିଷ୍ପତ୍ତି ହେବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର